ଆଇପିଏଲ୍‌ ଆୟୋଜନ ନେଇ ଅନିଶ୍ଚିତତା : ପରିସ୍ଥିତି ଉପରେ ନଜର ରଖିଛି ବିସିିସିଆଇ

ନୂଆଦିଲ୍ଲୀ : ବିସିସିଆଇ ଆନୁକୂଲ୍ୟରେ ପ୍ରତିବର୍ଷ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣ ଆୟୋଜନକୁ ନେଇ ଅନିଶ୍ଚିତତା ଦୃଢ଼ୀଭୂତ ହୋଇଛି। ଆଇପିଏଲ୍‌ର ଚଳିତ (୧୩ତମ) ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା। ତେବେ କରୋନା ଭାଇରସ୍‌ ସଂକ୍ରମଣଜନିତ ଭୟାବହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଏପ୍ରିଲ୍‌ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା ବିସିସିଆଇ। ଅନ୍ୟପକ୍ଷରେ ମଙ୍ଗଳବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ଦିନିକିଆ ତାଲାବନ୍ଦୀ (ଲକ୍‌ଡାଉନ୍‌) ଘୋଷଣା କରିଥିବାରୁ ପୁନର୍ବାର ଆଇପିଏଲ୍‌ ଆୟୋଜନ ଉପରେ ଅନିଶ୍ଚିତତା ସୃଷ୍ଟି ହୋଇଛି।
କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ସୃଷ୍ଟ ପରିସ୍ଥିତିରେ ଉନ୍ନତି ଆସିଲେ ଆଇପିଏଲ୍‌ ଆୟୋଜିତ ହେବ ବୋଲି ବିସିସିଆଇ ତରଫରୁ ସୂଚନା ଦିଆଯାଇଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଆଇପିଏଲ୍‌ ଆୟୋଜନ ସମ୍ଭବପର ନୁହେଁ ବୋଲି ବିଭିନ୍ନ ମହଲରୁ ମତପ୍ରକାଶ ପାଇଛି। ଭାରତରେ କରୋନା ସଂକ୍ରମିତବ୍ୟକ୍ତିଙ୍କ ସଂଖ୍ୟା ୫୦୦ ଟପିଥିବା ବେଳେ ତାଲାବନ୍ଦୀ ଜାରି ରହିଥିବାରୁ ଆଇପିଏଲ୍‌ର ଚଳିତ ସଂସ୍କରଣ ବାତିଲ ହେବା ଆଶଙ୍କା ମଧ୍ୟ ରହିଛି।
ବର୍ତ୍ତମାନ ପରିସ୍ଥିତିରେ ନିଜ ପ୍ରତିକ୍ରିୟାରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ ଆଇପିଏଲ୍‌ କେବେ ଆୟୋଜିତ ହେବ ସେ ସଂପର୍କରେ ବର୍ତ୍ତମାନ ଠାରୁ କିଛି କହିହେବ ନାହିଁ। ଗତ କିଛିଦିନ ହେବ ପରିସ୍ଥିତିରେ ବିଶେଷ କୌଣସି ପରିବର୍ତ୍ତନ ଆସି ନାହିଁ। ତେଣୁ ଆଇପିଏଲ୍‌ ଆୟୋଜିତ ପ୍ରଶ୍ନ ସଂପର୍କରେ ବର୍ତ୍ତମାନ ତାଙ୍କ ନିକଟରେ କୌଣସି ଉତ୍ତର ନାହିଁ।
ଅନ୍ୟପକ୍ଷରେ ଆଇପିଏଲ୍‌ ଆୟୋଜନ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ପରିସ୍ଥିତି ଉପରେ ବିସିସିଆଇ ତରଫରୁ ନଜର ରଖାଯାଇଛି। ପ୍ରଥମେ ପରିସ୍ଥିତିରେ ସୁଧାର ଆସିବା ପରେ ଆଇପିଏଲ୍‌ ଆୟୋଜନ ଉପରେ ଯାହା କିଛି ନିଷ୍ପତ୍ତି ନିଆଯିବ।
ସେହିପରି ଆଇପିଏଲ୍‌ ଦଳ କିଙ୍ଗ୍‌ସ ଏକାଦଶ ପଞ୍ଜାବର ଅନ୍ୟତମ ମାଲିକ ନେସ୍‌ ୱାଡିଆ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆଇପିଏଲ୍‌ ଆୟୋଜନ ନେଇ ବର୍ତ୍ତମାନ ଚର୍ଚ୍ଚା କରିବାର କୌଣସି ଆବଶ୍ୟକତା ନାହିଁ। ଦେଶର ପରିସ୍ଥିତି ଗମ୍ଭୀର ରହିଛି। କରୋନା ଭାଇରସ୍‌ ସଂକ୍ରମଣକୁ କିପରି ଭାବେ ରୋକାଯାଇ ପାରିବ ତାହା ଉପରେ ସମସ୍ତେ ପ୍ରାଥମିକତା ଦେବା