ଆଇଏନ୍‍ଏକ୍ସ ମିଡିଆ ମାମଲା – ଚିଦାମ୍ବରମ୍‍ଙ୍କୁ ଗିରଫ୍‍ ପ୍ରସଙ୍ଗରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଆଇଏନ୍‍ଏକ୍ସ ମିଡିଆ କଳାଧନ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମ୍‍ଙ୍କୁ ଗିରଫ୍‍ କରିବା ପାଇଁ ଅନୁମତି ଲୋଡ଼ି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦିଲ୍ଲୀର ଏକ ଅଦାଲତରେ ଦାଖଲ କରାଯାଇଥିବା ଆବେଦନ ଉପରେ ରାୟ ମଙ୍ଗଳବାର ପାଇଁ ସଂରକ୍ଷିତ ରଖାଯାଇଛି। ତାଙ୍କୁ ହାଜର ପାଇଁ ପରୱାନା ଜାରି କରିବା ସକାଶେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗତ ଶୁକ୍ରବାର ଦିନ ଆବେଦନ କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସଲିସିଟର ଜେନେରାଲ୍‍ ତୁଷାର ମେହେଟ୍ଟା ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହରଙ୍କ ଆଗରେ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଯେ ହାଜତରେ ରଖି ଚିଦାମ୍ବରମ୍‍ଙ୍କୁ ଜେରା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଆବଶ୍ୟକ ଥିବା ଦର୍ଶାଇ ତାଙ୍କୁ ଗିରଫ୍‍ କରିବା ପାଇଁ ଅନୁମତି ଦିଆଯାଉ।

ଚିଦାମ୍ବରମ୍‍ଙ୍କ ବରିଷ୍ଠ ଓକିଲ କପିଲ ଶିବଲ ଏହା ବିରୁଦ୍ଧରେ ଯୁକ୍ତି ଉପସ୍ଥାପନ କରି କହିଥିଲେ, ସି.ବି.ଆଇ. ପକ୍ଷରୁ ତାଙ୍କୁ ହାଜତରେ ନିଆଯାଇ ସାରିଛି। ତେଣୁ ସେହି ଗୋଟିଏ ଅଭିଯୋଗ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣିଥରେ ହାଜତକୁ ନେଇ ପାରିବ ନାହିଁ। ଚିଦାମ୍ବରମ୍‍ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ଅଛନ୍ତି।

Comments are closed.