ଜୀବନ ଯନ୍ତ୍ରଣାର ନିଚ୍ଛକ ପ୍ରତିଛବି ‘ପ୍ରମୋଦିନୀ’

ଅନେକ ଚର୍ଚ୍ଚିତ ଘଟଣାବହୁଳ କାହାଣୀକୁ ନେଇ ପୂର୍ବରୁ ବହୁ ଚଳଚ୍ଚିତ୍ର ନିର୍ମାଣ ହୋଇଛି। କିନ୍ତୁ ଜୀବନ ଯନ୍ତ୍ରଣାର ଏକ ନିଚ୍ଛକ କାହାଣୀକୁ ନେଇ ଯେତେବେଳେ ଚଳଚ୍ଚିତ୍ରଟିଏ ପ୍ରସ୍ତୁତ କରାଯାଏ, ତାହା ଜନମାନସକୁ ଆନ୍ଦୋଳିତ କରିଥାଏ। ଭାରତରେ ପ୍ରତି ସପ୍ତାହରେ ବହୁ ଚଳଚ୍ଚିତ୍ର ପରଦା ଉପରକୁ ଆସେ; ମାତ୍ର ଜାନୁଆରୀ ୧୦ରେ ଦେଶବ୍ୟାପୀ ପ୍ରେକ୍ଷାଳୟଗୁଡିକରେ ମୁକ୍ତିଲାଭ କରିଥିବା ହିନ୍ଦି ଚଳଚ୍ଚିତ୍ର ‘ଛପାକ’ ମାନବୀୟ ନୃସଂଶତାର ସବୁଠାରୁ ଘୃଣିତ ସ୍ବରୂପକୁ ପୁନଃ ସ୍ମରଣ କରାଇଦେଇଛି। ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଫେରାଇନେଇଛି ସେହି ଅତୀତକୁ ଯେତେବେଳେ କିଛି ପୈଶାଚିକ ପ୍ରବୃତ୍ତିର ଲୋକ ଏକତରଫା ପ୍ରେମରେ ତିରସ୍କୃତ ହେବାର ଗ୍ଲାନି ସହି ନ ପାରି କଳ୍ପନାତିତ ଭିନ୍ନ ଏକ ଅପରାଧକୁ ଜନ୍ମ ଦେଉଥିଲେ।

ଯେଉଁ ନାରୀର ସୌନ୍ଦର୍ୟ୍ୟକୁ ସେମାନେ ନିଜର କରିବାର ପ୍ରୟାସ କରି ବିଫଳ ହୋଇଥିଲେ ତାକୁ ଚିରଦିନ କୁରୁପ କରିବାର ନୃସଂଶ ଉଦ୍ଦେଶ୍ୟ ନେଇ ଘଟାଇଥିଲେ ‘ଏସିଡ ଆକ୍ରମଣ’। ଏହି ଆକ୍ରମଣରେ କେହି ଆହତ ହୋଇଛି ତ ଆଉ କେହି ଗୁରୁତର ଭାବେ ଜଳି ଯାଇଛି। କିଛି ପୀଡ଼ିତାଙ୍କର ମୃତ୍ୟୁ ମଧ୍ୟ ଘଟିଛି। ଯେଉଁମାନେ ଜୀବିତ ରହିଯାଇଛନ୍ତି ସେମାନଙ୍କ କୋମଳ ଶରୀରର ଲୌହକୁ ନିମିଷକେ ତରଳାଇ ଦେବାର କ୍ଷମତା ରଖୁଥିବା ଏହି ଏସିଡ ମାଡ଼ରେ ଯେଭଳି ବିଭତ୍ସ ହୋଇଛି ତାହାକୁ ସ୍ବଚକ୍ଷୁରେ ଦେଖିବା ଲାଗି ଯେ କାହାରିକୁ ଅସୀମ ଧୈର୍ୟ୍ୟ ଆବଶ୍ୟକ। ଏମିତିରେ ଏଭଳି ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାଙ୍କ ପାଇଁ ଜୀବନ କିଭଳି ଦୁର୍ବିସହ ହୋଇଥିବ ତାହା ସହଜେ ଅନୁମେୟ। ଏସିଡ ଆକ୍ରମଣର ଅସହ୍ୟ ଯନ୍ତ୍ରଣା ଏବଂ ତା’ ପରେପରେ ଜୀବନ ଜିଇଁବାର ସଂଘର୍ଷ କେତେକ କ୍ଷେତ୍ରରେ ଜୀବନ ପ୍ରତି ପୀଡ଼ିତାଙ୍କର ମୋହ ତୁଟାଇଥାଏ। ଲୋକଲଜ୍ଜା କାରଣରୁ ସେମାନେ ଘରୁ ବାହାରକୁ ବାହାରି ପାରନ୍ତି ନାହିଁ। ଚାରି କାନ୍ଥର ଅନ୍ଧକାରରେ ଲୁଚି ଯାଏ ସେମାନଙ୍କ ଭାଗ୍ୟ ଭବିଷ୍ୟତ। କିନ୍ତୁ ଏବେ ସମୟ ବଦଳିଛି। ଏସିଡ ଆକ୍ରମଣ ପୀଡ଼ିତା ଆତ୍ମନିର୍ଭରଶୀଳ ହେବା ସହିତ ଏଭଳି ଲୋମହର୍ଷଣକାରୀ ଅପରାଧ ସମ୍ବନ୍ଧରେ ସମାଜରେ ସଚେତନତା ସୃଷ୍ଟି କରୁଛନ୍ତି।

