ଜଳ ଯନ୍ତ୍ରଣା ମୁକ୍ତିଦାତା ‘କାହ୍ନୁଚରଣ’: ନିଜସ୍ୱ ଖର୍ଚ୍ଚ ଓ କାଠରେ ନିର୍ମାଣ କଲେ ପ୍ରକଳ୍ପ, ଉପକୃତ ହେଲା ୩ ଗାଁ

ଭଞ୍ଜନଗର: ଗାଁକୁ ଚାରି ଦିଗରୁ ଘେରି ରହିଛି ଚାଞ୍ଚରା ପାହାଡ। ପ୍ରତିଟି ମୁହୂର୍ତ୍ତରେ ଗ୍ରାମବାସୀଙ୍କୁ ଘାରିଛି ପାନୀୟ ଜଳ ଚିନ୍ତା। ପାଣି ମାଠିଏ ସଂଗ୍ରହ କରିବାକୁ ଗ୍ରାମବାସୀ ଗଁା ଠାରୁ ଢେର ଦୂର ଏକ କୂଅମୂଳେ ଦିବାନିଶି ଲମ୍ବା ଧାଡିରେ ଛିଡା ହୁଅନ୍ତି । କୂଅ ଭିତରୁ ପାଣି ଝରିଲେ ଜଣକ ପରେ ଜଣେ ରଶିରେ ପାଣି ବାହାର କରି ଘରକୁ ବୋହି ଆଣନ୍ତି। ପୁଣି ଆଗପଛ ପାଣି ନେବାକୁ ନେଇ ସେମାନଙ୍କ ମଧ୍ୟରେ ରୀତିମତ କଳିତକରାଳ। ପୁରୁଷ ପୁରୁଷ ଧରି ଗାଁବାସୀ ଜଳ କଷ୍ଟ ଭୋଗି ଆସୁଛନ୍ତି। ଏଣେତେଣେ ବୁଲି ବିଭିନ୍ନ ଉତ୍ସରୁ ପାଣି ସଂଗ୍ରହ କରନ୍ତି ତ ଅନ୍ୟ କେେତେବେଳେ ନିକଟରେ ବହି ଯାଉଥିବା ନାଳରୁ ପାଣି ଛାଣି ଆଣି ପାନୀୟ ଜଳ ଭାବେ ବ୍ୟବହାର କରନ୍ତି। ଏଭଳି ଜଳକଷ୍ଟ ଭୋଗୁଛନ୍ତି ଭଞ୍ଜନଗରଠାରୁ ସୋରଡା ଯିବା ରାସ୍ତାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାସପଲ୍ଲୀ ଗ୍ରାମବାସୀ। ପୁରୁଷପୁରୁଷ ଧରି ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗ୍ରାମର ୩୫୦ ପରିବାର। ଗ୍ରାମାବାସୀଙ୍କ ଜଳ ଯାତନା ଦୂର କରିବାକୁ ଗଁାରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ସରକାରୀସ୍ତରରେ ଦୁଇ ଦୁଇ ଥର ଉଦ୍ୟମ ହୋଇଥିଲା। ବାରମ୍ବାର ପରୀକ୍ଷା ନୀରିକ୍ଷା ପରେ ଭୂଗର୍ଭରେ ପାଣି ନଥିବା ଦର୍ଶାଇ ପ୍ରକଳ୍ପ ନିର୍ମାଣ ସର୍ଭେରେ ହିଁ ରହି ଯାଇଥିଲା। ଗ୍ରାମବାସୀଙ୍କୁ ଏଭଳି ଯନ୍ତ୍ରଣାରୁ ନିସ୍ତାର ଦେବାକୁ ଆଗେଇ ଆସିଛନ୍ତି ଗଁାର ଶିକ୍ଷିତ ଯୁବକ କାହ୍ନୁଚରଣ ବିଶୋୟୀ। ନିଜସ୍ବ ଉଦ୍ୟମ ଏବଂ ଖର୍ଚ୍ଚରେ ନିର୍ମାଣ କରିଛନ୍ତି ପାନୀୟ ଜଳ ପ୍ରକଳ୍ପ। ଗଭୀର ନଳୂକପ ଖନନ ସହ କାଠରେ ଓଭରହେଡ ଟ୍ୟାଙ୍କର କାଠରେ ନିର୍ମାଣ କରି ସେ ଗଁାବାସୀଙ୍କ ଶୋଷ ମେଣ୍ଟାଇବାରେ ଦେବଦୂତ ସାଜିଛନ୍ତି ।
