ଚର୍ଚ୍ଚାରେ ପ୍ରାକ୍‌-ବିବାହ ପାଠ୍ୟକ୍ରମ !

ଇଣ୍ଡୋନେସିଆ : ସ୍ମାର୍ଟ ଯୁଗରେ ବିଭିନ୍ନ ଅତ୍ୟାଧୁନିକ ପାଠ୍ୟକ୍ରମ ମଧ୍ୟ ବିଶ୍ବବିଦ୍ୟାଳୟସ୍ତରରେ ସାମିଲ ହେଉଛି। ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆ ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟ ନିମନ୍ତେ ପୂରା ବିଶ୍ବସ୍ତରରେ ଲୋକପ୍ରିୟ। ଆଜିକାଲି ବିଶ୍ବ ଗଣମାଧ୍ୟମରେ ଏଇ ରାଷ୍ଟ୍ରଟି ଚର୍ଚ୍ଚା ପରିସରରେ ଆସିବାର ଅନ୍ୟତମ ମୁଖ୍ୟ କାରଣ ହେଲା, ସେଠାରେ ଆରମ୍ଭ ହେବାକୁ ଯାଉଛି ‘ପ୍ରି-ୱେଡିଙ୍ଗ’ ବା ପ୍ରାକ୍‌-ବିବାହ ପାଠ୍ୟକ୍ରମ। ୨୦୨୦ରେ ଆରମ୍ଭ ହେବାକୁ ଯାଉଥିବା ଏଇ ପାଠ୍ୟକ୍ରମ ପ୍ରାରମ୍ଭିକ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଭାବେ ଦିଆଯିବ। ପାଠ୍ୟକ୍ରମରେ ବିବାହ ପରେ ଦମ୍ପତିଙ୍କ ବୁଝାମଣା କିପରି ରହିବା ଉଚିତ, ପରିସ୍ଥିତି ଜଟିଳ ହେଲେ ସେମାନେ କ’ଣ କରିବେ ଓ ପିଲାଙ୍କର ଲାଳନପାଳନ, ଏସବୁ ବାବଦରେ ପଢ଼ାଯିବ। ସ୍ଥାନୀୟ ଜଣେ ପ୍ରଫେସର୍‌ଙ୍କ ମତରେ ଇଣ୍ଡୋନେସିଆରେ ଏବେ ବିଚ୍ଛେଦ ସଂଖ୍ୟା ବଢ଼ିବାରେ ଲାଗିଛି। ଏଣୁ ସରକାର ବୋଧହୁଏ ଏଥିନିମନ୍ତେ ଏହି ‘ପ୍ରି-ୱେଡିଙ୍ଗ’ କୋର୍ସର ପ୍ରଚଳନ କରୁଛନ୍ତି। ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଯେଉଁ ଛାତ୍ରଛାତ୍ରୀ ଏହି ‘ପ୍ରି-ୱେଡିଙ୍ଗ’ ପାଠ୍ୟକ୍ରମରେ ଫେଲ୍ ହେବେ, ସେମାନଙ୍କୁ ବିବାହର ଅନୁମତି ସ୍ଥାନୀୟ ସରକାର ଦେବେନାହିଁ। ମିଳିଥିବା ତଥ୍ୟ ଅନୁସାରେ, ୨୦୧୨-୨୦୧୩ରେ ଇଣ୍ଡୋନେସିଆରେ ୩୫୦,୦୦୦ଜଣ ବିବାହ ବିଚ୍ଛେଦ ନିମନ୍ତେ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ୭୦% କେସ୍‌ରେ ସ୍ବାମୀମାନଙ୍କ ପରକୀୟା ପ୍ରୀତି କାରଣରୁ ସ୍ତ୍ରୀମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବାର ଅନୁଧ୍ୟାନରୁ ପ୍ରକାଶ।

Comments are closed.