ଉଚିତ୍‌। ସେହିପରି ସରକାରଙ୍କ ତରଫରୁ ମଧ୍ୟ ନାନା ପ୍ରତିବନ୍ଧକ ଲାଗୁ ହୋଇଥିବାରୁ ଆଇପିଏଲ୍‌ ଆୟୋଜନ ବର୍ତ୍ତମାନ ସମ୍ଭବପର ନୁହେଁ। ଆସନ୍ତା ମେ’ ବେଳକୁ ପରିସ୍ଥିତିରେ ସୁଧାର ଆସିଯିବ ବୋଲି ମତପ୍ରକାଶ ପାଉଛି। ତେବେ ସେତେବେଳେ ଆଇପିଏଲ୍‌ରେ ବିଦେଶୀ ଖେଳାଳିଙ୍କୁ ଭାଗ ନେବାକୁ ସରକାର ଅନୁମତି ପ୍ରଦାନ କରିବେ କି ନାହିଁ ତାହା ଏକ ବଡ଼ ପ୍ରଶ୍ନବାଚୀ ବୋଲି ୱାଡିଆ ସ୍ପଷ୍ଟ କରି ଦେଇଛନ୍ତି।
ସୂଚନାଥାଉକି ମଙ୍ଗଳବାର ଆଇପିଏଲ୍‌ ଆୟୋଜନ ନେଇ ବିସିସିଆଇ ପଦାଧିକାରୀ ଓ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ମାଲିକଙ୍କ ମଧ୍ୟରେ ଆଲୋଚନା ହେବାର ଥିଲା। ତେବେ ଏହାକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ହୋଇଥିଲା। କରୋନା ଭାଇରସ୍‌ ସଂକ୍ରମଣଜନିତ ପରିସ୍ଥିତିରେ ବିଶେଷ କୌଣସି ଉନ୍ନତି ଘଟିନଥିବାରୁ ବୈଠକ ଆୟୋଜନର କୌଣସି ଯଥାର୍ଥତା ନାହିଁ ବୋଲି ମତପ୍ରକାଶ ପାଇଥିଲା। ଟୋକିଓ ଅଲିମ୍ପିକ୍‌ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦେବାକୁ ମଙ୍ଗଳବାର ଘୋଷଣା କରାଯାଇଥିବା ବେଳେ ଚଳିତ ସଂସ୍କରଣର ଆଇପିଏଲ୍ ଆୟୋଜନରେ ବିଳମ୍ବ ହେଲେ କିମ୍ବା ଏହାକୁ ବାତିଲ କରାଗଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ବିସିସିଆଇର ଜନୈକ ଅଧିକାରୀ ମତ ଦେଇଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ତରଫରୁ ୨୧ଦିନିଆ ତାଲାବନ୍ଦୀ ଘୋଷଣା କରାଯାଇଥିବା ଦୃଷ୍ଟିରୁ ଏପ୍ରିଲ୍‌ ୧୪ ବେଳକୁ ପରିସ୍ଥିତି କିଛିଟା ପରିବର୍ତ୍ତିତ ହୋଇଥିଲେ ମଧ୍ୟ ଅନେକ କଟକଣା ପୂର୍ବବତ୍‌ ରହିବାକୁ ଥିବାରୁ ଆଇପିଏଲ୍‌ର ଚଳିତ ସଂସ୍କରଣ ସଂପୂର୍ଣ୍ଣ ରୂପେ ବାତିଲ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ବିସିସିଆଇର ଜନୈକ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି।
କରୋନା ଭାଇରସ୍‌ ସଂକ୍ରମଣଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶର ସରକାରଙ୍କ ତରଫରୁ ବିଦେଶ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି। ଏହି କଟକଣା ଆହୁରି କିଛିମାସ ଜାରି ରହିବା ନିଶ୍ଚିତ ହୋଇଥିବା ବେଳେ ଭାରତ ସରକାର ବିଦେଶ ନାଗରିକଙ୍କୁ ଭିସା ପ୍ରଦାନ ବନ୍ଦ କରି ଦେଇଛନ୍ତି। ଏସବୁ କଟକଣା ନ ଉଠିବା ଯାଏ ବିଦେଶୀ କ୍ରିକେଟର୍‌ ଭାରତ ଆସି ଆଇପିଏଲ୍‌ ଖେଳିବାର ପ୍ରଶ୍ନ ଉଠୁ ନାହିଁ। ଏଥିସହ ଭାରତ ସରକାରଙ୍କ ତରଫରୁ ଜାରି ତାଲାବନ୍ଦୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିକଟ ଭବିଷ୍ୟତରେ ଆଇପିଏଲ୍‌ ଆୟୋଜନ ସମ୍ଭବପର ନୁହେଁ ତାହା ସ୍ପଷ୍ଟ ଭାବେ ଦେଖାଯାଉଛି।

Comments are closed.