ଗ୍ରାମବାସୀଙ୍କ ଜଳକଷ୍ଟ ଦୂର କରିବାକୁ ନିଜସ୍ୱ ଉଦ୍ୟମରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିବାକୁ ସଂକଳ୍ପ ନେଇ ତାହାକୁ ସାକାର ରୂପ ଦେଇଛନ୍ତି କାହ୍ନୁଚରଣ। ଯେଉଁଠି ଟୋପେ ପାଣି ମିଳିବା କଷ୍ଟସାଧ୍ୟ ଥିଲା, ସେଠି ପାନୀୟ ଜଳର ବନ୍ୟା ଛୁଟିଛି। ସମସ୍ତଙ୍କ ମୁହଁରେ ହସ ଫୁଟିଛି। କି ଦିନ କି ରାତି ଗ୍ରମାବସୀ ଏହି ପ୍ରକଳ୍ପ ନିକଟରେ ରୁଣ୍ଡ ହୋଇ ଅତି ସରାଗରେ ଜଳ ସଂଗ୍ରହ କରୁଛନ୍ତି। ପିଇବା ପାଣିଠାରୁ ଆରମ୍ଭ କରି ଯାବାତୀୟ ବ୍ୟବହାରରେ ବିନିଯୋଗ ହଉଛି ଏହି ପ୍ରକଳ୍ପ ଜଳ। ଏହି ପାନୀୟ ଜଳ ପ୍ରକଳ୍ପରୁ ପଳାସପଲ୍ଲୀ ସମେତ ଆଖପାଖ କାଳିଆଗୁଡା ଓ ଗୁଡିବନ୍ଧ ଗ୍ରାମାବସୀ ବି ଉପକୃତ ହେଉଛନ୍ତି। ୩ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ଅମୃତଧାରା ଛୁଟାଇଥିବା ଏହି ପ୍ରକଳ୍ପର ନିର୍ମାତା ୩୦ ବର୍ଷର ଯୁବକ କାହ୍ନୁ ଚରଣ ଏବେ ସମସ୍ତଙ୍କ ଆଦରର ମଣିଷ ପାଲଟିଛନ୍ତି। କାହ୍ନୁଙ୍କ ପ୍ରତିଷ୍ଠିତ ପ୍ରକଳ୍ପ ପାନୀୟ ଜଳ ସହ ଧାନ ଫସଲରେ ବିନିଯୋଗ ହେଉଛି।
ନିକଟସ୍ଥ ସିଆରିମାଳ ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ କୁମାର ବିଷୋୟୀଙ୍କ ପୁଅ କାହ୍ନୁଚରଣ ୨୦୧୦ ମସିହାରେ କ୍ଷତ୍ରିୟବରପୁର କଲେଜରୁ ଯୁକ୍ତତିନିରେ ଉର୍ତ୍ତୀର୍ଣ୍ଣ ହେବା ପରେ ଚାକିରି ପ୍ରତି ମନ ନବଳାଇ ସ୍ୱାଧୀନ ଭାବେ ଜୀବନ ଅତିବାହିତ କରି ମାନବ ସେବାରେ ଉତ୍ସର୍ଗୀକୃତ କରିବାକୁ ନିଷ୍ପତ୍ତି ନେଇଥିଲେ। ଗଁାରେ କାଠ କାମ କରି ଗୁଜୁରାଣ ମେଣ୍ଟାଉଥିବା କାହ୍ନୁଚରଣ ଲୋକଙ୍କ ଜଳକଷ୍ଟକୁ ସହ୍ୟ କରିନପାରି ସେଥିରୁ ନିସ୍ତାର ଦେବାକୁ ପଣ କରିଥିଲେ। କାଠ କାମ କରି ଉପାର୍ଜନ କରିଥିବା ଅର୍ଥରେ ପ୍ରଥମେ ଗାଁ ମୁଣ୍ଡରେ ଏକ ଜାଗା ଖଣ୍ଡିଏ କିଣି ପ୍ରକଳ୍ପ ନିର୍ମାଣର ମୂଳଦୁଆ ପକାଇଥିଲେ। ୨୦୨୦ ଜାନୁୟାରୀରେ ଭଞ୍ଜନଗରରୁ ଏକ ଗଭୀର ନଳକୂପ ଖନନ ଗାଡି ଭଡାରେ ନେଇଥିଲେ। ୬୦ ହଜାର ଟଙ୍କା ଖର୍ଚ୍ଚ କରି ଗଁା ମୁଣ୍ଡରେ ଗଭୀର ନଳକୂପ ଖନନ କରିଥିଲେ। ବୋରୱେଲରୁ ପାଣି ଉପର ଟ୍ୟାଙ୍କକୁ ଉଠାଇବା ପାଇଁ ସେ ଯେଉଁ କୌଶଳ ଅବଲମ୍ବନ କରିଛନ୍ତି ତାହା ସମସ୍ତଙ୍କୁ ତାଜୁବ କରିଛି। ସିମେଣ୍ଟ ଓ ଲୁହାଛଡରେ ପାଣି ଟାଙ୍କି ନିର୍ମାଣ ବଦଳେ କାଠରେ ଏକ ନିଆରା ଶୈଳୀରେ ନିର୍ମାଣ କରିଛନ୍ତି । ୪ଟି ମୋଟା କାଠ ସ୍ତମ୍ଭ ପୋତି ତାହାର ଉପରେ କାଠ ପଟା ରଖି ଏକ ପ୍ଲାଷ୍ଟିକ ଟାଙ୍କି ରଖିଥିଲେ। ବୋରୱେଲ ଭିତରରୁ ପାଇପ୍‍ ସଂଯୋଗ କରି ପାଣି ଉଠାଇ ଟାଙ୍କିରେ ଭର୍ତ୍ତି କରିବାର ପ୍ରକ୍ରିୟା ବେଶ ନିଆରା। ସୁଇଚ୍‍ ଟିପିବା କ୍ଷଣି ଅନବରତ ପାଣି ଭାସିଥିଲା। ଟ୍ୟାଙ୍କିଟି ଭର୍ତ୍ତି ହେବା ପାଇଁ ମାତ୍ର ୫ ମିନିଟ ସମୟ ଲାଗୁଛି। ବାକିତକ ପାଣି ଓଭର ଫ୍ଲୋ ହୋଇ ଅନ୍ୟ ଏକ ଖୋଲା ପାଇପରେ ତଳେ ପଡୁଛି। ସେହି ଜଳ ଧାନ ଫସଲରେ ବିନିଯୋଗ ହେଉଛି। ଆଗାମୀ ଦିନରେ ସେ ଅସହାୟ ପୁଅ-ଝିଅଙ୍କ ପାଇଁ ଏକ ଆଶ୍ରମ ଖୋଲିବାକୁ ଲକ୍ଷ୍ୟ ରଖିଥିବା କାହ୍ନୁଚରଣ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏଥିସହିତ ଉକ୍ତ ପ୍ରକଳ୍ପର ବିଦ୍ୟୁତ ଓ ଅନ୍ୟାନ ଖର୍ଚ୍ଚ ସେ ନିଜେ ବହନ କରୁଛନ୍ତି। ଘରକୁ ପାଇପ ସଂଯୋଗ ଜରିଆରେ ଜଳ ଯୋଗାଇବାକୁ ସେ ଆଉ ଏକ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କାମ ଢେର ମାସ ଆଗରୁ ଆରମ୍ଭ ହୋଇଥିଲେ ମଧ୍ୟ କରୋନା କଟକଣା କାରଣରୁ ତାହା ବନ୍ଦ ରହିଛି।

Comments are closed.