ସମୁଦ୍ରରେ ଖସିଲା ବିମାନ, ୬୫ ମୃତ ଆଶଙ୍କା

ଜାକାର୍ତ୍ତା: ଇଣ୍ଡୋନେସିଆରେ ଶନିବାର ନିଖୋଜ ହୋଇଯାଇଥିବା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାକାର୍ତ୍ତା ନିକଟବର୍ତ୍ତୀ ସମୁଦ୍ର ଭିତରେ ବିମାନଟି ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିମାନରେ ୫୯ ଯାତ୍ରୀ ଓ ୬ କର୍ମଚାରୀ ରହିଥିଲେ। ଦୁର୍ଘଟଣା ଫଳରେ ସମସ୍ତ ୬୫ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଯାତ୍ରୀଙ୍କ ମଧ୍ୟରେ ୬ ଶିଶୁ ରହିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଶନିବାର ଜାକାର୍ତ୍ତାର ସୋଏକାର୍ନୋ-ହଟ୍ଟା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରୁ ୫୬ ଯାତ୍ରୀଙ୍କୁ ନେଇ ପୋଣ୍ଟିୟାନକ ଯାଉଥିବା ଏସଜେ ୧୮୨ ବୋଇଂ ୭୩୭-୫୦୦ ବିମାନ ନିଖୋଜ ହୋଇଯାଇଥିଲା। ଉଡ଼ାଣର ୪ ମିନିଟ ଭିତରେ ବିମାନଟି ୧୦ ହଜାର ଫୁଟରୁ ଅଧିକ ଉଚ୍ଚତାକୁ ଯିବା ପରେ ବିମାନ ସହିତ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ବିମାନଟି ରାଡାର ସୀମା ବାହାରକୁ ଚାଲିଯାଇଥିଲା। ଏହା ପରେ ବିମାନ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନ ଥିଲା।

ବିମାନର ଲୋକେଶନ ନିଶ୍ଚିତ କରିବା ଲାଗି ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଜାକାର୍ତ୍ତାଠାରୁ ଅଳ୍ପ ଦୂରରେ ସମୁଦ୍ର ଭିତରେ ବିମାନ କ୍ରାଶ୍‌ ହୋଇଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରୁ ମଣିଷଙ୍କ ଦେହାବଶେଷ ଏବଂ ବିମାନର ଭଗ୍ନାଂଶ ଠାବ ହୋଇଛି ବୋଲି ତ୍ରିଶୁଳା କୋଷ୍ଟଗାର୍ଡ ଜାହାଜର କମାଣ୍ଡର କ୍ୟାପଟେନ ଇକୋ ସୁର୍ଯ୍ୟା ହାଦି କହିଛନ୍ତି।

Comments are closed.