ଥମିନାହିଁ ‘ଚିଠି ଝଡ଼’ ପ୍ରଭାବ: ସୋନିଆଙ୍କ ଦୁଇ ଅନୁଗତ ଗୁଲାମ-ସିବ୍ବଲ କୋଣଠେସା

ସାଙ୍ଗଠନିକ ନିର୍ବାଚନ ନ ହେଲେ ଦଳ ୫୦ ବର୍ଷ ବିରୋଧୀ ଆସନରେ ବସିବ: ଗୁଲାମନବୀ

କାର୍ଯ୍ୟକାରୀ କମିଟି ବୈଠକରେ ‘ଗଦ୍ଦାର’ ଶବ୍ଦ ବ୍ୟବହାର ଅନୁମତି ଆଶ୍ଚର୍ଯ୍ୟଜନକ: କପିଲ ସିବ୍ବଲ

ଏକ ସନ୍ଧିକ୍ଷଣରେ ଗତି କରୁଛି ଦେଶର ପୁରାତନ ରାଜନୈତିକ ଦଳ କଂଗ୍ରେସ । ଦଳର ଅଧ୍ୟକ୍ଷ ପଦକୁ ନେଇ ଲାଗିରହିଛି ଟଣାଓଟରା । ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ କରିବାକୁ ଗୁଲାମ ନବୀ ଆଜାଦ, କପିଲ ସିବ୍ବଲ, ଶଶି ଥରୁର, ଆନନ୍ଦ ଶର୍ମା, ମୁକୁଲ ୱାସନିକ, ଜିତିନ ପ୍ରସାଦ, ମନୀଷ ତିୱାରୀ, ଭୁପିନ୍ଦର ସିଂହ ହୁଡ଼ା, ପୃଥ୍ବୀରାଜ ଚୌହ୍ବାନଙ୍କ ପରି ବଡ଼ ନେତା ଆଗ୍ରହ ପ୍ରକାଶ କରିଛନ୍ତି । ଏଥିପାଇଁ ଚିଠି ବି ଲେଖିଛନ୍ତି  । ଏହା ସତ୍ବେ କଂଗ୍ରେସ କାର୍ଯ୍ୟକାରୀ କମିଟି ସୋନିଆଙ୍କ ଉପରେ ଆସ୍ଥା ସ୍ଥାପନ କରିଛି ଏବଂ ତାଙ୍କୁ ପରବର୍ତୀ କାର୍ଯକାରିଣୀ ବୈଠକ ପର୍ଯ୍ୟନ୍ତ ସୋନିଆଙ୍କୁ ଆନ୍ତରୀଣ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବାକୁ ସୁଯୋଗ ଦେଇଛି ।

ମାତ୍ର ଏହି ସ୍ଥିତିରେ ଏକଦା ସୋନିଆଙ୍କ ଅତ୍ୟନ୍ତ ଅନୁଗତ କୁହାଯାଉଥିବା ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମନବୀ ଆଜାଦ ଦେଇଛନ୍ତି ବିସ୍ଫୋରକ ବୟାନ । ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ କଂଗ୍ରେସର ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ନ ହେଲେ ଦଳ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ବିରୋଧୀ ଦଳ ଭାବରେ ରହିବ । ଅନ୍ୟପକ୍ଷରେ ହିନ୍ଦୁସ୍ଥାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କପିଲ ସିବ୍ବଲ କହିଛନ୍ତି ଯେ ଦଳକୁ ୨୪x୭ ଅର୍ଥାତ ସାତଦିନ ଯାକ ୨୪ ଘଣ୍ଟା ସଜାଗ ରହୁଥିବା ନେତୃତ୍ବ ଆବଶ୍ୟକ । କେବଳ ସେତିକି ନୁହେଁ କପିଲ ସିବ୍ବଲ ବର୍ତମାନ କଂଗ୍ରେସର ନିମ୍ନଗାମୀ ସ୍ତର ଐତିହାସିକସ୍ତରରେ ରହିଥିବା କହିଛନ୍ତି  ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୨୩ ନେତା ଲେଖିଥିବା ଚିଠିକୁ ନେଇ ସୋମବାର ଦଳର କାର୍ଯ୍ୟକାରୀ ବୈଠକରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଗଣମାଧ୍ୟମକୁ ଏହି ଚିଠି କିପରି ଗଲା ଓ କିଏ ପଠାଇଲା ତାହାକୁ ନେଇ ବିବାଦ ଦେଖାଦେଇଛି ।

