ବିସ୍ଥାପିତଙ୍କ ଲୁହ ଶୁଖୁନି ; ଇନ୍ଦ୍ରାବତୀ ପାଇଁ ସର୍ବହରା

ଭବାନୀପାଟଣା : ଦିନ ଥିଲା ନିଜର ଜମିବାଡ଼ି ଘରଦ୍ୱାର ହରାଇ ଇନ୍ଦ୍ରାବତୀ ବହୁମୁଖୀ ବିଦ୍ୟୁତ ପ୍ରକଳ୍ପର ମୂଳଦୂଆ ସ୍ଥାପନ କରିବାରେ ମୁଖ୍ୟ ଭୂମିକା ନେଇଥିଲେ; ସେମାନେ କିନ୍ତୁ ଆଜି ନିସ୍ବ ଜୀବନ ଜିଉଁଛନ୍ତି। ଚାଷରୁ ପରିବାରକୁ ସୁରୁଖୁରୁରେ ଚଳାଇ ନେଉଥିବା ମଣିଷ ଆଜି ସରକାରଙ୍କ ୩୦୦ ଶହ ଟଙ୍କାର ଭତ୍ତା ଓ ୫ କେଜି ଚାଉଳ ଭରସାରେ ରହୁଛନ୍ତି। ସେହିପରି ବିସ୍ଥାପିତ ହୋଇ ଯେଉଁ ସବୁ ଅଞ୍ଚଳରେ ରହୁଛନ୍ତି ସେଠାରେ ମୌଳିକ ସୁବିଧା ମଧ୍ୟ ନାହିଁ। ଏଭଳି ସ୍ଥିତିରେ ସରକାରୀ ପ୍ରତିଶ୍ରୁତି ତାଙ୍କ ପାଇଁ ପାଣିର ଗାର ହୋଇଛି। ମୁଖିଗୁଡ଼ାଠାରେ ଇନ୍ଦ୍ରାବତୀ ବହୁମୁଖୀ ବିଦ୍ୟୁତ ପ୍ରକଳ୍ପ ହୋଇଯିବା ପରେ କଳାହାଣ୍ଡି ରାଜ୍ୟର ଧାନ ଉତ୍ପାଦନରେ
ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ଦେଶରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି। ତେବେ ସରକାରୀ କଳର ଲୋଭନୀୟ ମିଥ୍ୟା ପ୍ରତିଶ୍ରୁତି ଓ ଇନ୍ଦ୍ରାବତୀ ବହୁମୁଖୀ ଯୋଜନାର ସ୍ୱପ୍ନରେ ୪୨ ବର୍ଷ ତଳେ ଏଠାରୁ ସାତ ପୁରୁଷର ଭିଟାମାଟିକୁ ଛାଡି ବିସ୍ଥାପିତ ହୋଇଥିବା ନିରୀହ ଆଦିବାସୀ, ଦଳିତ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ ଇନ୍ଦ୍ରାବତୀ ଜଳଭଣ୍ଡାର ଉପରେ ଥିବା ଛୋଟ ଛୋଟ ପାହାଡ଼ ଉପରେ ଜରାଜୀର୍ଣ୍ଣ ଅବସ୍ଥା ଓ ସର୍ବହରା ଜୀବନ ବିତାଉଛନ୍ତି। ଏହି ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ ହେବା ପୂର୍ବରୁ କଳାହାଣ୍ଡି ଜିଲାର ଥୁ.ରାମପୁର, ରାୟଗଡ଼ା ଜିଲା କାଶିପୁର, ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଓ କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ୮୪ଟି ଗ୍ରାମର ୫,୨୦୦ ପରିବାର ନିଜର ଘରଦ୍ୱାରା, ଜମିବାଡି ସବୁକିଛି ପ୍ରକଳ୍ପ ପାଇଁ ଦେଇ ବିସ୍ଥାପିତ ହୋଇଥିଲେ। ସେଥିମଧ୍ୟରୁ କଳାହାଣ୍ଡି ଜିଲାର ଥୁ.ରାମପୁର ଓ ଜୟପାଟଣା ବ୍ଲକର ୪୩ଟି ଗ୍ରାମର ୩୨୦୧ ଟି ପରିବାର ବିସ୍ଥାପିତ ହୋଇଥିଲେ। ଇନ୍ଦ୍ରାବତୀ ପ୍ରକଳ୍ପ ହେବାପରେ ଯେଉଁମାନେ ଇନ୍ଦ୍ରାବତୀ ଜଳଭଣ୍ଡାର ପାର୍ଶ୍ବରେ ଥିଲେ ସେମାନେ ମଧ୍ୟ ନିଜ ଘରଦ୍ୱାର ଛାଡି ଅନ୍ୟତ୍ର ଥଇଥାନ ପାଇଁ ଚାଲିଯାଇଥିବା ବେଳେ ବିସ୍ଥାପିତ ଲୋକମାନେ ଠିକ୍‍ ଭାବେ ସରକାରୀ ସାହାଯ୍ୟ ନ ପାଇବାରୁ ବାଧ୍ୟ ହୋଇ ଜଳ ଭଣ୍ଡାରରେ ଥିବା ବିଭିନ୍ନ ଉଚ୍ଚ ପାହାଡ ଉପରେ ଏଠିସେଠି ବସବାସ କରି ଆସୁଛନ୍ତି। ଖମନପଦର ଗ୍ରାମର ପଙ୍କଜ ମାଝୀ ଉକ୍ତ ଅଞ୍ଚଳର କିଛି ଖଣ୍ଡ ଗାଁର ଗୌନ୍ତିଆ ଥିଲେ। ତାଙ୍କର ଘରଦ୍ୱାର ଏବଂ ୯୭ ଏକର ଚାଷ ଜମି ୩୫ ହଜାର ଟଙ୍କା ଦେଇ ସେମାନଙ୍କୁ ସେଠାରୁ ବିସ୍ଥାପିତ କରିଦେଇଥିଲେ। ଶ୍ରୀ ମାଝୀ ଆଜି ଇନ୍ଦ୍ରାବତୀ ଜଳଭଣ୍ଡାର ନିକଟରେ ଥିବା ଏକ ପାହାଡ଼ ଉପରେ ନିଜ ପରିବାର ସହିତ ବସବାସ କରୁଛି। ଯିଏ ଦିନେ ସେହି ଅଞ୍ଚଳର ଗୌନ୍ତିଆ ଥିଲେ ଆଜି ସେ ପାଉଛନ୍ତି ସରକାରଙ୍କ ଠାରୁ ୩ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଓ ୫କେଜି ଚାଉଳ। ସେହିପରି ମୁଣ୍ଡିଘାଟିର ନିଳାମ୍ବର ଗଉଡ (୬୦)। ତାଙ୍କ ଘରଦ୍ୱାରା ଏବଂ ୨୨ ଏକର କୃଷି ଜମି ଏହି ଇନ୍ଦ୍ରାବତୀ ଜଳଭଣ୍ଡାରରେ ବିଲୀନ ହୋଇଯାଇଛି। ଆଜି ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି କାଣିଚାଏ ସୁବିଧା ସେ ଅଞ୍ଚଳରେ ପହଞ୍ଚି ପାରିନାହିଁ। ଇନ୍ଦ୍ରାବତୀର ବିସ୍ତୀର୍ଣ୍ଣ ଜଳରାଶି ସେମାନଙ୍କ ପାଇଁ କେବଳ ଉପହାସ ସଦୃଶ ହୋଇଛି।

Comments are closed.