ଏସିଡ ଆକ୍ରମଣର ଶିକାର ହୋଇଥିବା ଉତ୍ତରପ୍ରଦେଶର ଲକ୍ଷ୍ମୀ ଅଗ୍ରୱାଲଙ୍କ ପାଇଁ ସାମାଜିକ କର୍ମୀ ଆଲୋକ ଦୀକ୍ଷିତ ଥିଲେ ଜଣେ ଦେବଦୂତ ସଦୃଶ। ଯିଏକି ତାଙ୍କୁ ପୁର୍ନଜନ୍ମ ପ୍ରଦାନ କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଲକ୍ଷ୍ମୀଙ୍କ କାହାଣୀ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‘ଛପାକ’ରେ ଏକତରଫା ପ୍ରେମ ଓ ଏସିଡ ମାଡ଼ର ଭୟଙ୍କର ପରିଣତିକୁ ନିଚ୍ଛକ ଭାବେ ଉପସ୍ଥାପନ କରିବାର ପ୍ରୟାସ ହୋଇଛି। ତେବେ ଲକ୍ଷ୍ମୀଙ୍କ କାହାଣୀଠାରୁ ଆହୁରି ଲୋମହର୍ଷଣକାରୀ ଘଟଣା ଘଟିଥିଲା ଓଡ଼ିଶା ମାଟିରେ। ଜଗତସିଂହପୁର ଅନ୍ତର୍ଗତ ତିର୍ତ୍ତୋଲ ନିବାସୀ ପ୍ରମୋଦିନୀ ରାଉଳ ଓରଫ ରାଣୀଙ୍କ ଉପରେ ୨୦୦୯ରେ ହୋଇଥିଲା ଏସିଡ ଆକ୍ରମଣ। ଆକ୍ରମଣକାରୀ ଥିଲା ଏକତରଫା ପ୍ରେମରେ ବିଫଳ ଜଣେ ଅର୍ଦ୍ଧସାମରିକ ବାହିନୀ ଯବାନ। ଦେଶବାସୀଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଜଣେ ଯବାନଙ୍କର ଏଭଳି ବର୍ବରୋଚିତ ଆଚରଣ ସେତେବେଳେ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା। ଲକ୍ଷ୍ମୀଙ୍କ ଉପରେ ହୋଇଥିବା ଆକ୍ରମଣଠାରୁ ମଧ୍ୟ ଆହୁରି ଭୟଙ୍କର ଥିଲା ଏହି ଏସିଡ ମାଡ଼। ମାତ୍ର ୧୬ ବର୍ଷ ବୟସରେ ପ୍ରମୋଦିନୀଙ୍କର ଶରୀରର ଅଧା ଅଙ୍ଗ କୁରୂପ ହୋଇଯାଇଥିଲା। ଯିଏ ଦେଖୁଥିଲା ମୁହଁ ବୁଲାଇ ନେଉଥିଲା।