ଅନ୍ୟପକ୍ଷରେ କପିଲ ସିବଲ ହିନ୍ଦୁସ୍ଥାନ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ – ଯଦି ଗଣମାଧ୍ୟମ ବା ଅନ୍ୟ କାହାପାଖକୁ ଚିଠି ଗଲା ତେବେ ଏହି ଚିଠିର ପ୍ରସଙ୍ଗ ବି ସେମାନେ ଜାଣିଥିବେ । ଏଥିରେ ଗାନ୍ଧୀ ପରିବାରରେ କାହାକୁ ଛୋଟ ଦେଖାଇବାକୁ ପ୍ରୟାସ କରାଯାଇ ନାହିଁ । ଗାନ୍ଧୀ ପରିବାର କଂଗ୍ରେସ ନେତୃତ୍ବ ନେଇ ଯେଉଁ କାର୍ଯ୍ୟ କରିଛନ୍ତି ସେଥିରେ ତାହାକୁ ପ୍ରଶଂସା କରାଯାଇଛି ।

ଗତ ଅଗଷ୍ଯ ୭ ତାରିଖରେ କଂଗ୍ରେସର ଆନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଲେଖାଯାଇଥିବା ଚିଠିରେ ଜଣେ ପ୍ରଭାବଶାଳୀ ଓ ପୂର୍ଣକାଳୀନ ନେତୃତ୍ବ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ଏହା ସହ ଚିଠିରେ ଦଳର ସବୁ ସ୍ତରରେ ନିର୍ବାଚନ ନିମନ୍ତେ ମଧ୍ୟ ଅନୁରୋଧ କରାଯାଇଥିଲା । ମାତ୍ର ଏହି ଚିଠି ବାହାରକୁ ଚାଲିଯିବା ପରେ କଂଗ୍ରେସ ଦଳର ଏକ ଗୋଷ୍ଠୀ ଚିଠି ଲେଖିଥିବା ନେତାମାନଙ୍କ ବିରୋଧରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ଦିଗବିଜୟ ସିଂହ, କମଳନାଥ, ଅଶୋକ ଗେହଲଟଙ୍କ ପରି କିଛି ବଡ଼ ନେତା ମଧ୍ୟ ଚିଠି ଲେଖାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଇଥିଲେ ।

ମାତ୍ର ଗୁଲାମ ନବୀ ଆଜାଦ ଏଏନଆଇକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ ଆମର ଉଦ୍ୟମ କେବଳ କଂଗ୍ରେସକୁ ମଜବୁତ କରିବା ପାଇଁ ରହିଥିଲା । ଯଦି ଚିଠି ଲିକ୍ ହୋଇଗଲା ତେବେ ଏତେ ବିବାଦ କାହିଁକି ? ଦଳକୁ ମଜବୁତ କରିବା ଓ ଦଳୀୟ ନିର୍ବାଚନ ନିମନ୍ତେ ଅନୁରୋଧ କରିବାରେ କେଉଁ ଗୋପନ କଥା ରହିଛି ? ଗୁଲାମନବୀ ପୁଣି କହିଛନ୍ତି ​‌ଯେ ଆମେ ନିର୍ବାଚନ ପରେ ନିର୍ବାଚନ ହାରିବାରେ ଲାଗିଛୁ । ଯଦି ଦଳକୁ କ୍ଷମତାକୁ ଫେରିବାର ଅଛି, ତେବେ ନିର୍ବାଚନ କରି ଦଳକୁ ମଜବୁତ କରିବାର ଆବଶ୍ୟକତା ରହିଛି । ଯଦି ଆମ ଦଳ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ବିରୋଧୀ ଆସନରେ ବସିବାକୁ ଚାହୁଁଛି, ତେବେ ଦଳରେ ନିର୍ବାଚନର ଆବଶ୍ୟକତା ନାହିଁ । ନିଜ ପଦ ହରାଇବା ଆଶଙ୍କାରେ ଦଳର କିଛି ଲୋକ ନିର୍ବାଚନକୁ ଭୟ କରୁଛନ୍ତି । ମୁଁ ଦୁଇଥର କଂଗ୍ରେସ କାର୍ଯ୍ୟକାରୀ କମିଟି ନିର୍ବାଚନ ଲଢ଼ିଛି, ଦୁଇଥରଯାକ ନିର୍ବାଚିତହୋଇଛି । ନିର୍ବାଚନ କରିବାରେ କ୍ଷତି କେଉଁଠି?

