କର୍ପୋରେଟ୍‌ ଜଗତରେ ଓଡ଼ିଶାର ମହତ୍ତ୍ବ ବୃଦ୍ଧିର ସ୍ବୀକୃତି

ଦେଶର ପ୍ରତିଷ୍ଠିତ ଉଦ୍ୟୋଗ ସଂଘ ଫିକି ଇଣ୍ଡିଆର ସର୍ବଭାରତୀୟ ବରିଷ୍ଠ ଉପସଭାପତି ପଦରେ ପ୍ରଥମ ଓଡ଼ିଆ ଭାବେ ଶିଳ୍ପପତି ତଥା ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା ନିକଟରେ ନିର୍ବାଚିତ ହୋଇଛନ୍ତି। ଦେଶରେ ଶିଳ୍ପାୟନ ଅଭିବୃଦ୍ଧିରେ ଫିକିର ଭୂମିକା କଣ ରହିବ ସେ ବିଷୟରେ ‘ସମାଜ’ର ନୂଆଦିଲ୍ଲୀ ପ୍ରତିନିଧି ଶକ୍ତିପ୍ରସାଦ ନାୟକଙ୍କ ସହ ସ୍ୱତନ୍ତ୍ର ବାର୍ତ୍ତାଳାପ।

ପ୍ରଶ୍ନ : ପ୍ରଥମ ଓଡ଼ିଆ ଭାବେ ଫିକି ଇଣ୍ଡିଆ ଭଳି ପ୍ରତିଷ୍ଠିତ ସଂସ୍ଥାର ବରିଷ୍ଠ ଉପସଭାପତି ପଦକୁ ନିର୍ବାଚିତ ହେବI ପରେ ଯୁବ ଓଡ଼ିଆଙ୍କ ପ୍ରତି ଆପଣଙ୍କ ବାର୍ତ୍ତା କ’ଣ ରହିଛି ?
ଉ.: ଦେଶର ସର୍ବୋଚ୍ଚ ବ୍ୟାବସାୟିକ ଚାମ୍ବର ଫିକି ଇଣ୍ଡିଆର ବରିଷ୍ଠ ଉପସଭାପତି ଭାବେ ନିର୍ବାଚିତ ହେବା ନିଶ୍ଚୟ ମୋ ପାଇଁ ସୌଭାଗ୍ୟର ବିଷୟ। ପ୍ରାୟ ୨୦ ବର୍ଷ ଧରି ମୁଁ ଫିକିର ବିଭିନ୍ନ କାର୍ଯ୍ୟଧାରାରେ ସକ୍ରିୟ ଅଛି; କିନ୍ତୁ ଜାତୀୟ ନେତୃତ୍ୱରେ ସ୍ଥାନ ପାଇବା ସମ୍ମାନର ବିଷୟ। ଏହା କୌଣସି ବ୍ୟକ୍ତିଗତ ସଫଳତା ନୁହେଁ, ବରଂ କର୍ପୋରେଟ୍ ଦୁନିଆରେ ଓଡିଶାର ବୃଦ୍ଧି ପାଉଥିବା ମହତ୍ତ୍ୱର ଏକ ସ୍ୱୀକୃତି। ରାଜ୍ୟର ଯୁବପିଢ଼ିଙ୍କୁ ମୋର ବାର୍ତ୍ତା ହେଲା, ନିଜର ମନୋନୀତ କାର୍ଯ୍ୟ କ୍ଷେତ୍ରରେ ସଠିକ୍ ଧ୍ୟାନ ରଖନ୍ତୁ ଏବଂ ସଫଳତା ଆପଣଙ୍କୁ ଅନୁସରଣ କରିବ। ଆଜିର ଯୁବ ସମାଜ ପାଇଁ ଭରପୂର ସୁଯୋଗ ରହିଛି।
ପ୍ରଶ୍ନ : ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଭାରତ ସ୍ୱପ୍ନ ପୂରଣ ଦିଗରେ ଫିକି ଇଣ୍ଡିଆର ଭୂମିକା କ’ଣ ରହିବ ?
ଉ. : ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟତା ପାଇଁ ପ୍ରସିଦ୍ଧ ପୂର୍ବ ଭାରତର ପ୍ରଗତି ଦେଶର ସାମଗ୍ରିକ ଅଭିବୃଦ୍ଧିରେ ନିଶ୍ଚିତ ସହାୟକ ହେବ। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ଏହାର ସଫଳ ପ୍ରତିଫଳନ। ନୀତି ନିର୍ଦ୍ଧାରଣଠାରୁ ନେଇ ପୁଞ୍ଜି ବିନିଯୋଗକୁ ଆକୃଷ୍ଟ କରିବା ଯାଏ ସମସ୍ତ ପ୍ରକ୍ରିୟାରେ ଫିକି ପୂର୍ବ ଭାରତୀୟ ରାଜ୍ୟମାନଙ୍କ ସହ ଜଡ଼ିତ ହେବା ସହ ଏହି ଲକ୍ଷ୍ୟକୁ ସାକାର କରିବାରେ ସହାୟକ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ।
ପ୍ରଶ୍ନ : ଓଡ଼ିଶାରେ ଶିଳ୍ପ ବାତାବରଣ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କୁ ଅଧିକ କ’ଣ କରିବା ଆବଶ୍ୟକ ?
ଉ.: ଓଡ଼ିଶାରେ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବହୁ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯଥା ଗୋ-ସ୍ବିଫ୍ଟ ପୋର୍ଟାଲ ଭଳି ନିଷ୍ପତ୍ତି ଯୋଗୁଁ ବହୁ ନୂଆ ଶିଳ୍ପ କାର୍ଯ୍ୟକ୍ଷମ ହେବା ସହ ପାଣ୍ଡେମିକ ସମୟରେ ମଧ୍ୟ ନୂତନ ପୁଞ୍ଜି ବିନିଯୋଗର ପ୍ରତିଶ୍ରୁତି ମିଳିଛି। ଏହାବାଦ୍ ରାଜ୍ୟରେ ତାର୍କିକ ତଥା ଯୁକ୍ତିଯୁକ୍ତ ଭିତ୍ତିଭୂମିକୁ ସୃଦୁଢ କରାଯିବାର ଆବଶ୍ୟକତା ଅଛି। ଯାହା ଦ୍ୱାରାକି ଶିଳ୍ପାୟନ କ୍ଷେତ୍ରରେ ମାଲ୍ ପରିବହନ ବ୍ୟବସ୍ଥା ସୁଗମ ହେବ। ଶେଷରେ ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ଓ-ହବ୍ ଯୋଜନା ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି।
ପ୍ରଶ୍ନ : ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ଏବେ ମୁଖ୍ୟ ସମସ୍ୟା। ଆପଣଙ୍କ ମତରେ ଏହି ସମସ୍ୟାର ସମାଧାନ କ’ଣ ?
ଉ. : ଜମି ଅଧିଗ୍ରହଣ ଏକ ସମ୍ବେଦନଶୀଳ ବିଷୟ ଯାହା କି କେବଳ ଲୋକଙ୍କୁ କ୍ଷତିପୂରଣ ଦେବା ନୁହଁ; ବରଂ ଏହା ସେମାନଙ୍କର ଭାବନାତ୍ମକ ବିଷୟ ଏବଂ ଆମକୁ ତାହାକୁ ସମ୍ମାନ ଦେବାକୁ ହବ। ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଲ୍ୟାଣ୍ଡ ବ୍ୟାଙ୍କ ପ୍ରକ୍ରିୟା ଜମି ଅଧିଗ୍ରହଣ କ୍ଷେତ୍ରରେ ଏକ ପ୍ରଶଂସନୀୟ ନିଷ୍ପତ୍ତି। ଏହାଦ୍ୱାରା ଆପୋଷ ସମ୍ମତିରେ ଜମି ଅଧିଗ୍ରହଣ ହେବା ସହ ଶିଳ୍ପାନୁଷ୍ଠାନ ଏବଂ ଜମି ବିକ୍ରେତା ଉଭୟଙ୍କ ଉନ୍ନତି ହେଇପାରିବ।
ପ୍ରଶ୍ନ : ଖଣିଜସମ୍ପଦ ଏବଂ ମାନବ ସମ୍ବଳରେ ଭରପୂର ଓଡ଼ିଶାର ଭବିଷ୍ୟତ କେମିତି ଦେଖୁଛନ୍ତି ?
