ଆହତ ହରିଣକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ସ୍ବେଚ୍ଛାସେବୀ

ଗଞ୍ଜାମ : ଗଞ୍ଜାମ ସହର ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଶନି ମନ୍ଦିର ନିକଟରେ ଏକ ଅଜଣା କାର ଧକାରେ ଏକ ହରିଣ ଆହାତ ହୋଇଥିଲା। ଏହି ହରିଣକୁ ଉଦ୍ଧାର କରି ସ୍ଥାନୀୟ ଯୁବ ସ୍ଵେଛାସେବୀ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ସୂଚନା ଯୋଗ୍ୟ ଯେ ଗଞ୍ଜାମ ସହର ତ୍ରିବେଣୀ ମଠ ଛକ ପଟୁ ଏକ ହରିଣ ବଡ଼ବଜାର ଓ ଢ଼ାମଣା ସାହି ରାସ୍ତାଦେଇ ଦୌଡ଼ି ଯାଇ ୧୬ ନମ୍ବର ଜାତୀୟ ରାଜପଥ ପାର ହେଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ କାର ସହ ଧକା ହୋଇଥିଲା। ସେ ଧକ୍କା ରେ ପ୍ରାୟ ୫୦ ଫୁଟ ଦୂରକୁ ଛିଟିକି ପଡି ଆହାତ ହୋଇଥିଲା।  ଏହି ଦୁର୍ଘଟଣା ଫଳରେ ହରିଣର ଶିଙ୍ଗ ଓ ଅଣ୍ଟାରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା।

ସ୍ବେଚ୍ଛାସେବୀ ଜଗଦୀଶ ରାଓ, ବିଶ୍ଵନାଥ ମହାଙ୍କୁଡ, ସାମ୍ବାଦିକ ଉମାକାନ୍ତ ବେହେରା ହରିଣଟିକୁ ଉଦ୍ଧାର କରି ସେବା ଶୁଶ୍ରୁଷା କରିଥିଲେ। ପ୍ରାଣୀଚିକିତ୍ସା ଅଧିକାରୀ ବିକାଶ ଚନ୍ଦ୍ର ବେହେରା ସେଠାରେ ପହଞ୍ଚି ହରିଣଟି ର ପ୍ରାଥମିକ ଚିକିତ୍ସା କରିଥିଲେ । ଗଞ୍ଜାମ ଥାନା ଏସଆଇ ଅଜିତ ପରିଡ଼ାଙ୍କ ଉପସ୍ଥିତିରେ ଫରେଷ୍ଟର ରାଜେଶ୍ୱର୍ ବେହେରା ସେଠାରେ ପହଞ୍ଚିଥିଲେ। ଗଡ଼ ହମ୍ମା ହରିଣଟିକୁ ଉଦ୍ଧାର କରି ନିଆଯାଇ ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି ।

Comments are closed.