ଆଇପିଏଲ୍‌ରୁ ରୈନା ଓହରି ଯିବାକୁ ନେଇ କଳ୍ପନାଜଳ୍ପନା ଜାରି

କରୋନା ଭୟ ନା ହୋଟେଲ ରୁମ୍‍କୁ ନେଇ ଅସନ୍ତୋଷ?

ନୂଆଦିଲ୍ଲୀ: ୟୁଏଇରୁ ଫେରି ୨ ଦିନ ହେଲା ନିଜ ପରିବାର ସହ ରହୁଛନ୍ତି ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ବ୍ୟାଟ୍‍ସମ୍ୟାନ ସୁରେଶ ରୈନା। ଆଇପିଏଲ୍‍ ଛାଡ଼ି ରୈନା ଏପରି ସ୍ୱଦେଶ ଫେରିଆସିବାକୁ ନେଇ ବହୁତ କଥା ଶୁଣିିବାକୁ ମିଳୁଛି। ବ୍ୟକ୍ତିଗତ କାରଣରୁ ରୈନା ଚଳିତବର୍ଷ ଆଇପିଏଲ୍‍ରୁ ଫେରି ଯାଇଛନ୍ତି ବୋଲି ତାଙ୍କ ଫ୍ରାଞ୍ଚାଇଜି ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ) ପକ୍ଷରୁ କୁହା ଯାଇଥିଲା। ପରେ ଶୁଣିବାକୁ ମିଳୁଛି ଯେ ସିଏସ୍‍କେର ୨ ଖେଳାଳିଙ୍କୁ ମିଶାଇ ୧୩ ଜଣ କରୋନାରେ ସଂକ୍ରମିତ ହେବା ପରେ ସୁରେଶ ରୈନା ଭୟଭୀତ ହୋଇ ଯାଇଥିଲେ। ବିଚଳିତ ହୋଇ ସେ ସ୍ୱଦେଶ ଫେରି ଆସିଛନ୍ତି ବୋଲି ୨ ଦିନ ତଳେ ଅନୁମାନ କରା ଯାଇଥିଲା।

ତେବେ କେବଳ କରୋନା ଭୟ ଯୋଗୁଁ ଆଇପିଏଲ୍‍ର ଅନ୍ୟତମ ଦାମୀ ଖେଳାଳି ସୁରେଶ ରୈନା ପୂରା ସିଜିନ୍‍ ପାଇଁ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିବା କଥାକୁ ଅନେକ ବ୍ୟକ୍ତି ବିଶ୍ୱାସ କରି ପାରୁନାହାନ୍ତି। ୨୦୦୮ରେ ଆଇପିଏଲ୍‍ ଆରମ୍ଭହେବା ପରଠାରୁ ରୈନା ସିଏସ୍‍କେ ପାଇଁ ଖେଳି ଆସୁଛନ୍ତି। ୨୦୧୮ରେ ନିଲାମ ପୂର୍ବରୁ ସିଏସ୍‍କେ ମାତ୍ର ୩ ଜଣ ଖେଳାଳିଙ୍କୁ ରଖିଥିଲା ଏବଂ ବାକି ଖେଳାଳିଙ୍କୁ ନିଲାମରେ କିଣିଥିଲା। ସେହି ୩ ଖେଳାଳି ଥିଲେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୧୫ କୋଟି), ସୁରେଶ ରୈନା (୧୧ କୋଟି) ଓ ରବୀନ୍ଦ୍ର ଜାଡ଼େଜା (୭ କୋଟି)। ରୈନା ସିଏସ୍‍କେର ସର୍ବାଧିକ ରନ୍‍ ସ୍କୋରର୍‍। ରୈନା ସ୍ୱଦେଶ ଫେରିଆସିବା ପରେ କରୋନା ଭୟ ସହ ଗତ ୨୦ରେ ପଠାନ୍‍କୋଟରେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଡକାୟତ ହତ୍ୟାକରିବା ଯୋଗୁଁ ସେ ପୂରା ଆଇପିଏଲ୍‍ ଟୁର୍ଣ୍ଣାମେଣ୍ଟ ନ ଖେଳିବାର ନିଷ୍ପତ୍ତି ନେଇପାରନ୍ତି ବୋଲି କୁହା ଯାଇଥିଲା। ତେବେ ସୋମବାର ସିଏସ୍‍କେର ମାଲିକ ଏନ୍‍. ଶ୍ରୀନିବାସନ୍‍ ଅତ୍ୟନ୍ତ କଠୋର ଶବ୍ଦରେ ସୁରେଶ ରୈନାଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ଶ୍ରୀନିବାସନ୍‍ କହିଥିଲେ ଅଗଷ୍ଟ ୨୦ରେ ରୈନାଙ୍କ ସମ୍ପର୍କୀୟଙ୍କ ହତ୍ୟା ଯୋଗୁଁ ସେ ଫେରି ଯାଇଛନ୍ତି ବୋଲି କହିବା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ। କାରଣ ଏହି ଘଟଣା ପରେ ରୈନା ୟୁଏଇ ଆସିଥିଲେ। ରୈନା ପଶ୍ଚାତାପ କରିବେ। ଆଇପିଏଲ୍‍ ସିଜିନ୍‍ ଆରମ୍ଭ ହୋଇନାହିଁ। ରୈନା ନିଶ୍ଚୟ ଅନୁଭବ କରିବେ ଯେ ସେ କ’ଣ ହରାଇଛନ୍ତି। କ୍ରିକେଟ୍‍ ଖେଳିବାର ସୁଯୋଗ ସହ ତାଙ୍କ ପାରିଶ୍ରମିକ ମଧ୍ୟ ରୈନା ପାଇବେ ନାହିଁ। ତୁମେ ଯଦି ଖେଳିବାକୁ ଅନିଚ୍ଛୁକ ଅଥବା ଖୁସି ନାହଁ; ତେବେ ଫେରିଯାଅ। କାହାକୁ ମୁଁ ଖେଳିବାକୁ ବାଧ୍ୟ କରୁନାହିଁ। ବେଳେବେଳେ ସଫଳତା କିଛି ଖେଳାଳିଙ୍କ ମୁଣ୍ଡକୁ ଚଢ଼ିଯାଏ। ରୈନା ଫେରିଯିବାର ପ୍ରଭାବ ସିଏସ୍‍କେ ଦଳ ଉପରେ ପଡ଼ିବ ନାହିଁ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଦଳର ମନୋବଳ ଦୃଢ଼ରହିଛି। ଧୋନିଙ୍କ ସହ କଥା ହୋଇଛି। ଦଳର କିଛି ସଦସ୍ୟ କରୋନା ସଂକ୍ରମିତ ହୋଇଥିଲେ ହେଁ କେହି ହତୋତ୍ସାହିତ ହୋଇନାହାନ୍ତି। ଜୁମ୍‍ ଆପ୍‍ ଜରିଆରେ ଧୋନି ସମସ୍ତଙ୍କ ସହ କଥା ହେଉଛନ୍ତି। ରୈନାଙ୍କ ପ୍ରତି ଏପରି ମନ୍ତବ୍ୟ ଦେବାର କିଛି ସମୟ ପରେ ନିଜ ମତ ବଦଳାଇଛନ୍ତି ଏନ୍‌.ଶ୍ରୀନିବାସନ୍‌। ତାଙ୍କ ମତକୁ ଭୁଲ୍‌ ଭା​‌​‌ବେ ଉପସ୍ଥାପିତ କରାଯାଇଥିବା ଶ୍ରୀନିବାସନ୍‌ କହିବା ସହ ସିଏସ୍‌କେ ପ୍ରତି ରୈନାଙ୍କ ଅବଦାନ ଅତୁଳନୀୟ। ତାଙ୍କ ପ୍ରତି ଦଳର ସମର୍ଥନ ସର୍ବଦା ରହିବ। ସିଏସ୍‌କେ ଏକ ପରିବାର ଏବଂ ରୈନାଙ୍କ ସମେତ ସମସ୍ତ କ୍ରିକେଟର୍ ଏହାର ସଦସ୍ୟ ବୋଲି ଶ୍ରୀନିବାସନ୍‌ କହିଛନ୍ତି।

