ପୁଣି ନିମନ୍ତ୍ରଣ କିନ୍ତୁ ସର୍ତ୍ତ ‘ଏମଏସପି ସମ୍ପର୍କିତ ନୂଆ ଦାବି ଗ୍ରହଣୀୟ ନୁହେଁ’

କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନର ଆଜି ହେଉଛି ୨୯ ତମ ଦିନ। ଆଜି ସରକାରଙ୍କ ପକ୍ଷରୁ ଅନ୍ୟ ଏକ ଚିଠି ଲେଖି ଚାଷୀଙ୍କୁ ଆଲୋଚନା ପାଇଁ ଦିନ ଏବଂ ସମୟ ସ୍ଥିର କରିବାକୁ ନିବେଦନ କରାଯାଇଛି। ଚିଠିରେ ଲେଖାଯାଇଛି ଯେ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ସରକାର ଗମ୍ଭୀର। ଏଥି ସହିତ ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସର୍ବନିମ୍ନ ସହାୟତା ମୂଲ୍ୟ ସହ ଜଡିତ କୌଣସି ନୂଆ ଦାବି ଗ୍ରହଣୀୟ ନୁହେଁ। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ବୁଧବାର କୃଷକମାନେ ସରକାରଙ୍କ ପୂର୍ବ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେମାନେ କହିଥିଲେ ଯେ ସରକାରଙ୍କ ପ୍ରସ୍ତାବରେ କୌଣସି ଦମ ନାହିଁ।

ଅନ୍ୟ ପକ୍ଷରେ ହରିୟାଣା, ପଞ୍ଜାବ ସମେତ ଅନେକ ରାଜ୍ୟରୁ କୃଷକମାନେ ଦିଲ୍ଲୀରେ ପହଂଚିବାରେ ଲାଗିଛନ୍ତି। ଡିସେମ୍ବର ୨୬ରେ ପଞ୍ଜାବରୁ ୧୫ ହଜାର ଓ ଡିସେମ୍ବର ୨୭ରେ ହରିୟାଣାରୁ ୧୫ ହଜାର କୃଷକ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି।

ଆନ୍ଦୋଳନକାରୀ ଚାଷୀଙ୍କୁ କେନ୍ଦ୍ର ସରକାର ଆଉ ଏକ ଚିଠି ଲେଖିଛନ୍ତି। ଚିଠିରେ କୃଷକମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ତାରିଖ ଓ ସମୟ ସ୍ଥିର କରିବାକୁ କୁହାଯାଇଛି। ଏହା ପୂର୍ବରୁ ଡିସେମ୍ବର ୨୦ରେ ସରକାର କୃଷକ ନେତାମାନଙ୍କୁ ଏକ ଚିଠି ଲେଖି ଆଲୋଚନା ପାଇଁ ସମୟ ସ୍ଥିର କରିବାକୁ କହିଥିଲେ ଯାହା ବୁଧବାର ଦିନ କୃଷକମାନେ ପ୍ରତ୍ୟାଖ୍ୟାନ କରିଥିଲେ। ୫ ଦିନରେ ସରକାର ୨ ଥର କୃଷକମାନଙ୍କୁ ନିମନ୍ତ୍ରଣ କରିସାରିଲେଣି।

ଇତି ମଧ୍ୟରେ କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିବେକ ଅଗ୍ରୱାଲ ଡିସେମ୍ବର ୨୦ରେ କୃଷକ ନେତା ଡଃ ଦର୍ଶନ ପାଲଙ୍କୁ ଏକ ପ୍ରସ୍ତାବ ପଠାଇଥିଲେ ଯାହାର ଜବାବ ମଧ୍ୟ ସମ୍ପୃକ୍ତ ଅଧିକାରୀଙ୍କ ଇମେଲକୁ ପଠାଯାଇଛି। ଏଥିରେ କୃଷକମାନେ ଲେଖିଛନ୍ତି – ଆପଣ ପଚାରିଛନ୍ତି ଯେ ଆମର ପୂର୍ବ ଚିଠି ହେଉଛି ଜଣେ ବ୍ୟକ୍ତି କିମ୍ବା ସମସ୍ତ ସଂସ୍ଥାର ମତ? ଏହାର ଉତ୍ତର ଥିଲା, ପ୍ରଶ୍ନ କରିବା ସରକାରଙ୍କ କାମ ନୁହେଁ। ତୁମର ଚିଠି ମଧ୍ୟ ଏହି ଆନ୍ଦୋଳନକୁ ଅସମ୍ମାନ କରିବାର ପ୍ରୟାସ ଥିଲା।

Comments are closed.