ରାହୁଲ, ମୟଙ୍କ କିଙ୍ଗ୍‌ସ ଏକାଦଶକୁ ଜିତାଇଲେ

ମୋହାଲି: ସୋମବାର ଆଇପିଏଲ୍‌ ମ୍ୟାଚ୍‌ରେ ବିଜୟୀ ହୋଇଛି କିଙ୍ଗ୍‌ସ ଏକାଦଶ ପଞ୍ଜାବ। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦରାବାଦକୁ ୬ ୱିକେଟରେ ପଞ୍ଜାବ ପରାସ୍ତ କରିଛି। ଡେଭିଡ୍ ୱାର୍ଣ୍ଣରଙ୍କ ଧୈର୍ୟ୍ୟପୂର୍ଣ୍ଣ ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ସନ୍‌ରାଇଜର୍ସ ୪ ୱିିକେଟରେ ୧୫୦ ରନ୍ କରିଥିଲା। ପରେ କେ.ଏଲ୍‌. ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ଅର୍ଦ୍ଧଶତକ ବଳରେ ଗୋଟିଏ ବଲ୍‌ ବାକିଥାଇ ୪ ୱିକେଟ ହରାଇ ପଞ୍ଜାବ ଜିତିଥିଲା। ୬ଷ୍ଠ ମ୍ୟାଚ୍‌ରେ ଏହା ପଞ୍ଜାବର ୪ର୍ଥ ବିଜୟ। ଅନ୍ୟପକ୍ଷରେ ୬ଷ୍ଠ ମ୍ୟାଚ୍‌ରେ ୩ୟ ପରାଜୟ ଭୋଗିଛି ସନ୍‌ରାଇଜର୍ସ ହାଇଦରାବାଦ।
୧୫୧ ରନ୍ ଲକ୍ଷ୍ୟରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଓପ୍‌ନିଂ ଯୋଡ଼ି ୧୮ ରନ୍ କରିବା ପରେ କ୍ରିସ୍ ଗେଲ୍‌ ୧୬ ରନ୍‌କରି ଆଉଟ ହୋଇଥିଲେ। ପରେ କେ.ଏଲ୍‌. ରାହୁଲ ଓ ମୟଙ୍କ ଅଗ୍ରୱାଲ ସ୍କୋର୍‌କୁ ଆଗେଇ ନେଇଥିଲେ। କର୍ଣ୍ଣାଟକର ଏହି ଦୁଇ ଖେଳାଳି ଆବଶ୍ୟକ ରନ୍‌ହାରଠାରୁ ଅଧିକ ଗତିରେ ସ୍କୋର୍ କରି ପାରିଥିଲେ। ଶେଷ ୫ ଓଭରରୁ କିଙ୍ଗ୍‌ସ ଏକାଦଶ ୪୦ ରନ୍ ଆବଶ୍ୟକ କରୁଥିଲା। ୧୬ଶ ଓଭରରେ ମୟଙ୍କ ଅଗ୍ରୱାଲ ୪୦ ରନ୍ କରିଥିବା ବେଳେ ୟୁସୁଫ୍ ପଠାନ୍ ତାଙ୍କର ଏକ ସହଜ କ୍ୟାଚ୍ ଛାଡ଼ି ଦେଇଥିଲେ। ଏହାର ଫାଇଦା ଉଠାଇ ରାହୁଲଙ୍କ ପରେ ମୟଙ୍କ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ୩ ଓଭରରେ ୧୯ ରନ୍ ଆବଶ୍ୟକ ଥିବା ‌ବେଳେ ମୟଙ୍କ ଆଉଟ ହୋଇ ଯାଇଥିଲେ। ୧୪ ଓଭରରେ ରାହୁଲଙ୍କ ସହ ମୟଙ୍କ ୧୧୪ ରନ୍ ଯୋଗ କରିଥିଲେ। ମୟଙ୍କ ଅଗ୍ରୱାଲ ୪୩ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୫୫ ରନ୍‌ କରିଥିଲେ। ଡେଭିଡ୍ ମିଲର ୧ ଓ ମନଦୀପ ସିଂହ ୨ ରନ୍‌କରି ଆଉଟ ହୋଇଥିବା ବେଳେ ଶେଷ ଓଭରରୁ ୧୧ ରନ୍ ଆବଶ୍ୟକ ଥିଲା। ମହମ୍ମଦ ନବି ବୋଲିଂ କରିଥିବା ଏହି ଓଭରର ୫ମ ବଲ୍‌ରେ ପଞ୍ଜାବ ବିଜୟୀ ରନ୍ ନେଇ ପାରିଥିଲା। ରାହୁଲ ୫୩ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୭୧ ରନ୍‌କରି ଅପରାଜିତ ରହିଥିଲେ। କେ.ଏଲ୍‌. ରାହୁଲ ପ୍ଲେୟର ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ।
କିଙ୍ଗ୍‌ସ ଏକାଦଶ ପଞ୍ଜାବ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଫର୍ମରେ ଥିବା ସନ୍‌ରାଇଜର୍ସର ଓପ୍‌ନର ଜନି ବେୟାର୍‌ଷ୍ଟୋ (୧) ଜଲ୍‌ଦି ଆଉଟ ହୋଇ ଯାଇଥିଲେ। ପରେ ଡେଭିଡ୍ ୱାର୍ଣ୍ଣର ଓ ବିଜୟ ଶଙ୍କର ୯ ଓଭର ବ୍ୟାଟିଂ କରିଥିଲେ ହେଁ ମାତ୍ର ୪୮ ରନ୍ ଯୋଗ କରି ପାରିଥିଲେ। ଶଙ୍କର ୨୭ ବଲ୍‌ରୁ ୨ଟି ଚୌକା ସହ ୨୬ ରନ୍ କରିଥିଲେ। ପରେ ମହମ୍ମଦ ନବି ୭ ବଲ୍‌ରୁ ୧୨ ରନ୍‌କରି ଆଉଟ ହୋଇ ଯାଇଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ଡେଭିଡ୍ ୱାର୍ଣ୍ଣର ଜଗିରଖି ଖେଳି ୧୬ଶ ଓଭରରେ ଅର୍ଦ୍ଧଶତକ ପୂରଣ କରିଥିଲେ। ପରେ ଅବଶ୍ୟ ସେ କିଛି ଦର୍ଶନୀୟ ସଟ୍ ଖେଳିଥିଲେ। ୧୫ ଓଭରରେ ସନ୍‌ରାଇଜର୍ସ ୯୨ ରନ୍ କରିଥିବା ବେଳେ ଶେଷ ୫ ଓଭରରେ ୫୮ ରନ୍ କରିବାରୁ ଏହା ଏକ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚି ପାରିଥିଲା। ୱାର୍ଣ୍ଣରଙ୍କ ସହ ୪ର୍ଥ ୱିକେଟ ପାଇଁ ୩୫ ବଲ୍‌ରୁ ୫୫ ରନ୍ ଯୋଡ଼ିଥିବା ମନୀଷ ପାଣ୍ଡେ ୧୫ ବଲ୍‌ରୁ ୨ଟି ଚୌକା ସହ ୧୯ ରନ୍‌କରି ଶେଷ ଓଭରରେ ଆଉଟ ହୋଇଥିଲେ। ୱାର୍ଣ୍ଣର ୬୨ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୭୦ ରନ୍‌କରି ଅପରାଜିତ ଥିଲେ। ସେ ସମ୍ମୁଖୀନ ହୋଇଥିବା ଶେଷ ୩ଟି ବଲ୍‌ରୁ ୨ଟି ଚୌକା ଓ ଗୋଟିଏ ଛକା ସହ ୧୪ ରନ୍‌କରି ଦୀପକ ହୁଡା ଅପରାଜିତ ଥିଲେ।

Comments are closed.