ଉ.: ପ୍ରାକୃତିକ ଓ ମାନବ ସମ୍ବଳର ପ୍ରାଚୁର୍ଯ୍ୟତା ସହିତ ରାଜ୍ୟର ଦୃଢ଼ ରାଜନୈତିକ ସ୍ଥିରତା ଓ ସକ୍ରିୟ ଆଭିମୁଖ୍ୟ ପାଇଁ ଓଡ଼ିଶା ଦେଶରେ ଏକ ଉତ୍ପାଦନ ହବ୍ ରୂପେ ଭାରତର ଅର୍ଥନୀତି ବୃଦ୍ଧିରେ ସହାୟକ ଭାବେ ଉଭା ହେବା ସହ ୧ ଟ୍ରିଲିଅନ ଡ଼ଲାର ଜିଏସଡିପି ଲକ୍ଷ୍ୟକୁ ହାସଲ କରିବାରେ ସମର୍ଥ ହେବ ବୋଲି ମୋର ଆଶା।
ପ୍ରଶ୍ନ : ଓଡ଼ିଶାରେ ବଡ଼ ଶିଳ୍ପ ପାଇଁ ପୁଞ୍ଜିନିବେଶ ଆସୁଛି , କିନ୍ତୁ ରୋଜଗାର ସୃଷ୍ଟିକାରୀ କ୍ଷୁଦ୍ର ଶିଳ୍ପ ସ୍ଥାପନ ହେଉନାହିଁ କାହିଁକି ?
ଉ. : ବଡ଼ ଶିଳ୍ପକୁ ହିଁ ପ୍ରୋତ୍ସାହନ ଦିଆଯାଉଛି କହିବା ଭୁଲ ହେବ। କାରଣ କ୍ଷୁଦ୍ରଶିଳ୍ପ ସ୍ଥାପନ ଶିଳ୍ପାୟନ ପ୍ରକ୍ରିୟାର ଏକ ଅଂଶବିଶେଷ। ବୃହତ୍‌ ଶିଳ୍ପ ପ୍ରତିଷ୍ଠା ଦ୍ୱାରା କ୍ଷୁଦ୍ରଶିଳ୍ପର ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସ୍ୱାଭାବିକ ଭାବେ ସୃଷ୍ଟି ହେବ। ଏହାଛଡ଼ା ବିଭିନ୍ନ ଜାଗାରେ ସରକାରଙ୍କ ଦ୍ୱାରା ସ୍ଥାପିତ ଇଣ୍ଡଷ୍ଟ୍ରିଆଲ ପାର୍କ ଏହି ରୋଜଗାର ସୃଷ୍ଟିକାରୀ କ୍ଷୁଦ୍ର ଶିଳ୍ପ ସ୍ଥାପନକୁ ନିଶ୍ଚିତ ଭାବେ ଆକର୍ଷିତ କରିବ।
ପ୍ରଶ୍ନ : ସିଓପି-୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୭୦ ସୁଦ୍ଧା ଭାରତର ନେଟ୍‌ ଜିରୋ ଏମିସନ ସଂକଳ୍ପ କଥା କହିଛନ୍ତି। ଆପଣଙ୍କୁ ଲାଗୁନାହିଁ ଏହା ଦ୍ୱାରା ଦେଶରେ ଶିଳ୍ପାୟନ ବାଧାପ୍ରାପ୍ତ ହେବ ?
ଉ. : ପ୍ରଧାନମନ୍ତ୍ରୀଙ୍କ ୨୦୭୦ ସୁଦ୍ଧା ନେଟ ଜିରୋ ଏମିସନ ସଂକଳ୍ପ ଏକ ଯୁଗାନ୍ତକାରୀ ଘୋଷଣା ଏବଂ ଏହାର ଶିଳ୍ପାୟନ କ୍ଷେତ୍ରରେ କୌଣସି କୁପ୍ରଭାବ ନାହିଁ। ପାରମ୍ପରିକ ଶକ୍ତି ଉତ୍ସକୁ ବାଦ ଦେଇ ଅକ୍ଷୟ ଶକ୍ତିର ଉପଯୋଗ ହିଁ ଆଗାମୀ ଦିନର ଭବିଷ୍ୟତ ଏବଂ ଆମ ଦେଶ ଏହି କ୍ଷେତ୍ରରେ ପଥପ୍ରଦର୍ଶକ ହେବ ବୋଲି ମୋର ବିଶ୍ୱାସ।

Comments are closed.