ଗ୍ରାମାଞ୍ଚଳରେ ଇଂଟରନେଟ ବ୍ୟବହାରକାରୀ ତିନିଗୁଣରୁ ଅଧିକ, ଡାଟା ବ୍ୟବହାର ୧୩ ଗୁଣ ବୃଦ୍ଧି

ଭୁବନେଶ୍ୱର: ସମଗ୍ର ଦେଶରେ ଇଂଟରନେଟର ବ୍ୟାପକ ପ୍ରସାର ସହିତ ଡାଟା ବ୍ୟବହାରରେ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। ବିଶେଷକରି ଗ୍ରାମାଞ୍ଚଳରେ ନେଟୱର୍କ ସମ୍ପ୍ରସାରଣ ଏବଂ ସ୍ମାର୍ଟଫୋନ ବ୍ୟବହାର ଦ୍ୱାରା ଡାଟା ବ୍ୟବହାର ବହୁଗୁଣ ବୃଦ୍ଧିପାଇଛି। ଓଡ଼ିଶା ମଧ୍ୟ ଏ କ୍ଷେତ୍ରରେ ପଛରେ ପଡିନାହିଁ। ଗତ ପାଞ୍ଚବର୍ଷ ମଧ୍ୟରେ ରାଜ୍ୟର ଗ୍ରାମାଞ୍ଚଳରେ ଗ୍ରାମାଞ୍ଚଳରେ ଇଂଟରନେଟ ବ୍ୟବହାରକାରୀ ତିନିଗୁଣରୁ ଅଧିକ ଓ ଡାଟା ବ୍ୟବହାର ୧୩ ଗୁଣ ବୃଦ୍ଧିପାଇଛି। ଏହି ପାଞ୍ଚବର୍ଷ ମଧ୍ୟରେ ଦେଶରେ ଡିଜିଟାଲ ବିପ୍ଳବର କର୍ଣ୍ଣଧାର ପାଲଟିଛି ଜିଓ। ଦେଶର ୨୦୧୬ ସେପ୍ଟେମ୍ବର ୫ ତାରିଖରେ ରିଲାଏନ୍ସ ଜିଓ ତାହାର ସେବା ଆରମ୍ଭ କରିଥିଲା। ସେହିଦିନ ଓଡ଼ିଶାରେ ମଧ୍ୟ ଏହି ସେବା ପ୍ରଚଳିତ ହୋଇଥିଲା। ଏହା ନିଜର ନେଟୱର୍କର ଦ୍ରୁତ ସମ୍ପ୍ରସାରଣ, ତ୍ରୁଟିଶୂନ୍ୟ ହାଇସ୍ପିଡ ବ୍ରଡବ୍ୟାଣ୍ଡ୍‍ ଆଦି କାରଣରୁ ବ୍ୟବହାରକାରୀଙ୍କ ନିକଟରେ ପ୍ରଥମ ପସନ୍ଦ ହୋଇଛି। ବିଶେଷକରି ଗତ ପ୍ରାୟ ଦେଢବର୍ଷ ଧରି କୋଭିଡ-୧୯ ମହାମାରୀର ପ୍ରଭାବ ଜନସାଧାରଣଙ୍କୁ ଗୃହାବଦ୍ଧ ରହିବାକୁ ବାଧ୍ୟ କରିଥିବାବେଳେ ଡିଜିଟାଲ ପଦ୍ଧତିରେ ଯୋଗାଯୋଗ ସ୍ଥାପନ, ଦେଣନେଣ, ବ୍ୟବସାୟ ଆଦି ପ୍ରାଥମିକ ଭାବରେ ବାଧ୍ୟବାଧକତା ଏବଂ ପରବର୍ତ୍ତୀ ସମୟରେ ନୂତନ ସ୍ୱାଭାବିକତାରେ ପରିଣତ ହୋଇଛି। ଏହା ପଛରେ ମୁଖ୍ୟ ଭୂମିକା ନେଉଛି ହାଇସ୍ପିଡ ଇଂଟରନେଟ ସଂଯୋଗ। ସ୍ମାର୍ଟ ଫୋନ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ସ୍ମାର୍ଟ ଆବଶ୍ୟକତା ପାଲଟିଛି। ସମଗ୍ର ଦେଶରେ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧିପାଉଥିବାବେଳେ ଓଡ଼ିଶା ମଧ୍ୟ ପଛରେ ପଡିନାହିଁ। ଓଡ଼ିଶାରେ ସଂପ୍ରତି ପ୍ରାୟ ୩.