ଆଇପିଏଲ୍-୧୩: ସମ୍ପୂର୍ଣ୍ଣ ଯୋଜନା ଜଣାଇଲା ବିସିସିଆଇ

ମୁମ୍ବଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୟୁଏଇରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଖେଳାଯିବ। ତେବେ ବିଦେଶରେ ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ କ’ଣ ଯୋଜନା କରିଛି; ଅଦ୍ୟାବଧି ତାହା ଆଇପିଏଲ୍ର ୮ଟିଯାକ ଫ୍ରାଞ୍ଚାଇଜଙ୍କୁ ଔପଚାରିକ ଭାବେ ଜଣାଇନାହିଁ। ଏହାକୁ ନେଇ ଅଧିକାଂଶ ଫ୍ରାଞ୍ଚାଇଜ କ୍ଷୋଭପ୍ରକାଶ କରିଥିଲେ। ଏହି ତଥ୍ୟ ଗଣମାଧ୍ୟମକୁ ବିସିସଆଇ ଜଣାଇଥିବା ବେଳେ ଫ୍ରାଞ୍ଚାଇଜଙ୍କୁ ଜଣାଇବାରେ କ’ଣ ଅସୁବିଧା ଅଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏହାପରେ ବିସିସିଆଇର ନିଦ ଭାଙ୍ଗିଛି। ଯେଉଁ ଫ୍ରାଞ୍ଚାଇଜଙ୍କୁ ନେଇ ଆଇପିଏଲ୍ ଆୟୋଜନ ହେଉଛି; ସେମାନଙ୍କୁ ସମ୍ପୂର୍ଣ୍ଣ ଯୋଜନା ଜଣାଇବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଏହାପୂର୍ବରୁ ବିସିସିଆଇର ଏହି ଯୋଜନା ଗଣମାଧ୍ୟମ ହାତରେ ପହଞ୍ଚି ଯାଇଛି।
ଆଇପିଏଲ୍ର ପରିଚାଳନା ପରିଷଦ (ଗଭର୍ଣ୍ଣିଂ କାଉନ୍ସିଲ)ର ବୈଠକ ଆସନ୍ତା ଶନିବାର ବସିବ। ଏହି ବୈଠକରେ ୟୁଏଇରେ ଆଇପିଏଲ୍ ଆୟୋଜନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ରବିବାର ଓ ସୋମବାର ଫ୍ରାଞ୍ଚାଇଜ ମାଲିକ, ଟିଭି ପ୍ରସାରଣକାରୀ ଏବଂ କେନ୍ଦ୍ରୀୟ ପ୍ରାୟୋଜକଙ୍କ ସହ ବୈଠକ ଅନୁଷ୍ଠିତ ହେବ। ଏଥିରେ ଆଇପିଏଲ୍ ଆୟୋଜନ ନେଇ ସମ୍ପୂର୍ଣ୍ଣ ଯୋଜନା ସେମାନଙ୍କ ସମ୍ମୁଖରେ ରଖାଯିବ। ଏହା ପୂର୍ବରୁ ଗଣମାଧ୍ୟମ ହାତରେ ପଡ଼ିଥିବା ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ ସମ୍ପର୍କରେ ବିସିସିଆଇର ଯୋଜନା ଏହିପରି। ପ୍ରଥମଟି ହେଉଛି, ଗତ ୧୨ଟି ଆଇପିଏଲ୍ ସଂସ୍କରଣରେ ଫ୍ରାଞ୍ଚାଇଜ ମାଲିକ ଖେଳାଳିଙ୍କ ପରିବହନ, ରହଣି ଓ ଖାଦ୍ୟପେୟର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥିଲେ। ଚଳିତବର୍ଷ ଏଥିରେ ପରିବର୍ତ୍ତନ ହେବାର ପ୍ରଶ୍ନ ଉଠୁନାହିଁ। ଏକମାତ୍ର ପରିବର୍ତ୍ତନ ହେଉଛି କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଦର୍ଶ କାର୍ଯ୍ୟ ପ୍ରଣାଳୀ (ଏସ୍ଓପି)କୁ ସମସ୍ତେ ମାନିବେ। ବୈଠକ ପରେ ସମସ୍ତ ଫ୍ରାଞ୍ଚାଇଜଙ୍କୁ ବିସ୍ତୃତ ଏସ୍ଓପି ପ୍ରଦାନ କରାଯିବ। ତେବେ ବିସିିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜୈବ ନିରାପତ୍ତାକୁ ବେଶ୍ ଗୁରୁତ୍ୱ ଦିଆଯିବ। ଏଥିପାଇଁ ପ୍ରତି ଫ୍ରାଞ୍ଚାଇଜ ଏକ ଜୈବ ନିରାପତ୍ତା ପରିଧି