ସେହି କାଳରାତ୍ରୀର ଲୋମହର୍ଷଣକାରୀ ଘଟଣା ସମ୍ବନ୍ଧରେ ଜାଣିବା ପାଇଁ ଆମେ ସାକ୍ଷାତ କରିଥିଲୁ ପ୍ରମୋଦିନୀଙ୍କୁ ଆମ ଭୁବନେଶ୍ୱର ସମାଜ କାର୍ଯ୍ୟାଳୟରେ। ତାଙ୍କୁ ସାକ୍ଷାତ କରିଛନ୍ତି ଆମ ସମାଜ ପ୍ରତିନିଧି ପ୍ରୀତିଶ୍ରୀ ସ୍ୱଦେଶ।

ପ୍ରୀତିଶ୍ରୀ: ୨୦୦୯ ଏପ୍ରିଲ ୮ ତାରିଖ ଆପଣଙ୍କ ଜୀବନରେ ଯାହା ଘଟିଗଲା ତାହା ଆପଣଙ୍କ ପାଇଁ ଏକ ଅପୂରଣୀୟ କ୍ଷତି, କେମିତି ଘଟିଥିଲା ସେ ଘଟଣା?
ପ୍ରମୋଦିନୀ: ସେଦିନ ଥାଏ ୨୦୦୯ ଏପ୍ରିଲ ୮ ରାତି ଆଠଟା। ମୁଁ ଓ ମୋର ଜଣେ ସମ୍ପର୍କୀୟ ଭାଇ ଆମ ଘରଠାରୁ ଏକ କିଲୋମିଟର ଦୂର ମାଉସୀଙ୍କ ଘରୁ ଫେରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ମୋ ନିକଟକୁ ଏକ ବାଇକ ଯୋଗେ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ତିର୍ତ୍ତୋଲରେ ମୁତୟନ ଅର୍ଦ୍ଧସାମରିକ ବାହିନୀର ଜଣେ ଯବାନ ସନ୍ତୋଷ କୁମାର ବେଦାନ୍ତ। ସନ୍ତୋଷ ଭଦ୍ରକର ମୂଳ ବାସିନ୍ଦା। ତିର୍ତ୍ତୋଲରେ ମୁତୟନ ଥିବା ବେଳେ ମୋ ସହିତ ତାଙ୍କର ଭେଟ ହୋଇଥିଲା। ପରେ ସେ ମୋତେ ଏକତରଫା ପ୍ରେମ କରିବସିଥିଲେ। ବହୁ ବାର ପ୍ରେମ ନିବେଦନ ପରେ ମଧ୍ୟ ମୁଁ ରାଜି ନ ହେବାରୁ ସନ୍ତୋଷ ଶେଷଥର ପାଇଁ ମୋତେ ରାଜି କରାଇବାର ପ୍ରୟାସ କରିଥିଲେ।

ମୁଁ ମୋ ଭାଇ ସହ ଏକ ସାଇକଲ ଯୋଗେ ଫେରିବା ବେଳେ ସନ୍ତୋଷ ଓ ତାଙ୍କ ବନ୍ଧୁ ହାତରେ ଏକ ବୋତଲ ଧରି ସେଠାରେ ପହଞ୍ଚିଥିଲେ। ପ୍ରଥମେ ସନ୍ତୋଷ ମୋ ସହ କଥା ହେଲେ ଓ ତାଙ୍କ ସାଥିରେ ଯିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ମୁଁ ମନା କରିଦେବାରୁ ସନ୍ତୋଷ ନିଜ ସାଥିରେ ଆଣିଥିବା କାଚ ବୋତଲ ଖୋଲି କିଛି ତରଳ ପଦାର୍ଥ ମୋ ଉପରେ ଢାଳିଥିଲେ। ମୁଁ ଖାଲି ପ୍ରାଣ ବିକଳରେ ଚିତ୍କାର କରୁଥିଲି କିନ୍ତୁ ଜାଣିନଥିଲି ଯେ ମୋ ଉପରେ କେଉଁ ତରଳ ପଦାର୍ଥ ଢଳାଯାଇଛି। ବିକଳରେ ନିଜ ମୁଣ୍ଡ ଓ ମୁହଁକୁ ହାତରେ ପୋଛି ଆଣିବା ବେଳେ ମେଞ୍ଚାମେଞ୍ଚା ଚମଡା ଓ ମାଂସ ଉତୁରି ଯାଇଥିଲା ଏବଂ ପୁଳାପୁଳା ଚୁଟି ବାହାରି ଆସିଥିଲା। ଶରୀରରେ ପ୍ରବଳ ଜଳାପୋଡା ଆରମ୍ଭ ହୋଇଥିଲା। ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରି ସେହିଠାରେ ହିଁ ଗଡିଯାଇଥିଲି। ମୋ କାନ୍ଦ ଓ ଚିତ୍କାରରେ ସମଗ୍ର ଅଞ୍ଚଳ ଫାଟିପଡିଥିଲା । ଯନ୍ତ୍ରଣାରେ ଛଟପଟ ହୋଇ ମୁଁ ଘାସ ପଡିଆରେ ଗାଡି ଯାଇଥିଲି।

