ଯୋଗ : ଏକ ସାମଗ୍ରିକ ଜୀବନ ପଦ୍ଧତି

ଡାକ୍ତର ଅର୍ଚ୍ଚନା ମିଶ୍ର

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ସାଧନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତ ହୁଏ। ସୁତରାଂ ବିଶ୍ୱସ୍ତରରେ ଏହି ଦିବସ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨୦୧୪ ସେପ୍ଟେମ୍ବର ୨୭ରେ ଜାତିିସଂଘରେ ପ୍ରସ୍ତାବ ରଖିଥିଲେ। ସେ କହିଥିଲେ, ଯୋଗ ଭାରତର ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ଉପହାର। ଏହା ପାଞ୍ଚ ହଜାର ବର୍ଷର ପରମ୍ପରା। ଯୋଗ ଦ୍ୱାରା ମନ ଓ ଶରୀର, ବିଚାର ଓ କର୍ମ ମଧ୍ୟରେ ଏକତାର ଭାବନା ସୃଷ୍ଟି ହୁଏ। ପ୍ରକୃତି ସହ ସମନ୍ୱୟ ରକ୍ଷା କରି ଚଳିବାରେ ସାହାଯ୍ୟ କରେ। ଏହା ମଣିଷର ସାମଗ୍ରିକ ବିକାଶ ଲାଗି ଉଦ୍ଦିଷ୍ଟ। ଜୀବନଶୈଳୀକୁ ପରିବର୍ତ୍ତନ ସହିତ ଆତ୍ମଚେତନାର ଜାଗ୍ରତ ଏହାର ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବକ୍ତବ୍ୟ ଉପସ୍ଥିତ ସଦସ୍ୟଙ୍କୁ ପ୍ରଭାବିତ କରିଥିଲା। ଜୁନ ୨୧କୁ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ୧୪ ଅକ୍ଟୋବର ୨୦୧୪ରେ ନିଷ୍ପତ୍ତି ନିଆଯାଇଥିଲା। ଉପସ୍ଥିତ ରାଷ୍ଟ୍ରର ସବୁ ସଦସ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଏହାର ପରବର୍ଷ ୨୦୧୫ରେ ପାଳିତ ହୋଇଥିଲା ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ।

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

ସର୍ବୋଚ୍ଚ ଚୈତନ୍ୟ ଲାଭ କରିବା ପାଇଁ ଯୋଗ ଏକ ସୁସମ୍ବନ୍ଧ ଧାର୍ମିକ ଶୃଙ୍ଖଳା ଯାହା ଚରମ ମୁକ୍ତି ପାଇଁ ପଥ ଦେଖାଇଥାଏ। ଭାରତରେ ସମସ୍ତ ଆଧ୍ୟାତ୍ମିକ କ୍ଷେତ୍ରର ସାଧକ, ମହାପୁରୁଷ ଏବଂ ଜଣେ ଯେ କୌଣସି ଧର୍ମାବଲମ୍ବୀ ହୁଅନ୍ତୁ କିନ୍ତୁ ଯୋଗର ଶୃଙ୍ଖଳାକୁ ସମସ୍ତେ ମାନନ୍ତି। ଯୋଗର ମୌଳିକ ଅର୍ଥ ହେଉଛି ମିଳିତାବସ୍ଥା ଏବଂ ପ୍ରକୃତ ଆତ୍ମା ବା ଈଶ୍ୱରଙ୍କ ସହିତ ମିଳିତ ହେବାକୁ ଏହା ବୁଝାଇଥାଏ। ଯୋଗକୁ କୌଣସି ନୀତି ରୂପେ ନୁହେଁ ବରଂ ମାନବ ଜୀବନର ମୂଳଭୂତ ଆଧାରଶିଳା ଭାବେ ଗ୍ରହଣ କରିବା ଉଚିତ। ଧର୍ମ ପାଳନ ଏବଂ ସାଧନା ହେଉଛି ଯୋଗର ଦୁଇଟି ବାହୁ। ଏହିପରି ଯୋଗ ହେଉଛି ଏକ ସାମଗ୍ରିକ ଜୀବନ ପଦ୍ଧତି। ଯୋଗ ସାଧନାର ମୂଳ ଉଦ୍ଦେଶ୍ୟ ହେଉଛି ବ୍ୟକ୍ତିତ୍ୱର ଜୀବନରେ ସରସତା ଆନନ୍ଦ ଆଣିବା ସହ ସନ୍ତୁଳନ ସାଧନା କରିବା।

ଶ୍ରୀମଦ ଭଗବତ ଗୀତା ତ ସ୍ୱୟଂ ଯୋଗଶାସ୍ତ୍ର। ଜ୍ଞାନଯୋଗ ଅନୁସାରେ ବ୍ରହ୍ମଙ୍କ ସହିତ ଏକତ୍ର ଜ୍ଞାନ ହିଁ ମୁଖ୍ୟ। ବ୍ରହ୍ମ ଭାବରେ ସ୍ଥିତି ଲାଭ କରିବା ହିଁ ଜ୍ଞାନଯୋଗ ସାଧନାର ଲକ୍ଷ୍ୟ। କର୍ମ ହେଉଛି ବନ୍ଧନର କାରଣ। ଏଥିରୁ ମୁକ୍ତିଲାଭ କରିବା ସକାଶେ କର୍ମଯୋଗର ସାହାଯ୍ୟ ନିଆଯାଏ। ନରନାରାୟଣଙ୍କ ନିଃସ୍ୱାର୍ଥପର ସେବା କାର୍ଯ୍ୟକୁ ନିଷ୍କାମ କର୍ମଯୋଗ ବୋଲାଯାଏ। ଆଧ୍ୟାତ୍ମିକ ପିପାସୁଙ୍କ ମତରେ ଭଗବତ ପ୍ରାପ୍ତିର ସର୍ବାପେକ୍ଷା ସରଳ ଓ ସୁଗମ ମାର୍ଗ ହେଉଛି ଭକ୍ତିଯୋଗ।

Comments
Loading...