ସ୍ମିଥ୍‍-ସାମ୍‍ସନଙ୍କ ପ୍ରହାରରେ ଚେନ୍ନଇକୁ ହରାଇଲା ରାଜସ୍ଥାନ

ଶାରଜା : ଚଳିତ ଆଇପିଏଲ୍‍ର ୪ର୍ଥ ମ୍ୟାଚରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‍ସ। ମଙ୍ଗଳବାର ଖେଳା ଯାଇଥିବା ମ୍ୟାଚରେ ୧୬ ରନରେ ଚେନ୍ନଇ ସୁପର କିଙ୍ଗ୍‍ସକୁ ରାଜସ୍ଥାନ ପରାସ୍ତ କରିଛି। ଚଳିତ ସଂସ୍କରଣରେ ପ୍ରଥମ ୨ ଶହରୁ ଅଧିକ ସ୍କୋର୍‍ ଏବଂ ଅଦ୍ୟାବଧି ସର୍ବାଧିକ ସ୍କୋର୍‍ ଦେଖିବାକୁ ମିଳିଛି। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍‍ସର ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ ଓ ସଞ୍ଜୁ ସାମ୍‍ସନ ସେମାନଙ୍କ ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସ୍ମିଥ୍‍ ଓ ସାମ୍‍ସନଙ୍କ ବାଉଣ୍ଡରୀ ବର୍ଷା ଫଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ରୟାଲ୍‍ସ ୭ ୱିକେଟରେ ୨୧୬ ରନ୍‍ କରି ପାରିଥିଲା। ପରେ କ୍ରମାଗତ ୨ୟ ମ୍ୟାଚ୍‍ରେ ଫାଫ୍‍ ଡୁ ପ୍ଲେସିଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୩ ଥରର ଚମ୍ପିଆନ୍‍ ଚେନ୍ନଇ ସୁପର କିଙ୍ଗ୍‍ସ ୬ ୱିକେଟରେ ୨୦୦ ରନ୍‍ କରି ପାରିଥିଲା।
ଟସ୍‍ ଜିତି ଚେନ୍ନଇ ସୁପର କିଙ୍ଗ୍‍ସ ଫିଲ୍‍ଡିଂ ନେଇଥିଲା। ଆଇପିଏଲରେ ପଦାର୍ପଣ କରିଥିବା ୧୮ ବର୍ଷ ବୟସ୍କ ଯଶସ୍ୱୀ ଜୟସୱାଲ ୬ ରନ୍‍କରି ଆଉଟ୍‍ ହୋଇ ଯାଇଥିଲେ। ସଞ୍ଜୁ ସାମ୍‍ସନ୍‍ କ୍ରିଜ୍‍କୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଷ୍ଟିଭେନ୍‍ ସ୍ମିଥ୍‍ ମଧ୍ୟ ରନ୍‍ଭୋଜିରେ ମାତିଥିଲେ। ଫଳରେ ୪ ଓଭରରେ ୨୬ ରନ୍‍ କରିଥିବା ରାଜସ୍ଥାନ ରୟାଲ୍‍ସ ପରବର୍ତ୍ତୀ ୭ ଓଭରରୁ ୧୦୩ ରନ୍‍ ନେଇ ପାରିଥିଲା। ପାୱରପ୍ଲେରେ ୫୪ ରନ୍‍ କରିଥିବା ରାଜସ୍ଥାନ ୯ ଓଭରରେ ୧୦୦ ରନ୍‍ରେ ପହଞ୍ଚି ପାରିଥିଲା। ବିଶେଷକରି ସ୍ପିନରଙ୍କ ବିରୋଧରେ ଆକ୍ରମଣାତ୍କ ବ୍ୟାଟିଂ କରିଥିବା କେରଳର ସଞ୍ଜୁ ସାମ୍‍ସନ ଓ ଅଷ୍ଟ୍ରେଲିଆର ସ୍ମିଥ୍‍ ୨ୟ ୱିକେଟ ପାଇଁ ୧୨୧ ରନ୍‍ର ବିସ୍ଫୋରକ ଭାଗିଦାରୀ କରିଥିଲେ। ମାତ୍ର ୧୯ ରନ୍‍ରେ ସାମ୍‍ସନ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୨ଶ ଓଭରରେ ଆଉଟ ହୋଇଥିବା ସାମ୍‍ସନ ୩୨ ବଲ୍‍ରୁ ୯ଟି ଛକା ଓ ଗୋଟିଏ ଚୌକା ସହ ୭୪ ରନ୍‍କରି ବିଦାୟ ନେଇଥିଲେ। ଏହାର ୨ଟି ବଲ୍‍ ପରେ ବାମହାତି ଡେଭିଡ୍‍ ମିଲର ରନ୍‍ଆଉଟ ହୋଇ ଯାଇଥିଲେ। ରବିନ୍‍ ଉଥପ୍ପା ମାତ୍ର ୫ ରନ୍‍ କରି ପାରିଥିଲେ। ୩୫ ବଲ୍‍ରେ ସ୍ମିଥ୍‍ ଅର୍ଦ୍ଧଶତକ ପୂରଣ କରିଥିଲେ। ସାମ୍‍ କରନ୍‍ଙ୍କ ଗୋଟିଏ ଓଭରରେ ଆଉଟ ହୋଇଥିବା ରାହୁଲ ତିୱତିଆ ୧୦ ଓ ରିୟାନ୍‍ ପରାଗ ୬ ରନ୍‍ କରିଥିଲେ। ସ୍ମିଥ୍‍ ୪୭ ବଲ୍‍ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୬୯ ରନ୍‍ କରିଥିଲେ। ଲୁଙ୍ଗି ଏନ୍‍ଗିଡ଼ି ବୋଲିଂ କରିଥିବା ଶେଷ ଓଭରରେ ଜୋଫ୍ରା ଆର୍ଚର କ୍ରମାଗତ ୪ଟି ଛକା ମାରିବାରୁ ଏହି ଓଭରରୁ ୩୦ ରନ୍‍ ଆସିଥିଲା। ଆର୍ଚର ୮ ବଲ୍‍ରୁ ୨୭ ରନ୍‍କରି ଅପରାଜିତ ଥିଲେ। ସାମ୍‍ କରନ୍‍ ୩ଟି ୱିକେଟ ପାଇଥିଲେ। ରାଜସ୍ଥାନ ଇନିଂସରେ ୧୭ଟି ଛକା ଦେଖିବାକୁ ମିଳିଥିଲା।
୨୧୭ ରନ୍‍ ଲକ୍ଷ୍ୟରେ ଚେନ୍ନଇ ଦୃଢ଼ତାର ସହ ଇନିଂସ ଆରମ୍ଭ କରିଥିଲା। ଏହାର ଓପ୍‍ନର ୫୬ ରନ୍‍ର ଭାଗିଦାରୀ କରିଥିଲେ। ପରେ ୨୧ ରନ୍‍ରେ ୪ଟି ୱିକେଟ ପଡ଼ିଥିଲା। ସେନ୍‍ ୱାଟ୍‍ସନ ୨୧ ବଲ୍‍ର ୪ଟି ଛକା ଓ ଗୋଟିଏ ଚୌକା ସହ ୩୩ ରନ୍‍ କରିଥିଲେ। ଅନ୍ୟ ଓପ୍‍ନର ମୁରଲୀ ବିଜୟ ୨୧ ବଲ୍‍ରୁ ୨୧ ରନ୍‍କରି ଆଉଟ ହୋଇଥିଲେ। ପିଞ୍ଚ୍‍ ହିଟର ଭାବେ ଆସିଥିବା ସାମ୍‍ କରନ୍‍ ୬ ବଲ୍‍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୭ ରନ୍‍ କରିଥିଲେ। କରୋନାରୁ ସୁସ୍ଥହୋଇ ଏହି ମ୍ୟାଚ୍‍ ଖେଳିଥିବା ଋତୁରାଜ ଗାଏକ୍‍ୱାଡ୍‍ ପ୍ରଥମ ବଲ୍‍ରେ ଆଉଟ ହୋଇଥିଲେ। କେଦାର ଯାଦବ ୧୮ ବଲ୍‍ରୁ ୩ଟି ଚୌକା ସହ ୨୨ ରନ୍‍କରି ଆଉଟ ହେବା ବେଳକୁ ଚେନ୍ନଇ ୩୮ ବଲ୍‍ରୁ ୧୦୩ ରନ୍‍ ଆବଶ୍ୟକ କରୁଥିଲା। ପରେ ଫାଫ୍‍ ଡୁ ପ୍ଲେସି ଗିଅର ବଦଳାଇ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଡୁ ପ୍ଲେସି ୩୭ ବଲ୍‍ରୁ ୭ଟି ଛକା ଓ ଗୋଟିଏ ଚୌକା ସହ ୭୨ ରନ୍‍ କରିଥିଲେ। ଚେନ୍ନଇର ପରାଜୟ ନିଶ୍ଚିତ ହେବା ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ରମାଗତ ୩ଟି ଛକା ମାରିଥିଲେ। ଧୋନି ୧୭ ବଲ୍‍ରୁ ୩ଟି ଛକା ସହ ୨୯ ରନ୍‍ କରିଥିଲେ। ରାହୁଲ ତିୱାତିଆ ୩ଟି ୱିକେଟ ନେଇଥିଲେ।

Comments are closed.