ବଟ୍‌ଲରଙ୍କ ଶତକ ; ରାଜସ୍ଥାନର ୩ୟ ବିଜୟ

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ତା’ର ୭ମ ମ୍ୟାଚ୍‌ରେ ୩ୟ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍‌ସ। ଓପ୍‌ନର ଜୋସ୍‌ ବଟ୍‌ଲରଙ୍କ ଶତକ ବଳରେ ରବିବାର ପ୍ରଥମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦରାବାଦକୁ ସହଜରେ ୫୫ ରନ୍‌ରେ ରାଜସ୍ଥାନ ପରାସ୍ତ କରିଛି। ବଟ୍‌ଲରଙ୍କ ୧୨୪ ଓ ଅଧିନାୟକ ସଞ୍ଜୁ ସାମ୍‌ସନଙ୍କ ୪୮ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ରୟାଲ୍‌ସ ୩ ୱିକେଟରେ ୨୨୦ ରନ୍‌ କରିଥିଲା। ପରେ ଦୁଇ ଓପ୍‌ନରଙ୍କୁ ଛାଡ଼ି ଅନ୍ୟ ସମସ୍ତେ ବିଫଳ ହେବାରୁ ସନ୍‌ରାଇଜର୍ସ ୮ ୱିକେଟରେ ୧୬୫ ରନ୍ କରି ପାରିଥିଲା। ରାଜସ୍ଥାନ ୭ଟି ମ୍ୟାଚ୍‌ ପରେ ୬ ପଏଣ୍ଟ ପାଇଛି। ଅନ୍ୟପରେ ନେତୃତ୍ବର ପରିବର୍ତ୍ତନ ସନ୍‌ରାଇଜର୍ସ ଭାଗ୍ୟରେ ପରିବର୍ତ୍ତନ ଆଣି ପାରିନାହିଁ। ଡେଭିଡ୍‌ ୱାର୍ଣ୍ଣରଙ୍କ ସ୍ଥାନରେ କେନ୍ ୱିଲିୟମ୍‌ସନ ଅଧିନାୟକ ହୋଇଥିଲେ ମଧ୍ୟ ସନ୍‌ରାଇଜର୍ସ ୭ମ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ଭୋଗି ସର୍ବନିମ୍ନ ସ୍ଥାନରେ ରହିଛି।
ସନ୍‌ରାଇଜର୍ସ ହାଇଦରାବାଦ ଦୃଢ଼ତାର ସହ ୨୨୧ ରନ୍ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଦୁଇ ଓପ୍‌ନର ମନୀଷ ପାଣ୍ଡେ ଓ ଜନି ବେୟାରଷ୍ଟୋ ୬ ଓଭରରେ ୫୭ ରନ୍ ଯୋଡ଼ିଥିଲେ। ପାଣ୍ଡେ ୨୦ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୦ ରନ୍ କରିଥିଲେ। ପରେ ବେୟାରଷ୍ଟୋ ୨୧ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୦ ରନ୍‌କରି ବିଦାୟ ନେଇଥିଲେ। ଏହାପରେ ସନ୍‌ରାଇଜର୍ସ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଦିଗହରା ହୋଇ ଯାଇଥିଲା। କେନ୍ ୱିଲିୟମ୍‌ସନ ୨୧ ବଲ୍‌ରୁ ଗୋଟିଏ ଚୌକା ସହ ୨୦ ରନ୍ କରିଥିଲେ। ବିଜୟ ଶଙ୍କର ୮ ଓ କେଦାର ଯାଦବ ୧୯ ରନ୍‌ କରିଥିଲେ। ମହମ୍ମଦ ନବି ୫ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୭ ରନ୍ କରିଥିଲେ। ଭୁବନେଶ୍ବର କୁମାର ଅପରାଜିତ ୧୪ ରନ୍ କରିଥିଲେ। ଦୁଇ ବିଦେଶୀ ପେସ୍ ବୋଲର ମୁସ୍ତାଫିଜୁର ରେହ୍‌ମାନ ଓ କ୍ରିସ୍ ମରିସ୍ ୩ଟି ଲେଖାଏଁ ୱିକେଟ ନେଇଥିଲେ। ଜୋସ୍ ବଟ୍‌ଲର ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ସନ୍‌ରାଇଜର୍ସ ଫିଲ୍‌ଡିଂ ନେବା ପରେ ରାଜସ୍ଥାନର ଓପ୍‌ନର ଯଶସ୍ବୀ ଜୟସୱାଲ ୧୨ ରନ୍‌କରି ବିଦାୟ ନେଇଥିଲେ। ୨ୟ ୱିକେଟ ପାଇଁ ଓପ୍‌ନର ଜୋସ୍ ବଟ୍‌ଲର ଓ ସଞ୍ଜୁ ସାମ୍‌ସନ ୧୫୦ ରନ୍‌ର ମାରାଥନ୍ ଭାଗିଦାରୀ କରିବାରୁ ରାଜସ୍ଥାନ ୨୨୦ ରନ୍ କରି ପାରିଥିଲା। ସାମ୍‌ସନ ୩୩ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୮ ରନ୍‌ କରିଥିଲେ। ପରେ ରିୟାନ୍ ପରାଗ ଓ ବଟ୍‌ଲର ଦ୍ରୁତ ୪୨ ରନ୍ ଯୋଡ଼ିଥିଲେ। ୧୯ଶ ଓଭରରେ ଆଉଟ ହୋଇଥିବା ବଟ୍‌ଲର ୬୪ ବଲ୍‌ରୁ ୮ଟି ଛକା ଓ ୧୧ଟି ଚୌକା ସହ ୧୨୪ ରନ୍‌ କରିଥିଲେ। ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଏହା ବଟ୍‌ଲରଙ୍କ ପ୍ରଥମ ଶତକ। ପରାଗ ୮ ବଲ୍‌ରୁ ଅପରାଜିତ ୧୫ ରନ୍ କରିଥିଲେ। ଶେଷ ୮ ଓଭରରୁ ନିସ୍ତୁକ ପ୍ରହାରକରି ରାଜସ୍ଥାନ ରୟାଲ୍‌ସ ୧୨୬ ରନ୍ ଯୋଡ଼ିଥିଲେ।

Comments are closed.