ପ୍ରୀତିଶ୍ରୀ: କେମିତି ଜାଣିଲେ ଯେ ସେହି ତରଳ ପଦାର୍ଥ ଏସିଡ ଥିଲା ଓ ଡାକ୍ତରଖାନାରେ କେମିତି ପହଁଚିଲେ?
ପ୍ରମୋଦିନୀ: ମୋ ଭାଇ ସେହି ଠାରେ ଛିଡା ହୋଇଥିଲା ହେଲେ ସେ କିଛି ବୁଝି ପାରିନଥିଲା, ଖାଲି ଖୁବ ଜୋରରେ କାନ୍ଦୁଥିଲା। ସେହି ରାସ୍ତା ଦେଇ ଯାଉଥିବା ଲୋକେ ରୁଣ୍ଡ ହୋଇଥିଲେ ସେଠାରେ। ଯିଏ ମୋତେ ଧରୁଥିଲା ତାଙ୍କ ହାତ ଜଳିଯାଉଥିଲା। କେହିବି ମୋତେ ଉଦ୍ଧାର କରିବାକୁ ସାହସ ଜୁଟାଇ ପାରୁ ନ ଥିଲେ। ଭିଡ ଭିତରେ ଥିବା ଜଣେ ବଣିଆ ସେହି ତରଳ ପଦାର୍ଥକୁ ଚିହ୍ନିପାରି କହିଲେ ଯେ ମୋ ଉପରେ ଏସିଡ ମାଡ଼ ହୋଇଛି। ତା ପରେ କିଛି ଲୋକ ମତେ ଏକ ଅଖାରେ ଗୁଡାଇ ଆମ ଘରକୁ ନେଇ ଗଲେ। ମୋ ମା’ ଦୌଡି ଆସି ମୋତେ କୁଣ୍ଢାଇ ପକାଇ ଖୁବ ଜୋରରେ କାନ୍ଦିଲେ ହେଲେ ମୋ ଶରୀରରେ ଲାଗିଥିବା ତେଜାବ ତାଙ୍କ ବକ୍ଷକୁ ମଧ୍ୟ ଜାଳି ଦେଇଥିଲା। ଶେଷରେ ମୋତେ ଡାକ୍ତରଖାନାକୁ ନେଇଗଲେ।

ପ୍ରିତିଶ୍ରୀ: ତେବେ ଆମେ ଯାହା ଜାଣିଛୁ, ଏସିଡ ଶରୀର ବହୁତ କ୍ଷତି କରେ। ଆପଣ ଏଇ ଚିକିତ୍ସାରୁ କେତେ ସଫଳତା ପାଇଲେ?
ପ୍ରମୋଦିନୀ: ଦୀର୍ଘ ଦିନର ଚିକିତ୍ସା ପରେ ମୁଁ ବଂଚିଗଲି ସତ; ମାତ୍ର ମୋ ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଚାଲିଗଲା।

 

