ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍ ଆଜିଠାରୁ

ଚେନ୍ନଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ସର୍ବଦା କ୍ରିକେଟ୍‌ପ୍ରେମୀଙ୍କୁ ରୋମାଞ୍ଚିତ କରିଥାଏ। ୪ ବର୍ଷ ପରେ ଭାରତ ଗସ୍ତରେ ଆସିଛି ଇଂଲଣ୍ଡ ଦଳ। ୪ ବର୍ଷ ତଳେ ଇଂଲଣ୍ଡ ଏଠାରୁ ୪ଟିଯାକ ଟେଷ୍ଟ ହାରି ଫେରିଥିଲା। ଏଥର ସିରିଜ୍ ନ ଜିତିଲେ ମଧ୍ୟ ଉନ୍ନତ ପ୍ରଦର୍ଶନ ଆଶାରେ ଜୋ ରୁଟ୍‌ ନେତୃତ୍ବାଧୀନ ଦଳ ରହିବ। ଶୁକ୍ରବାରଠାରୁ ୪ ମ୍ୟାଚ୍‌ ବିଶିଷ୍ଟ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ପ୍ରଥମ ଟେଷ୍ଟ ଏମ୍.ଏ. ଚିଦମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯିବ। ଉଭୟ ଦଳ ବିଦେଶରେ ଟେଷ୍ଟ ସିରିଜ୍ ଜିତି ଏହି ସିରିଜ୍ ଖେଳିବାକୁ ଯାଉଛନ୍ତି। ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍‌କୁ ୨-୦ରେ ପୋଛିବା ପରେ ଭାରତ ଆସିଛି ଇଂଲଣ୍ଡ। ଅନ୍ୟପକ୍ଷରେ ଦଳର ଅର୍ଦ୍ଧାଧିକ ନିୟମିତ ଖେଳାଳିଙ୍କୁ ହରାଇବା ସତ୍ତ୍ବେ ଘରୋଇ ଅଷ୍ଟ୍ରେଲିଆକୁ ୨-୧ରେ ଟେଷ୍ଟ ସିରିଜ୍‌ରେ ଭାରତ ପରାସ୍ତ କରିଛି। ପୁଣି ଉଭୟ ଦଳକୁ କିଛି ପ୍ରମୁଖ ଖେଳାଳି ଫେରିଥିବାରୁ ସେମାନେ ଉତ୍ସାହିତ ଅଛନ୍ତି। ଇଂଲଣ୍ଡ ଦଳକୁ ଫାଷ୍ଟବୋଲର ଜୋଫ୍ରା ଆର୍ଚର ଓ ତାରକା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍‌ସ ଫେରିଛନ୍ତି। ଭାରତୀୟ ଦଳକୁ ଅଧିନାୟକ ବିରାଟ କୋହଲିଙ୍କ ସହ ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା ଓ ଆର୍. ଅଶ୍ବିନ ଫେରିଛନ୍ତି।

କୋଭିଡ୍‌ ସଂକ୍ରମଣ ଯୋଗୁଁ ଦୀର୍ଘ ୩୩୦ ଦିନ ପରେ ଭାରତକୁ ଆନ୍ତର୍ଜାତିକ କ୍ରିକେଟ୍‌ ଫେରିବାକୁ ଯାଉଛି। ମଜ୍‌ଭୁତ ସ୍ପିନ୍ ବୋଲିଂ ଆକ୍ରମଣ ଓ ସ୍ପିନ୍ ବିପକ୍ଷରେ ମଜ୍‌ଭୁତ ବ୍ୟାଟ୍‌ସମ୍ୟାନ୍ ନ ଥିଲେ ଭାରତରେ ଟେଷ୍ଟ ସିରିଜ୍ ଜିତିବା କଷ୍ଟକର। ୨୦୧୨ରେ ଶେଷଥର ପାଇଁ ଭାରତରେ ଇଂଲଣ୍ଡ ଟେଷ୍ଟ ସିରିଜ୍ ଜିତିଥିବା ବେଳେ ମଣ୍ଟି ପାନେସାର ଓ ଗ୍ରାଏମ୍ ସ୍ବାନ୍‌ଙ୍କ ପରି ସ୍ପିନର ଭାରତୀୟଙ୍କୁ ବଶୀଭୁତ କରି ପାରିଥିଲେ। ଏବେ ଦଳରେ ଥିବା ଡମ୍ ବେସ୍ ଓ ଜ୍ୟାକ୍ ଲିଚ୍ ଅବଶ୍ୟ ମଣ୍ଟି ଓ ସ୍ବାନ୍‌ଙ୍କ ପରି କରିତ୍‌କର୍ମା ସ୍ପିନର ନୁହନ୍ତି। ସ୍ପିନ୍‌ ବୋଲିଂ ଅଲ୍‌ରାଉଣ୍ଡର ମୋଇନ୍ ଅଲୀ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି। ତେବେ ଶ୍ରୀଲଙ୍କାରେ ବେସ୍ ଓ ଲିଚ୍‌ଙ୍କ ପ୍ରଦର୍ଶନ ଚମତ୍କାର ଥିଲା ଏବଂ ଚେନ୍ନଇର ପିଚ୍‌ ଉଭୟଙ୍କୁ ସହାୟତା ଦେବ। ଭାରତୀୟ ବୋଲିଂ ଆକ୍ରମଣର ନେତୃତ୍ବ ନେବେ ଆର୍. ଅଶ୍ବିନ୍। ୨ୟ ସ୍ପିନର ଭାବେ କୁଲଦୀପ ଯାଦବ ଖେଳିପାରନ୍ତି। ପେସ୍‌ ବୋଲର ଭାବେ ଯଶପ୍ରୀତ ବୁମ୍‌ରା ଖେଳିବା ନିଶ୍ଚିତ ହୋଇଥିବା ବେଳେ ୨ୟ ପେସ୍ ବୋଲର ଭାବେ ଈଶାନ୍ତ ଶର୍ମା ଖେଳିପାରନ୍ତି। କ୍ରିକେଟ୍‌ ଦୁନିଆର ଦୁଇ ଶ୍ରେଷ୍ଠ ପେସ୍ ବୋଲର ଜେମ୍‌ସ ଆଣ୍ଡରସନ୍ ଓ ଷ୍ଟୁଆର୍ଟ ବ୍ରଡ୍‌ ନିଶ୍ଚିତ ଭାବେ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ପାଇଁ ଆହ୍ବାନ ସୃଷ୍ଟିକରିବେ। ଅବଶ୍ୟ ଚେନ୍ନଇ ପିଚ୍‌ରୁ ଉଭୟଙ୍କୁ ସେପରି ସହାୟତା ମିଳିବନାହିଁ। ଶ୍ରୀଲଙ୍କା ବିପକ୍ଷ ୨ୟ ଟେଷ୍ଟରେ ଆଣ୍ଡରସନ୍ ୬ଟି ୱିକେଟ ନେଇଥିଲେ। ଆଣ୍ଡରସନ୍ ଓ ବ୍ରଡ୍‌ଙ୍କ ମଧ୍ୟରୁ ଜଣେ ଖେଳିବେ। ଜୋଫ୍ରା ଆର୍ଚର ତାଙ୍କ ଗତି ଦ୍ବାରା ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଇ ପାରନ୍ତି।

