ଆଇପିଏଲ ଉପରେ କଳାବାଦଲ ; ଚିନ୍ତାରେ ଧୋନି, ଡିଭିଲିୟର୍ସ

ନୂଆଦିଲ୍ଲୀ : କରୋନା ମହାମାରୀ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣ ଉପରେ କଳାବାଦଲ ଢାଙ୍କିଛି। ରବିବାରଠାରୁ ଆରମ୍ଭ ହେବାକୁ ଥିବା ଆଇପିଏଲ କରୋନା ମହାମାରୀକୁ ଦୃଷ୍ଟିରେ ରଖି ୧୫ ଏପ୍ରିଲ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି। ଭାରତ ସମେତ ବିଶ୍ବରେ କରୋନା ଭାଇରସ୍‌ ଯେଉଁଭଳି ଭାବେ ବ୍ୟାପିବାରେ ଲାଗିଛି ଏଭଳି ସ୍ଥଳେ ଏପ୍ରିଲ ୧୫ ପରେ ଆଇପିଏଲ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏବେ ଆଇପିଏଲ ଆୟୋଜନ ହେବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ଆଇପିଏଲରେ ଭଲ ପ୍ରଦର୍ଶନ କରି ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ ଦଳକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ଭାରତୀୟ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନି ଓ ଦକ୍ଷିଣଆଫ୍ରିକାର ଏ.ବି ଡିଭିଲର୍ସ ପାଇଁ କରୋନା କାଳ ସାଜିବାରେ ଲାଗିଛି।
ଆଇପିଏଲ ବାତିଲ ହେବା ନେଇ ପ୍ରଶଂସକମାନେ ଯେତିକି ବ୍ୟସ୍ତ ବିବ୍ରତ ନୁହଁନ୍ତି ଟିମ୍‌ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନି ତାହାଠାରୁ ବେଶି ଚିନ୍ତିତ। ଆଇପିଏଲ ମାଧ୍ୟମରେ ଧୋନି ଦଳକୁ ଫେରିବା ନେଇ ଲକ୍ଷ୍ୟ ରଖିଛନ୍ତି। ଏଥିରେ ଭଲ ପ୍ରଦର୍ଶନ କରି ଆସନ୍ତା ଅକ୍ଟୋବରରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ଆଇସିସି ବିଶ୍ବକପ ନେଇ ଖେଳାଳିମାନେ ନିଜକୁ ପ୍ରସ୍ତୁତ କରିବାରେ ସହାୟକ ହୋଇଥାନ୍ତା। ଟିମ୍‌ ଇଣ୍ଡିଆ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଭଲ ପ୍ରଦର୍ଶନ କଲେ ଦଳକୁ ଫେରିପାରିବେ ବୋଲି ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ଧୋନି ଆଇପିଏଲକୁ ଶେଷ ଅସ୍ତ୍ର ଭାବେ ଧରି ନେଇଛନ୍ତି। ଦେଢ ମାସ ଧରି ଖେଳାଯିବାକୁ ଥିବା ଆଇପିଏଲରେ ଖେଳାଳିମା​‌େ​‌ନ ଟ୍ବେଣ୍ଟି୨୦ ବିଶ୍ବକପ ଦଳରେ ସ୍ଥାନ ପାଇବାର ଲକ୍ଷ୍ୟ ରଖିଛନ୍ତି। ଏହାଛଡ଼ା ବିଭିନ୍ନ ଦେଶର ମନୋନୟନ କର୍ତ୍ତା ମଧ୍ୟ ଆଇପିଏଲ ଉପରେ ନଜର ରଖିଛନ୍ତି। ଏବେ ଆଇପିଏଲ ବନ୍ଦ ପରିସ୍ଥିତିରେ ପହଞ୍ଚିଥିବାବେଳେ ଖେଳାଳି ଓ ମନୋନୟନକର୍ତ୍ତାଙ୍କୁ ଚିନ୍ତା ବଢାଇଛି। ୨୦୧୯ ବିଶ୍ବକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ଭାରତ ପରାଜିତ ହେବା ପରେ ଧୋନିଙ୍କୁ ଆଉ କ୍ରିକେଟ ପଡ଼ିଆରେ ଦେଖିବାକୁ ମିିଳିନାହିଁ। ଧୋନୀଙ୍କ କ୍ୟାରିୟରକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଆଇପିଏଲ ଉପରେ ସେ ନଜର ରଖିଥିଲେ।
ସେହିପରି ଦକ୍ଷିଣଆଫ୍ରିକାର ମିଷ୍ଟର ୩୬୦ ଡିଗ୍ରୀ ଭାବେ ପରିଚିତ ଏ.ବି ଡିଭିଲିୟର୍ସ ମଧ୍ୟ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ ଉପରେ ନଜର ରଖିଥିଲେ। କ୍ରିକେଟରୁ ଅବସର ଗ୍ରହଣ କରିସାରିଥିବା ଡିଭିଲର୍ସ ପୁନର୍ବାର କ୍ରିକେଟକୁ ଫେରିବା ନେଇ ୨୦୧୯ ବିଶ୍ବକପ ସମୟରେ ଉଦ୍ୟମ କରିଥିଲେ ମଧ୍ୟ ଦକ୍ଷିଣଆଫ୍ରିକା ମନୋନୟନକର୍ତ୍ତା ଅଣଦେଖା କରିଥିଲେ। ଆଇପିଏଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳରେ ରହିଥିବା ଡିଭିଲିୟର୍ସ ଆଇପିଏଲ ଖେଳି ମନୋନୟନକର୍ତ୍ତାଙ୍କୁ ପ୍ରଭାବିତ କରିବା ସହିତ ଅକ୍ଟୋବରରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ ଦଳରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଥିଲେ। ଆଇପିଏଲ ଆଶଙ୍କାରେ ରହିଥିବାବେଳେ ଧୋନି ଓ ଡିଭିଲର୍ସଙ୍କ ଆଶା ମଧ୍ୟ ଶେଷ ହେବାକୁ ଯାଉଛି ବୋଲି କ୍ରିକେଟ ସମୀକ୍ଷକମାନେ ମତ ନେଇଛନ୍ତି।

Comments are closed.