୪୭ କୋଟି ମୋବାଇଲ ବ୍ୟବହାରକାରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ଦେଢ କୋଟି ଗ୍ରାହକ କେବଳ ରିଲାଏନ୍ସ ଜିଓର। ଜିଓ ବ୍ୟତୀତ ଭାରତୀ ଏୟାରଟେଲର କୋଟିଏ ୧୧ ଲକ୍ଷ, ବିଏସଏନଏଲର ପ୍ରାୟ ୬୪ ଲକ୍ଷ ଏବଂ ଭୋଡାଫୋନ ଆଇଡିଆର ପ୍ରାୟ ୨୫ ଲକ୍ଷ ଗ୍ରାହକ ରହିଛନ୍ତି। ଅନୁରୂପ ଭାବରେ ରାଜ୍ୟରେ ବ୍ରଡବ୍ୟାଣ୍ଡ୍‍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ଭାରତର ଦୂରସଂଚାର ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷ (ଟ୍ରାଇ) ସୂତ୍ର ମୁତାବକ ୨୦୧୬ ସେପ୍ଟେମ୍ବରରେ ରାଜ୍ୟରେ ମୋବାଇଲ ବ୍ରଡବ୍ୟାଣ୍ଡ୍‍ ବ୍ୟବହାରକାରୀଙ୍କ ସଂଖ୍ୟା ୪୧.୪ ଲକ୍ଷ ରହିଥିଲା। ପ୍ରାୟ ପାଞ୍ଚବର୍ଷ ମଧ୍ୟରେ ୨୦୨୧ ମାର୍ଚ୍ଚ ଶେଷସୁଦ୍ଧା ଏହା ୨.୦୫ କୋଟିକୁ ବୃଦ୍ଧିପାଇଛି। ଏହି ସମୟ ମଧ୍ୟରେ ରାଜ୍ୟର ଗ୍ରାମାଞ୍ଚଳରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ୮.୭ ଲକ୍ଷରୁ ବୃଦ୍ଧିପାଇ ୧.୩୧ କୋଟିରେ ପହଞ୍ଚିଛି। ସେହିଭଳି ସମଗ୍ର ଦେଶରେ ବ୍ରଡବ୍ୟାଣ୍ଡ୍‍ ବ୍ୟବହାରକାରୀ ସଂଖ୍ୟା ୨୦୧୬ ସେପ୍ଟେମ୍ବରରେ ୧୯.୨୩ କୋଟି ଥିବାବେଳେ ୨୦୨୧ ଜୁନ ବେଳକୁ ତାହା ପ୍ରାୟ ଚାରିଗୁଣରୁ ଅଧିକ ବୃଦ୍ଧିପାଇ ୭୯.୨୮ କୋଟିରେ ପହଞ୍ଚିଛି। ଅନୁରୂପ ଭାବରେ ଗ୍ରାହକ ପିଛା ହାରାହାରି ମାସିକ ଡାଟା ବ୍ୟବହାର ୨୦୧୬ରେ ୮୭୮.୬୩ ଏମବି ଥିବାବେଳେ ତାହା ୨୦୨୧ ସୁଦ୍ଧା ପ୍ରାୟ ୧୩ ଗୁଣ ବୃଦ୍ଧିପାଇ ୧୨.୩୩ ଜିବିରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଭାରତରେ ଫେସବୁକ ବ୍ୟବହାରକାରୀଙ୍କ ସଂଖ୍ୟା ୨୦ କୋଟିରୁ ୪୨ କୋଟି ଏବଂ ହ୍ୱାଟ୍‍ସଆପ ବ୍ୟବହାରକାରୀଙ୍କ ସଂଖ୍ୟା ୧୯ରୁ କୋଟିରୁ ବୃଦ୍ଧିପାଇ ୩୯ କୋଟିରେ ପହଞ୍ଚିଛି।

Comments are closed.