ପ୍ରୀତିଶ୍ରୀ:ଯିଏ ଆପଣଙ୍କ ଉପରେ ଏସିଡ ଢାଳିଥିଲେ, ସେ କଣ ଦଣ୍ଡ ପାଇଲେ?
ପ୍ରମୋଦିନୀ: ୨୦୧୨ରେ ଏପଟେ ପୁଲିସ ଘଟଣାର ତଦନ୍ତ କରିଥିଲେ ମଧ୍ୟ କୌଣସି ପ୍ରମାଣ ପାଉ ନ ଥିବା ଦର୍ଶାଇ ମାମଲା ବନ୍ଦ କରିଦେଇଥିଲା। କିନ୍ତୁ ୨୦୧୭ରେ ସାମାଜିକ କର୍ମୀ ଶୁଭଶ୍ରୀ ଦାସ ସହଯୋଗର ହାତ ବଢାଇଥିଲେ। କଥା ପହଞ୍ଚିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ। ତାଙ୍କୁ ଭେଟି ମୁଁ ନିଜ ଦୁଃଖ ଜଣାଇଥିଲି। ଅପରାଧୀକୁ କଡ଼ା ଦଣ୍ଡ ଦିଆଯିବାକୁ ଦାବି କରିବା ସହିତ ନିଜର ଥଇଥାନ ପାଇଁ ସହାୟତା ଲୋଡିଥିଲି। କିଛି ଦିନ ପରେ ଜାମ୍ମୁ କାଶ୍ମୀରରୁ ଅଭିଯୁକ୍ତ ସନ୍ତୋଷଙ୍କୁ ଗିରଫ କରାଯାଇଥିଲା। ଘଟଣା ଦିନ ସନ୍ତୋଷଙ୍କ ସାଥିରେ ଥିବା ତାଙ୍କ ବନ୍ଧୁ ମଧ୍ୟ ଗିରଫ ହୋଇଥିଲେ।

ପ୍ରୀତିଶ୍ରୀ: ଆପଣ ହାରିଯାଇ ନାହାନ୍ତି, ବରଂ ଅନ୍ୟ ଏସିଡ ପୀଡିତ କୁହନ୍ତୁ ବା ଆମେ କହି ପରିବା ସମାଜ ପାଇଁ ଆପଣ ଆଦର୍ଶ ପାଲଟିଛନ୍ତି। କଣ କହିବେ?
ପ୍ରମୋଦିନୀ: ଏସିଡ ଆକ୍ରମଣ ପୂର୍ବରୁ ମୁଁ ନୃତ୍ୟ କରୁଥିଲି। ଏବେ ନିଜେ ଆତ୍ମନିର୍ଭରଶୀଳ ହେବା ଲାଗି ପୁଣି ନୃତ୍ୟ ପ୍ରଶିକ୍ଷଣ ନେବାକୁ ସ୍ଥିର କରିଛି। ଏଥିସହ ସିରୋଜ କାଫେ ଖୋଲିବା ଦିଗରେ ମଧ୍ୟ ପ୍ରୟାସ ଜାରି ରଖିଛି। ଏବେ ସମୟ ବଦଳିଛି। ମୁଁ ଏତିକି କହିବି ଯେ ଏସିଡ ଆକ୍ରମଣ ଶିକାର ମହିଳା ନିଜର ଚେହେରାକୁ ନେଇ ଲଜ୍ଜିତ ନ ହୋଇ ବରଂ ସମାଜର ସମ୍ମୁଖୀନ ହେବା ଆବଶ୍ୟକ। ନିଜେ ଆତ୍ମନିର୍ଭରଶୀଳ ହେବା ଦରକାର। ଏହାଦ୍ବାରା ଏସିଡ ଆକ୍ରମଣ ଯେ କେତେ ଭୟଙ୍କର ତାହା ଲୋକେ ହୃଦବୋଧ କରିବେ। ଏକପ୍ରକାର ସଚେତନତା ସୃଷ୍ଟି ହେବ। ଅପରାଧ ଘଟାଇବା ପୂର୍ବରୁ ଲୋକେ ଚିନ୍ତା କରିବେ। ଏସିଡ ଆକ୍ରମଣକାରୀଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆସିବ। ଏଭଳି ଭୟଙ୍କର ଅପରାଧ ପାଇଁ ରହିଥିବା ଦଣ୍ଡବିଧାନ କଡ଼ାକଡ଼ି ଭାବରେ ମଧ୍ୟ କାର୍ୟ୍ୟକାରୀ କରାଯିବା ଆବଶ୍ୟକ।