ଅଧିନାୟକ ଜୋ ରୁଟ୍‌ଙ୍କ ଉପରେ ଇଂଲଣ୍ଡର ବ୍ୟାଟିଂ ଅଧିକ ନିର୍ଭରଶୀଳ। ଶ୍ରୀଲଙ୍କାରେ ରୁଟ୍‌ ୨୨୮ ଓ ୧୮୬ ରନ୍‌ର ଇନିଂସ ଖେଳିଥିଲେ। ଇଂଲଣ୍ଡ ବ୍ୟାଟିଂ ଲାଇନ୍‌ରେ ଜୋସ୍ ବଟ୍‌ଲର ଓ ବେନ୍ ଷ୍ଟୋକ୍‌ସ ବେଶ୍ ଅଭିଜ୍ଞ। ଜ୍ୟାକ୍ କ୍ରଲି ଆହତ ହୋଇଥିବାରୁ ଓଲି ପୋପ୍‌ଙ୍କୁ ସୁଯୋଗ ମିଳିପାରେ। ଇଂଲଣ୍ଡର ମଧ୍ୟକ୍ରମ ମଜ୍‌ଭୁତ ମନେ ହେଉଥିଲେ ହେଁ ସ୍ପିନ୍ ବିପକ୍ଷରେ ସେମାନଙ୍କୁ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ରୋରି ବର୍ନସ, ଡମ୍‌ ସିବ୍‌ଲି ଓ ଡ୍ୟାନ୍ ଲରେନ୍‌ସଙ୍କ ସ୍ପିନ୍ ବିପକ୍ଷରେ ସେପରି ଭଲ ବ୍ୟାଟ୍‌ସମ୍ୟାନ ନୁହନ୍ତି। ଇଂଲଣ୍ଡ ଅଫ୍‌ସ୍ପିନର ଡମ୍ ବେସ୍ ଓ ପେସ୍ ବୋଲର କ୍ରିସ୍‌ ୱକ୍‌ସଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବ। ଭାରତୀୟ ବ୍ୟାଟିଂ ଲାଇନ୍‌ ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ଶୁବ୍‌ମାନ ଗିଲ୍‌, ରୋହିତ ଶର୍ମା, ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତ୍ ପ୍ରଥମ ୬ଟି ସ୍ଥାନରେ ବ୍ୟାଟିଂକରିବେ। ୭ନଂ ସ୍ଥାନ ପାଇଁ ୩ ଜଣ ଦାବିଦାର- ୱାଶିଂଟନ ସୁନ୍ଦର, ହାର୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଥିଲେ ହେଁ ଅକ୍ଷରଙ୍କ ଖେଳିବା ସମ୍ଭାବନା ଅଧିକ। ଭାରତ ଏହି ସିରିଜ୍ ଖେଳିବାକୁ ଯାଉଥିବା ବେଳେ ଏହାର ଆଖି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ ଉପରେ ରହିବ। ନ୍ୟୁଜିଲାଣ୍ଡ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଏହି ସିରିଜ୍ ଜିତିଲେ ଭାରତ ଫାଇନାଲ ଖେଳିପାରିବ। ଚେନ୍ନଇ ପିଚ୍‌ରେ ସାମାନ୍ୟ ଘାସ ଥିବା ସତ୍ତ୍ବେ ଏହା ଧିମା ରହିବ।

Comments are closed.