ବୀରମିତ୍ରପୁର ପୂର୍ବତନ ଥାନା ଅଧିକାରୀଙ୍କୁ ଜଙ୍ଗଲରୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା ବହିଷ୍କାର କରିଥିଲେ ଡ଼ିଜି

ରାଉରକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ ତାଙ୍କୁ ଗିରଫ କରିଥିବା ଜଣାପଡିଛି। ଏନେଇ ପୁଲିସ ଡିଜିପି ଅଭୟ ସୂଚନା ଦେଇଛନ୍ତି। ଅନୁଗୋଳ ନିକଟରେ ଏକ ଜଙ୍ଗଲରେ ସେ ଆତ୍ମଗୋପନ କରିଥିଲେ ଓ ତାଙ୍କ ମୋବାଇଲ ସ୍ବିଚ୍ ଅଫ୍ ରହିଥିଲା । ମାତ୍ର କ୍ରାଇମବ୍ରାଞ୍ଚ ଭିନ୍ନ ବାଟ ଅବଲମ୍ବନ କରି ତାଙ୍କୁ ଠାବ କରିବାକୁ ସକ୍ଷମ ହୋଇଥିଲେ ଓ ବୁଧବାର ଅପରାହ୍ନରେ ତାଙ୍କୁ ଜଙ୍ଗଲରୁ ଗିରଫ କରିଥିଲା ।

ଆଜି ସକାଳେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟ୍ ଯୋଗେ ଏହି ସୂଚନା ଦେଇଥିଲେ । ଟ୍ବିଟରେ ପୁଲିସ ମହାନିର୍ଦେଶକ ଲେଖିଥିଲେ ଜଣେ କାର୍ଯ୍ୟରତ ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟ ପୁଲିସ ବିଭାଗକୁ ଲଜ୍ଜିତ ଓ ନିନ୍ଦିତ କରିଛି । ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥନା କରୁଛୁ ବୋଲି ଡିଜିପି କହିଥିଲେ।
ସୂଚନାଯୋଗ୍ୟ, ବୀରମିତ୍ରପୁର ଅଞ୍ଚଳରେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଇ ପୁଲିସ କର୍ମଚାରୀଙ୍କ ସମେତ ଅନ୍ୟ ତିନି ଜଣ ଦୁଷ୍କର୍ମ କରିବା ସହ ନାବାଳିକାର ଗର୍ଭପାତ କରାଇଥିଲେ। ଏହି ଘଟଣାରେ ଆଇଆଇସିଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ଫେରାର୍ ଅଛନ୍ତି । ବୀରମିତ୍ରପୁରର ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଏହାକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ନାବାଳିକାକୁ ନ୍ୟାୟ ପ୍ରଦାନ ଦାବିରେ ବିଭିନ୍ନ ସାମଜିକ ସଙ୍ଗଠନ ମଧ୍ୟ ବିକ୍ଷୋଭ ପଦର୍ଶନ କରିଥିଲେ। ଏହାରି ମଧ୍ୟରେ ଗତକାଲି ଓଡ଼ିଶା ପୁଲିସ ମହାନିର୍ଦେଶକ ଅଭୟ କ୍ରାଇମବ୍ରାଞ୍ଚକୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.