ଅନ୍ୟପକ୍ଷରେ କପିଲ ସିବ୍ବଲ କହିଛନ୍ତି ଯେ ଯଦି ଆମର ଚିଠି ପ୍ରସଙ୍ଗକୁ ନେଇ ଯଦି ଆଲୋଚନା ହୋଇଥାଆନ୍ତା, ତେବେ କାର୍ଯ୍ୟକାରୀ କମିଟିରେ ଉପସ୍ଥିତ ଲୋକଙ୍କୁ ଜଣାପଡ଼ିଥାଆନ୍ତା ଯେ ଦଳକୁ ପୁନର୍ଜୀବିତ କରିବା ଓ ସଙ୍ଗଠିତ କରିବା ପାଇଁ ଏହା ଉଦ୍ଦି​ଷ୍ଟ ଥିଲା । ମାତ୍ର କାର୍ଯ୍ୟକାରୀ କମିଟିରେ ଉପସ୍ଥିତ ଜଣେ ବ୍ୟକ୍ତି ବିଶ୍ବାସଘାତକ (ଗଦ୍ଦାର) ପରି ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ, ମାତ୍ର ତାଙ୍କୁ କେହି ଜଣେ ମଧ୍ୟ ବିରୋଧ କଲେ ନାହିଁ । ଚିଠିର କୌଣସି ସ୍ଥାନରେ ଗୋଟିଏ ବି ଅସଭ୍ୟ ଶବ୍ଦ ବ୍ୟବହାର କରାଯାଇ ନ ଥିଲା, ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଦଳର ସବୁଠୁ ଶୀର୍ଷ ବୈଠକରେ ଏପରି ଶବ୍ଦ ବ୍ୟବହାର ଲାଗି କିପରି ଅନୁମତି ମିଳିଲା । ସେ ପୁଣି କହିଛନ୍ତି ଯେ କୌଣସି କଥାକୁ ମୋର ଡ଼ର ନାହିଁ । ମୁଁ ସଚ୍ଚା କଂଗ୍ରେସୀ ଓ ଭବିଷ୍ୟତରେ ମଧ୍ୟ ସଚ୍ଚା କଂଗ୍ରେସୀ ହୋଇ ରହିବି । ଏହି ଅବସରରେ ସେ ଦଳର ନେତା ଜିତିନ ପ୍ରସାଦଙ୍କ ଉପରେ ଦଳ ନେତାମାନେ ଦେଇଥିବା ମନ୍ତବ୍ୟକୁ ମଧ୍ୟ ସମାଲୋଚନା କରିଛନ୍ତି ।

ଅନ୍ୟପକ୍ଷରେ ଦଳରେ ଚିଠି ଝଡ଼ ଏବେ ବି ଶାନ୍ତ ହୋଇ ନ ଥିବା ଚର୍ଚା ହେଉଛି । ଏହାମଧ୍ୟରେ କଂଗ୍ରେସ ପକ୍ଷରୁ କିଛି କମିଟି ଘୋଷଣା ହୋଇଛି । ଦଳ ଗୌରବ ଗୋଗୋଇଙ୍କୁ ଲୋକସଭାରେ ଦଳର ଉପନେତା ଓ ନବନୀତ ବିଟ୍ଟୁଙ୍କୁ ଛାଟିଆ ନିଯୁକ୍ତି ଦିଆଯାଇଛି । ଏବେ ଅଭିଯୋଗ ଉଠୁଛି ଯେ ଦଳ ଶଶି ଥରୁର, ମନୀଷ ତିୱାରୀଙ୍କ ପରି ବଡ଼ ନେତାମାନଙ୍କୁ ଅଣଦେଖା କରିଛି। ଉଭୟ ନେତା ଦଳରେ ଅଧ୍ୟକ୍ଷ ପଦ ନିମନ୍ତେ ଲେଖାଯାଇଥିବା ଚିଠିରେ ସ୍ବାକ୍ଷର କରିଥିବାରୁ ଏପରି କରାଯାଇଥିବା ଚର୍ଚା ଦାନା ବାନ୍ଧିଛି । ଅନ୍ୟପକ୍ଷରେ ଜିତନ କୁମାରଙ୍କ ପରି ନେତାମାନଙ୍କ ବିରୋଧରେ ଦଳ ଭିତରେ ମେଳି କରାଯାଉଥିବା ମଧ୍ୟ ଆଲୋଚନା ଚାଲିଛି ।

Comments are closed.