ନିକଟରେ ଆଉଟ୍‍ଲୁକ୍‍ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଦୁବାଇରେ ସିଏସ୍‍କେ ଦଳ ରହୁଥିବା ହୋଟେଲରେ ରୈନାଙ୍କୁ ମିଳିଥିବା କୋଠରୀକୁ ନେଇ ସେ ଖୁସି ନଥିଲେ। ସିଏସ୍‍କେର ନିୟମ ଅନୁସାରେ ଅଧିନାୟକ, ପ୍ରଶିକ୍ଷକ ଓ ମ୍ୟାନେଜରଙ୍କୁ ସ୍ୱିଟ୍‍ ମିଳିଥାଏ ଏବଂ ଅନ୍ୟ ସଦସ୍ୟମାନେ ସାଧାରଣ କୋଠରୀରେ ରହିଥାଆନ୍ତି। ତେବେ ବରିଷ୍ଠ ଖେଳାଳି ହୋଇଥିବାରୁ ସୁରେଶ ରୈନାଙ୍କୁ ମଧ୍ୟ ସ୍ୱିଟ୍‍ ମିଳିଥିଲା। ତେବେ ତାଙ୍କ ସ୍ୱିଟ୍‍ରେ ବାଲ୍‍କୋନୀ ନ ଥିବାରୁ ରୈନା କ୍ଷୁବ୍‍ଧ ଥିଲେ। ଧୋନିଙ୍କ ସ୍ୱିଟ୍‍ ପରି ବାଲ୍‍କୋନୀ ଥିବା ସ୍ୱିଟ୍‍ ଦେବାକୁ ସେ ଦାବି କରିଥିଲେ। ଏଥିରେ ରାଗିଯାଇ ସେ ଫେରି ଆସିଥିଲେ। ଏଣେ ହିନ୍ଦୀ ପତ୍ରିକା ଦୈନିକ ଜାଗରଣରେ ରୈନାଙ୍କ ବିବୃତି ପ୍ରକାଶ ପାଇଛି। ଏଥିରେ ରୈନା ଦଳର ଏକାଧିକ ସଦସ୍ୟ କରୋନା ସଂକ୍ରମିତ ହୋଇଥିବାରୁ ଭୟରେ ଫେରିଆସିଲେ ବୋଲି କହିଛନ୍ତି। ତେବେ କେଉଁଟା ସତ; ତାହା କେହି ଜାଣନ୍ତି ନାହିଁ। ହେଲେ ରୈନାଙ୍କ ଆକସ୍ମିକ ନିଷ୍ପତ୍ତି ଚେନ୍ନଇ ସୁପର କିଙ୍ଗ୍‍ସ ଦଳ ମ୍ୟାନେଜମେଣ୍ଟକୁ କ୍ଷୁବ୍‍ଧ କରିଥିବା ଆଲୋଚନା ହେଉଛି।

Comments are closed.