ବାହାଘରରେ କନ୍ୟା ଘର ପକ୍ଷରୁ ଅଭିନବ ବ୍ୟବସ୍ଥା; ଆସ ବା ନ ଆସ, ଅନ୍‌ଲାଇନ୍‌ ଉପହାର ପଠାଅ

ମଦୁରାଇ: ବିବାହ ଉତ୍ସବରେ ନବଦମ୍ପତିଙ୍କୁ ଉପହାର ଦେବା ଏକ ସାଧାରଣ ବିଧି; କିନ୍ତୁ ଏହାର ଧାରା ସମୟାନୁସାରେ ବଦଳିଚାଲିଛି। ବିଭିନ୍ନ ସାମଗ୍ରୀ ଉପହାର ଦେବା ଏବେ ପୁରୁଣା ହୋଇଗଲାଣି। ‘ଗିଫ୍ଟ ଚେକ୍‌’ ଦେବା ମଧ୍ୟ ପୁରୁଣା ହେବାକୁ ବସିଲାଣି। ଏବେ ଅନ୍‌ଲାଇନ୍‌ର ଯୁଗ; ତେଣୁ ଉପହାର ରାଶିକୁ ନବଦମ୍ପତିଙ୍କ ଆକାଉଣ୍ଟକୁ ‘ଅନ୍‌ଲାଇନ୍‌ ଟ୍ରାନ୍ସଫର’ କରିଦେଲେ ଚିନ୍ତା ଯିବ। ଏଥିରେ ମଳିଧୂଳି ନାହିଁ। ଏମିତି ବ୍ୟବସ୍ଥା କରି ଚର୍ଚ୍ଚାକୁ ଆସିଛନ୍ତି ତାମିଲନାଡୁ ଅନ୍ତର୍ଗତ ମଦୁରାଇର ଏକ ପରିବାର। ଏହି ପରିବାର ନିଜ ଝିଅ ବିବାହ ପାଇଁ ଛାପିଥିବା ନିମନ୍ତ୍ରଣ ପତ୍ରରେ ଏକ ‘କ୍ୟୁଆର କୋଡ’ ଛାପିଛନ୍ତି ଏବଂ ଏହା ମାଧ୍ୟମରେ ଉପହାର ରାଶି ପ୍ରଦାନ କରିବାକୁ ନିବେଦନ କରିଛନ୍ତି। ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରୁ ଯିଏ ଆସନ୍ତୁ ଅବା ନ ଆସନ୍ତୁ, ଏହା ମାଧ୍ୟମରେ ଅଥବା ଗୁଗୁଲ ପେ’ ବା ଫୋନ୍‌ ପେ’ରେ ଝିଅର ବ୍ୟାଙ୍କ ଆକାଉଣ୍ଟକୁ ଉପହାର ରାଶି ପଠାଇପାରିବେ ବୋଲି ନିମନ୍ତ୍ରଣପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି; ଅର୍ଥାତ୍‌ ଉପହାର ଆଦାୟକୁ ସେମାନେ ଅତି ସହଜ କରିଦେଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ସେମାନେ ଏଥିପାଇଁ କରୋନାକୁ ଦାୟୀ କରିଛନ୍ତି। ଅପରପକ୍ଷରେ ଏହା ଦ୍ବାରା କୌଣସି ଜିନିଷ କିଣି ବୋହିବୋହି ନେବା କିମ୍ବା ଲଫାପାଟିଏ କିଣି ଟଙ୍କା ଭର୍ତ୍ତି କରିବାର ଝିନ୍‌ଝଟ ଶେଷ ବୋଲି କୁହାଯାଉଛି।

ସୂଚନାନୁଯାୟୀ, ରବିବାର ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି ଏବଂ ନିମନ୍ତ୍ରଣପତ୍ର ପାଇଥିବା ନିମନ୍ତ୍ରଣ ପାଇଥିବା ପ୍ରାୟ ୩୦ଜଣ ବନ୍ଧୁ ଏହାର ସଦୁପଯୋଗ କରିଥିବା କରିଛନ୍ତି। କନ୍ୟାଙ୍କ ମାଆ ଟି.ଜେ ଜୟନ୍ତୀ ମଦୁରାଇରେ ଏକ ବ୍ୟୁଟି ପାର୍ଲର ଚଳାଉଛନ୍ତି। ତାଙ୍କ କହିବାନୁଯାୟୀ, ତାଙ୍କ ବନ୍ଧୁବାନ୍ଧବମାନେ ଉତ୍ସବରେ ଉପସ୍ଥିତ ଥାଇ ମଧ୍ୟ ଅନ୍‌ଲାଇନ୍‌ରେ ଉପହାର ଅର୍ଥ ପ୍ରଦାନ କରିଛନ୍ତି। ପ୍ରଥମ ଥର ପାଇଁ ତାଙ୍କ ପରିବାର କରୋନାକୁ ଦୃଷ୍ଟିରେ ରଖି ଏଭଳି ଅଭିନବ ପଦକ୍ଷେପ ନେଇଥିବାରୁ ବହୁ ଲୋକ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
ଅନ୍ୟ ଏକ ଖବର ଅନୁସାରେ, କରୋନାଜନିତ ତାଲାବନ୍ଦବେଳେ ଅନୁଷ୍ଠିତ ଏକ ବିବାହ ଉତ୍ସବକୁ ଅତିଥିମାନେ ଆସି ନ ପାରିବାରୁ ଏହାକୁ ଉପଭୋଗ କରିବା ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା କରାଯାଇଥିଲା। କେବଳ ସେତିକି ନୁହେଁ; ବିବାହ ଉତ୍ସବର ଉଦ୍ୟୋକ୍ତା ଅନ୍‌ଲାଇନ୍‌ରେ ସମସ୍ତଙ୍କ ଘରକୁ ଖାଦ୍ୟ ପଠାଇବା ବ୍ୟବସ୍ଥା କରିଥିଲେ। ସମ୍ପ୍ରତି ଏଭଳି ଭର୍ଚୁଆଲ ବିବାହ ପାଇଁ କିଛି ସଂସ୍ଥା ବ୍ୟବସ୍ଥା କରାଇ ଦେଉଛନ୍ତି। ଏହା ଏବେ ଭଲ ବ୍ୟବସାୟ ହୋଇଛି।

Comments are closed.