ପ୍ରସ୍ତୁତ କରିବେ। ଏହି ପରିଧି ମଧ୍ୟରେ ଥିବା ବ୍ୟକ୍ତି ଏବଂ ବିସିସଆଇ ଦେଇଥିବା ବ୍ୟକ୍ତିଙ୍କ ବିନା ବାହାରର କୌଣସି ବ୍ୟକ୍ତିଙ୍କ ସହ ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ୍ ମିଶିପାରିବେ ନାହିଁ। ଯଦି ଅତି ଜରୁରୀ ଥିବା କିମ୍ବା ପରିବାର ଲୋକ ଥିଲେ; ତେବେ ଫ୍ରାଞ୍ଚାଇଜଠାରୁ ପୂର୍ବରୁ ଅନୁମତି ଆଣିଥିଲେ ସେମାନଙ୍କ ସହ ମିଶିପାରିବେ। କେବଳ ଖେଳାଳି ନୁହନ୍ତି; ବିସିସିଆଇର କର୍ମକର୍ତ୍ତା, ଅଧିକାରୀ, ଟୁର୍ଣ୍ଣାମେଣ୍ଟ ଆୟୋଜନର ଦାୟିତ୍ୱ ପାଇଥିବା ସଂସ୍ଥା ଆଇଏମ୍ଜି ଓ ପ୍ରସାରଣକାରୀ ସଂସ୍ଥାଙ୍କୁ ମଧ୍ୟ ଜୈବ ନିରାପତ୍ତା ପରିଧି ପ୍ରଦାନ କରାଯିବ। ଆଇପିଏଲ୍-୧୩ରେ ୫୧ ଦିନରେ ୬୦ଟି ମ୍ୟାଚ୍ ଖେଳାଯିବାର ଥିବାରୁ ପୂର୍ବରୁ ବିସିସିଆଇ ଓ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଯେଉଁ ଅନୁପାତରେ ରାଜସ୍ୱ ବଣ୍ଟନ କରା ଯାଉଥିଲା; ଏଥର ମଧ୍ୟ ତାହା କରାଯିବ। ପୁଣି ପ୍ରତି ମ୍ୟାଚ୍ରୁ ଫ୍ରାଞ୍ଚାଇଜମାନେ ଟିକଟ ବିକ୍ରିରୁ ଅଢ଼େଇରୁ ୩.୫ କୋଟି ଟଙ୍କା; ଏହିପରି ଏକ ସିଜିନ୍ରେ ପ୍ରତି ଫ୍ରାଞ୍ଚାଇଜ ୨୦ରୁ ୨୫ କୋଟି ଟଙ୍କା ଆୟ କରିଥାଆନ୍ତି। ବିସିସିଆଇ ଦର୍ଶାଇଛି ଯେ ଆଇପିଏଲ୍ ବାତିଲ ହୋଇଥିଲେ ଫ୍ରାଞ୍ଚାଇଜ ଟଙ୍କାଟିଏ ମଧ୍ୟ ପାଇନଥା’ନ୍ତେ। ତେଣୁ ଏଥର ଟିକଟ ଅର୍ଥ କଥା ଭୁଲିଯିବାକୁ ହେବ ବୋଲି ବିସିସିଆଇ କହିଛି। ଖେଳାଳିଙ୍କ ଯାତ୍ରା ଓ ରହଣିର ସମସ୍ତ ଦାୟିତ୍ୱ ସେମାନଙ୍କ ଫ୍ରାଞ୍ଚାଇଜ ନେବେ। ସେମାନେ ହିଁ ବିମାନ ଓ ହୋଟେଲ ବୁକିଂ କରିବେ। ବିସିସିଆଇ କେବଳ ୟୁଏଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ହୋଟେଲ ବୁକିଂରେ କିଛି ରିହାତିର ବ୍ୟବସ୍ଥା କରିପାରିବ। ଫ୍ରାଞ୍ଚାଇଜ ଚାହିଁଲେ ବିସିସିଆଇ କହିଥିବା ହୋଟେଲରେ ରହିପାରିବେ; ଅନ୍ୟଥା ନିଜ ବ୍ୟବସ୍ଥା ନିଜେ କରିବେ। ୟୁଏଇରେ ଆଇପିଏଲ୍-୧୩ ପାଇଁ ବିସିସିଆଇ ଏକ କେନ୍ଦ୍ରୀୟ ଡାକ୍ତରୀ ଦଳ ରଖିବ। ଏହାବାଦ୍ ପ୍ରତି ଫ୍ରାଞ୍ଚାଇଜ ନିଜର ଡାକ୍ତରୀ ଦଳ ରଖିବାକୁ ହେବ। ଖେଳାଳି ୟୁଏଇରେ ପହଞ୍ଚିଲେ ସେମାନଙ୍କ କୋଭିଡ୍-୧୯ ପରୀକ୍ଷାର ଦାୟିତ୍ୱ ଫ୍ରାଞ୍ଚାଇଜଙ୍କର। ତେବେ ବିସିସିଆଇର ଡାକ୍ତରୀ ଦଳ ସହ ସମନ୍ୱୟ ରଖି ସେମାନେ ଏହା କରିବେ। ପ୍ରତି ଫ୍ରାଞ୍ଚାଇଜର ଡାକ୍ତରୀ ଦଳ ସେମାନଙ୍କ ସହ ଏବଂ ଜୈବ ନିରାପତ୍ତା ପରିଧି ମଧ୍ୟରେ ରହିବ। କୌଣସି ଖେଳାଳିଙ୍କ ବଦଳ ଖେଳାଳି ସାମିଲ ହେବା ଏବଂ ଖେଳାଳିଙ୍କୁ ଋଣ ଭିତ୍ତିରେ ନେବା ନିୟମରେ କୌଣସି ପରିବର୍ତ୍ତନ ହେବନାହିଁ। ତେଣୁ ଦଳମାନେ ଅତିରକ୍ତି ଖେଳାଳି ନେଇପାରିବେ।