‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ : ମହିଳା ସଶକ୍ତୀକରଣ ଦିଗରେ ଏକ ଦୃଢ ପଦକ୍ଷେପ

ସମାଜ ପୋର୍ଟାଲ ଡେସ୍କ : ପ୍ରତ୍ୟେକ ବର୍ଷ ଅକ୍ଟୋବର ୧୧ ତାରିଖକୁ ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ଭାବେ ପାଳନ କରାଯାଏ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ମହିଳା ସଶକ୍ତୀକରଣ ଓ କନ୍ୟାଙ୍କ ଅଧିକାର ବିଷୟରେ ଜନ ସଚେତନତା ସୃଷ୍ଟି କରିବା। ପ୍ରାଚୀନ କାଳରେ ମହିଳାମାନଙ୍କର ଖୁବ୍‍ ଆଦର ସମ୍ମାନ କରାଯାଉଥିଲା। ମାତ୍ର ସମୟ ବିତିବା ସଙ୍ଗେ ସଙ୍ଗେ ସେମାନଙ୍କ ସ୍ଥିତିରେ ବହୁତ ପରିବର୍ତ୍ତନ ପରିଲକ୍ଷିତ ହେଲା। ଝିଅମାନଙ୍କ ପ୍ରତି ଲୋକଙ୍କ ଭାବନା ବଦଳିବାକୁ ଲାଗିଲା। ବାଲ୍ୟ ବିବାହ ପ୍ରଥା, ସତୀଦାହ ପ୍ରଥା, ଯୌତୁକ ଓ କନ୍ୟା ଭୃଣ ହତ୍ୟା ଭଳି ନିନ୍ଦନୀୟ ପ୍ରଥା ପ୍ରଚଳିତ ହେବା ଆରମ୍ଭ ହେଲା। ଏହି କାରଣରୁ କନ୍ୟାମାନଙ୍କୁ ଶିକ୍ଷା, ପୋଷଣ, ନ୍ୟାୟିକ ଅଧିକାର ଓ ଚିକିତ୍ସା ଆଦି ଅଧିକାରରୁ ବଞ୍ଚିତ କରାଗଲା। କିନ୍ତୁ ବର୍ତ୍ତମାନର ଆଧୁନିକ ଯୁଗରେ ମହିଳାମାନଙ୍କୁ ସେମାନଙ୍କ ଅଧିକାର ଯୋଗାଇ ଦେବା, ସେମାନଙ୍କ ସୁରକ୍ଷା ଓ ଉନ୍ନତି ପ୍ରତି ଜନ ସଚେତନତା ସୃଷ୍ଟି କରାଇବା ପାଇଁ ଅନେକ ପ୍ରୟାସ କରାଯାଉଛି। ଏହି ଦିଗ ପ୍ରତି ଧ୍ୟାନ ଦେଇ ୨୦୧୧ ମସିହାରେ ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ପାଳନ କରିବାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରସ୍ତାବ ପାରିତ ହେବା ପରେ ୧୧ ଅକ୍ଟୋବରରେ ଏହାକୁ ପାଳନ କରିବା ପାଇଁ ଧାର୍ଯ୍ୟ କରାଗଲା ଏହାପରେ ୨୦୧୨ରୁ ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ପାଳନ କରାଯାଇ ଆସୁଛି। ଚଳିତ ବର୍ଷ ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ର ଥିମ୍‍ ରହିଛି “ଗର୍ଲଫୋର୍ସ : ଅନ୍‍ସ୍କ୍ରିପ୍‌ଟେଡ଼୍‍ ଆଣ୍ଡ୍‍ ଅନ୍‍ଷ୍ଟପେବଲ୍‍”।

ତେବେ ଭାରତ ସରକାର ମଧ୍ୟ କନ୍ୟା ସନ୍ତାନଙ୍କ ସୁରକ୍ଷା, ଉନ୍ନତି ତଥା ଅଧିକାର ଓ ଲିଙ୍ଗଗତ ଭେଦଭାବ ପ୍ରତି ସମ୍ବେଦନଶୀଳ ହୋଇ ଅନେକ ଯୋଜନା ଲାଗୁ କରୁଛନ୍ତି। ଯଦ୍ୱାରା ସାମାଜିକ ସ୍ତରରେ ସେମାନଙ୍କ ସ୍ଥିତି ସୁଦୃଢ ହେବ।

‘ବେଟି ବଚାଓ ବେଟି ପଢାଓ’ ଏକ ବିଶେଷ ଯୋଜନା :

କେନ୍ଦ୍ର ସରକାର କନ୍ୟାମାନଙ୍କ ସଂରକ୍ଷଣ ଓ ସେମାନଙ୍କୁ ସଶକ୍ତ କରିବା ପାଇଁ ୨୦୧୫ରେ ଏହି ଯୋଜନା ଆରମ୍ଭ କରିଥିଲେ। ଏହା ବତୀତ ମହିଳାଙ୍କୁ ସଶକ୍ତ କରିବା ପାଇଁ ସରକାର ଆହୁରି ଅନେକ ସୁବିଧା ସୁଯୋଗ ଯୋଗାଇବା ସହ ବିଭିନ୍ନ ଯୋଜନା ଲାଗୁ କରିଛନ୍ତି। ପ୍ରତ୍ୟେକ ବର୍ଷ ୨୪ ଜାନୁଆରୀକୁ ଭାରତରେ ମଧ୍ୟ ‘ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ’ ରୂପେ ପାଳନ କରାଯାଏ।

Comments are closed.