ଆର୍‌ସିବିକୁ ୮ୱିକେଟରେ ହରାଇଲା କିଙ୍ଗସ୍ ଏକାଦଶ ପଞ୍ଜାବ

ଶାରଜା : ଚଳିତ ଆଇପିଏଲ୍‌ରେ କ୍ରମାଗତ ୫ଟି ମ୍ୟାଚ୍ ହାରିବା ପରେ ବିଜୟୀ ହୋଇଛି କିଙ୍ଗ୍‌ସ ଏକାଦଶ ପଞ୍ଜାବ। ଗୁରୁବାର ଖେଳା ଯାଇଥିବା ମ୍ୟାଚ୍‌ରେ କେ.ଏଲ୍‌. ରାହୁଲ, କ୍ରିସ୍ ଗେଲ୍‌ ଓ ମୟଙ୍କ ଅଗ୍ରୱାଲଙ୍କ ବିସ୍ଫୋରକ ଇନିଂସ ବଳରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୮ ୱିକେଟରେ ପଞ୍ଜାବ ପରାସ୍ତ କରିଛି। ଅଧିନାୟକ ବିରାଟ କୋହଲିଙ୍କ ୪୮ ରନ୍‌ ଏବଂ ଅନ୍ୟ କିଛି ଉପଯୋଗୀ ଇନିଂସ ବଳ‌େ‌ର ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୨୦ ଓଭରରେ ୬ ୱିକେଟ ହରାଇ ୧୭୧ ରନ୍‌ କରିଥିଲା। ଶେଷ ବଲ୍‌ରେ ପଞ୍ଜାବ ୨ ୱିକେଟ ହରାଇ ବିଜୟୀ ହୋଇଥିଲା। ୮ମ ମ୍ୟାଚ୍‌ରେ ଏହା ପଞ୍ଜାବର ୨ୟ ବିଜୟ ହୋଇଥିବା ବେଳେ ଉଭୟ ମ୍ୟାଚ୍‌ ଏହା ଆର୍‌ସିବି ବିପକ୍ଷରେ ଜିତିଛି। ଆର୍‌ସିବି ୮ମ ମ୍ୟାଚ୍‌ରେ ୩ୟ ପରାଜୟ ଭୋଗିଛି।
ଟସ୍ ଜିତି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ କରିଥିଲା। ଆର୍‌ସିବିର ଦୁଇ ଓପ୍‌ନର ଆରୋନ୍ ଫିଞ୍ଚ୍ ଓ ଦେବଦତ୍ତ ପାଡିକଲ ୪ ଓଭରରେ ୩୮ ରନ୍‌ର ଓପ୍‌ନିଂ ଭାଗିଦାରୀ କରିଥିଲେ। ପାଡିକଲ ୧୨ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୮ ଏବଂ ଫିଞ୍ଚ୍ ୧୮ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୦ ରନ୍‌କରି ଆଉଟ ହୋଇଥିଲେ। ୬ ଓଭରର ପାୱରପ୍ଲେରେ ଆର୍‌ସିବି ୫୭ ରନ୍ କରିଥିଲା। ଏବି ଡି’ଭିଲିଅର୍ସ ଥିବା ସତ୍ତ୍ବେ ତାଙ୍କ ପୂର୍ବରୁ ଆର୍‌ସିବି ୱାଶିଂଟନ ସୁନ୍ଦର ଓ ଶିବମ୍ ଦୁବେଙ୍କୁ ବ୍ୟାଟିଂ ପଠାଇବା ଅନେକଙ୍କୁ ଚକିତ କରିଥିଲା। ୱାଶିଂଟନ ସୁନ୍ଦର ୧୪ ବଲ୍‌ରୁ ୧୩ ରନ୍‌ କରିଥିଲେ। ୪ର୍ଥ ୱିକେଟ ପାଇଁ କୋହଲିଙ୍କ ସହ ୪୧ ରନ୍‌ର ଭାଗିଦାରୀ ପରେ ଶିବମ୍ ଦୁବେ ଆଉଟ ହୋଇଥିଲେ। ଦୁବେ ୧୯ ବଲ୍‌ରୁ ୨ଟି ଛକା ସହ ୨୩ ରନ୍ କରିଥିଲେ। ମହମ୍ମଦ ସାମି ଏକ ଓଭରରେ ଦୁଇ ତାରକା ଏବି ଡି’ଭିଲିଅର୍ସ ଓ ବିରାଟ କୋହଲିଙ୍କୁ ଆଉଟ କରି ଦେଇଥିଲେ। ଡି’ଭିଲିଅର୍ସ ୨ ରନ୍ କରିଥିଲେ। ଆର୍‌ସିବି ପାଇଁ ତାଙ୍କର ୨୦୦ତମ ମ୍ୟାଚ୍‌ରେ ବିରାଟ କୋହଲି ୩୯ ବଲ୍‌ରୁ ୩ଟି ଚୌକା ସହ ୪୮ ରନ୍ କରିଥିଲେ। ଶେଷ ଓଭରରୁ ମହମ୍ମଦ ସାମି ୨୪ ରନ୍ ଦେଇଥିଲେ। କ୍ରିସ୍ ମରିସ୍ ୮ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୫ ଏବଂ ଇସୁରୁ ଉଦାନା ୧୦ ରନ୍‌କରି ଅପରାଜିତ ଥିଲେ। ମହମ୍ମଦ ସାମି ଓ ଏମ୍. ଅଶ୍ବିନ୍ ୨ଟି ଲେଖାଏଁ ୱିକେଟ ପାଇଥିଲେ।
୧୭୨ ରନ୍ ଲକ୍ଷ୍ୟରେ କିଙ୍ଗ୍‌ସ ଏକାଦଶ ପଞ୍ଜାବର ଅଧିନାୟକ କେ.ଏଲ୍‌. ରାହୁଲ ଓ ମୟଙ୍କ ଅଗ୍ରୱାଲ ଚମତ୍କାର ବ୍ୟାଟିଂକରି ପାୱରପ୍ଲେରେ ସ୍କୋର୍‌କୁ ୫୬ ରନ୍‌ରେ ପହଞ୍ଚାଇଥିଲେ। ପ୍ରଥମ ୱିକେଟରେ ୭୮ ରନ୍‌ର ଭାଗିଦାରୀ ପରେ ମୟଙ୍କ ଅଗ୍ରୱାଲ ଆଉଟ ହୋଇଥିଲେ। ମୟଙ୍କ ୨୫ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୪୫ ରନ୍ କରିଥିଲେ। କ୍ରିସ୍ ଗେଲ୍‌ ଆରମ୍ଭରୁ ଧିମା ବ୍ୟାଟିଂ କରିଥିବା ବେଳେ ରାହୁଲ ଦର୍ଶନୀୟ ଷ୍ଟ୍ରୋକ୍‌ସବୁ ଖେଳିଥିଲେ। ୩୭ ବଲ୍‌ରେ ରାହୁଲ ଅର୍ଦ୍ଧଶତକ ପୂରଣ କରିଥିଲେ। ସେଟ୍‌ ହେବା ପରେ ଗେଲ୍‌ ବାଉଣ୍ଡରୀ ବର୍ଷା କରିଥିଲେ। ୩୬ ବଲ୍‌ରେ ଗେଲ୍‌ ଅର୍ଦ୍ଧଶତକ ପୂରଣ କରିଥିଲେ। ଶେଷ ୩ ଓଭରରୁ ପଞ୍ଜାବ ମାତ୍ର ୧୧ ରନ୍ ଏବଂ ଶେଷ ଓଭରରୁ ମାତ୍ର ୨ ରନ୍ ଅାବଶ୍ୟକ କରୁଥିଲା। ୫ମ ବଲ୍‌ରେ ଗେଲ୍‌ ଆଉଟ ହୋଇଥିଲେ। ଗେଲ୍‌ ୪୫ ବଲ୍‌ରୁ ୫ଟି ଛକା ଓ ଗୋଟିଏ ଚୌକା ସହ ୬୩ ରନ୍ କରିଥିଲେ। ଶେଷ ବଲ୍‌ରୁ ୧ ରନ୍ ଆବଶ୍ୟକ ଥିବା ବେଳେ ନିକୋଲାସ୍ ପୁରନ୍ ଛକାମାରି ଦଳକୁ ଜିତାଇଥିଲେ। ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌ ରାହୁଲ ୪୯ ବଲ୍‌ରୁ ୫ଟି ଛକା ଓ ଗୋଟିଏ ଚୌକା ସହ ୬୧ ରନ୍ କରି ଅପରାଜିତ ଥିଲେ।

Comments are closed.