ରାଜସ୍ଥାନର ବିଜୟଧାରା ଭାଙ୍ଗିଲା କେକେଆର୍‍

ଦୁବାଇ : ଚଳିତ ଆଇପିଏଲ୍‍ରେ ରାଜସ୍ଥାନ ରୟାଲ୍‍ସର ବିଜୟଧାରା ଭାଙ୍ଗିପାରିଛି କଲକାତା ନାଇଟ୍‍ ରାଇଡର୍ସ (କେକେଆର୍‍)। ବୁଧବାର ଖେଳା ଯାଇଥିିବା ମ୍ୟାଚ୍‍ରେ ରାଜସ୍ଥାନକୁ ୩୭ ରନ୍‍ରେ ପରାସ୍ତ କରିଛି କେକେଆର୍‍। ଶୁବ୍‍ମାନ୍‍ ଗିଲ୍‍ ଓ ଇଓନ୍‍ ମୋର୍ଗାନ୍‍ଙ୍କ ଉପଯୋଗୀ ଇନିଂସ ବଳରେ କେକେଆର୍‍ ପ୍ରଥମେ ବ୍ୟାଟିଂକରି ୬ ୱିକେଟରେ ୧୭୪ ରନ୍‍ର ସ୍କୋର୍‍ ଛିଡ଼ା କରିଥିଲା। ୩ ଦିନ ତଳେ ଆଇପିଏଲ୍‍ ରେକର୍ଡ ୨୨୪ ରନ୍‍ର ପିଛାକରି ବିଜୟୀ ହୋଇଥିବା ରାଜସ୍ଥାନ ରୟାଲ୍‍ସର ବ୍ୟାଟିଂକୁ କଲକାତାର ବୋଲର ଧ୍ୱସ୍ତ କରିଥିଲେ। ୪୨ ରନ୍‍ରେ ରାଜସ୍ଥାନ ୫ଟି ୱିକେଟ ହରାଇବା ପରେ ଏହାର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ରାଜସ୍ଥାନ ୯ ୱିକେଟରେ ୧୩୭ ରନ୍‍ କରି ପାରିଥିଲା। ରାଜସ୍ଥାନ ରୟାଲ୍‍ସ ୩ୟ ମ୍ୟାଚ୍‍ରେ ପ୍ରଥମ ପରାଜୟ ଭୋଗିଥିବା ବେଳେ କେକେଆର୍‍ ୩ୟ ମ୍ୟାଚ୍‍ରେ ୨ୟ ବିଜୟ ହାସଲ କରିଛି।
ଟସ୍‍ ଜିତି ରାଜସ୍ଥାନ ରୟାଲ୍‍ସ ଫିଲ୍‍ଡିଂ ନେଇଥିଲା। ଆରମ୍ଭରୁ କଲକାତା ନାଇଟ୍‍ ରାଇଡର୍ସର ଓପ୍‍ନର ସୁନୀଲ ନାରାୟଣଙ୍କ ସହଜ କ୍ୟାଚ୍‍ ରବିନ୍‍ ଉଥପ୍ପା ଛାଡ଼ିଥିଲେ। ପରେ ୨ଟି ବାଉଣ୍ଡରୀ ମାରିବା ପରେ ନାରାୟଣ ଆଉଟ ହୋଇ ଯାଇଥିଲେ। ନାରାୟଣ ୧୪ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୫ ରନ୍‍ କରିଥିଲେ। ୬ ଓଭରର ପାୱରପ୍ଲେରେ କେକେଆର୍‍ ୪୨ ରନ୍‍ କରିଥିଲା। ଓପ୍‍ନର ଶୁବ୍‍ମାନ ଗିଲ୍‍ ଆକର୍ଷଣୀୟ ବ୍ୟାଟିଂ କରିଥିଲେ ଏବଂ ନୀତୀଶ ରାଣା ଚାଙ୍କୁ ଉପଯୁକ୍ତ ସହାୟତା ଦେଇଥିଲେ। ୨ୟ ୱିକେଟ ପାଇଁ ଦୁହେଁ ୪୬ ରନ୍‍ ଯୋଗ କରିଥିଲେ। ବାମହାତି ରାଣା ୧୭ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୨ ରନ୍‍ କରିଥିଲେ। ଶୁବ୍‍ମାନ ଗିଲ୍‍ ୩୪ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୭ ରନ୍‍ର ଦର୍ଶନୀୟ ଇନିଂସ ଖେଳିଥିଲେ। ୧୩ଶ ଓଭରରେ କେକେଆର୍‍ ଶହେ ରନ୍‍ ପାର କରିଥିଲା। ପରବର୍ତ୍ତୀ ଓଭରରେ ଅଧିନାୟକ ଦିନେଶ କାର୍ତ୍ତିକ ୧ ରନ୍‍କରି ଆଉଟ ହୋଇ ଯାଇଥିଲେ। ଏହି ମ୍ୟାଚ୍‍ରେ ବିସ୍ଫୋରକ ବ୍ୟାଟ୍‍ସମ୍ୟାନ ଆନ୍ଦ୍ରେ ରସେଲଙ୍କୁ ୪ନଂରେ ବ୍ୟାଟିଂ ପଠାଇଥିଲା କଲକାତା। ରସେଲ୍‍ ୩ଟି ବିଶାଳ ଛକା ମାରିଥିଲେ ହେଁ ବେଶି ସମୟ କ୍ରିଜ୍‍ରେ ରହି ପାରିନଥିଲେ। ରସେଲ୍‍ ୧୪ ବଲ୍‍ରୁ ୨୪ ରନ୍‍ କରିଥିଲେ। ପ୍ୟାଟ୍‍ କମିନ୍‍ସ ୧୨ ରନ୍‍ କରିଥିଲେ। ଇଓନ୍‍ ମୋର୍ଗାନ୍‍ ୨୩ ବଲ୍‍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୩୪ ରନ୍‍ କରି ଅପରାଜିତ ଥିଲେ। ଜୋଫ୍ରା ଆର୍ଚର ୪ ଓଭରରୁ ମାତ୍ର ୧୮ ରନ୍‍ଦେଇ ୨ଟି ୱିକେଟ ନେଇଥିଲେ।
୧୭୫ ରନ୍‍ ଲକ୍ଷ୍ୟରେ ରାଜସ୍ଥାନ ରୟାଲ୍‍ସ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ଗତ ୨ଟିଯାକ ମ୍ୟାଚ୍‍ରେ ରାଜସ୍ଥାନର ବ୍ୟାଟିଂ ହିରୋ ସାଜିଥିବା ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ ଓ ସଞ୍ଜୁ ସାମ୍‍ସନ ବେପରୁଆ ସଟ୍‍ ଖେଳି ସହଳ ଆଉଟ ହୋଇଥିଲେ। ସ୍ମିଥ୍‍ ୩ ଓ ସାମ୍‍ସନ ୮ ରନ୍‍ କରିଥିଲେ। ରାଜସ୍ଥାନର ମ୍ୟାଚ୍‍ ବିଜେତା ବ୍ୟାଟ୍‍ସମ୍ୟାନ୍‍ ଜୋସ୍‍ ବଟ୍‍ଲର ୧୬ ବଲ୍‍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୧ ରନ୍‍ କରିଥିଲେ। ପରେ ଯୁବ ଫାଷ୍ଟବୋଲର କମଳେଶ ନାଗରକୋଟି ତାଙ୍କ ପ୍ରଥମ ଓଭରରେ ୨ଟି ୱିକେଟ ନେଇଥିଲେ। ୮୮ ରନ୍‍ରେ ୮ଟି ୱିକେଟ ପଡ଼ିଯିବା ପରେ ରାଜସ୍ଥାନର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ଶିବମ୍‍ ମାଭି, ବରୁଣ ଚକ୍ରବର୍ତ୍ତୀ ଓ କମଳେଶ ନାଗରକୋଟି ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.