ପ୍ରୀତିଶ୍ରୀ: ଭବିଷ୍ୟତ ପାଇଁ କଣ ଲକ୍ଷ୍ୟ ରଖିଛନ୍ତି?
ପ୍ରମୋଦିନୀ: ମୋ ଜୀବନରେ ଏବେ ଖୁସି ଆସିଛି। ମୋର ସରୋଜଙ୍କ (ସରୋଜ ସାହୁ) ସହ ନିର୍ବନ୍ଧ ଶେଷ ହୋଇଛି। ଖୁବଶୀଘ୍ର ବିବାହ ହେବ। ସରୋଜ ମୋ ପାଇଁ କୌଣସି ଭଗବାନଙ୍କ ଉପହାରଠାରୁ କମ ନୁହେଁ। ସେ ହିଁ ମୋତେ ବଞ୍ଚିବାର ଓ ଜୀବନକୁ ଜିଇଁବାର ରାହା ଦେଖାଇଛନ୍ତି। ସରୋଜଙ୍କ ପରିବାର ଲୋକେ ମଧ୍ୟ ମୋତେ ଗ୍ରହଣ କରିଛନ୍ତି। ତାଙ୍କ ଅଞ୍ଚଳବାସୀଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିଛି। ମୋ ସ୍ବପ୍ନ ପୂରଣ ହେବାକୁ ଯାଉଛି।

ପ୍ରୀତିଶ୍ରୀ: ଆପଣଙ୍କ ଭଳି ଏକ ସଂଘର୍ଷର କାହାଣୀ ନେଇ ରିଲିଜ ହୋଇଛି ଚଳଚିତ୍ର ଛପାକ। ଆପଣ ଭାବୁଛନ୍ତି ଏହି ଚଳଚିତ୍ର ସମାଜକୁ କେଉଁ ବାର୍ତ୍ତା ଦେବ?
ପ୍ରମୋଦିନୀ: ଏଭଳି କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେବା ଦ୍ବାରା ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଯିବ। ଲୋକେ ଅଧିକ ସଚେତନ ହେବେ। ଏସିଡ ଆକ୍ରମଣର ଶିକାର ହେଉଥିବା ଯୁବତୀ ଓ ମହିଳାଙ୍କ ପ୍ରତି ସାମାଜର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିବ। ସର୍ବୋପରେ ଏଭଳି ଚଳଚ୍ଚିତ୍ର ଅପରାଧୀଙ୍କ ମନ ପରିବର୍ତ୍ତନରେ ସହାୟକ ହୋଇପାରିବ। ମୁଁ ଖୁସି ଯେ ଏ ଦିଗରେ ମୋର ଯୋଗଦାନ ରହିଛି। ଓଡ଼ିଶାର କିଛି ଏସିଡ ଆକ୍ରମଣ ପୀଡ଼ିତାଙ୍କ ଥଇଥାନ ଦିଗରେ କାମ କରି ମୋତେ ଲାଗୁଛି ମୁଁ ଆଗାମୀ ଦିନରେ ସେମାନଙ୍କ ପାଇଁ ଆହୁରି ଅଧିକ କିଛି କରିପାରିବି। ଢେଙ୍କାନାଳର ମମତା ବେହେରା ଓ ରୋଜାଲିନ ସାହୁ, କଟକର କାୟନାତ ପରବିନ, ଯାଜପୁରର ସୁଚୀସ୍ମିତା ରାଉତ, ବ୍ରହ୍ମପୁରର ମୀନତି ପ୍ରଧାନ, କଳାହାଣ୍ଡିର ଦମୟନ୍ତି ବିହାରୀ ଏବଂ ଗଞ୍ଜାମର ମାନିନି ବିଶୋଇ ସମସ୍ତେ ଆଜି ନିଜ ଗୋଡ଼ରେ ଛିଡା ହେବାର ପ୍ରୟାସ କରୁଛନ୍ତି।

Comments are closed.