MEllora 950×100

ଭାରତ-ଆମେରିକା ସମରାଭ୍ୟାସ ; ଚୀନ ପ୍ରତିବାଦକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ : ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ-ଆମେରିକାର ମିଳିତ ସମରାଭ୍ୟାସକୁ ନେଇ ଚୀନ କରିଥିବା ପ୍ରତିବାଦ ଉପରେ ଭାରତ କଡା ଜବାବ ଦେଇଛି। ଚୀନ ସଂଲଗ୍ନ ଏଲଏସିଠାରୁ ୧୦୦ କିମି ଦୂର ଉତ୍ତରାଖଣ୍ଡରେ ଦୁଇଦେଶର ସମରାଭ୍ୟାସ ଚାଲିଥିବା ବେଳେ ବେଜିଂର ପ୍ରତିବାଦକୁ ଭାରତ ଖଣ୍ଡନ କରିଛି। ଭାରତ କହିଛି ଯେ ଏହି ପ୍ରସଙ୍ଗରେ ଚୀନର କିଛି କହିବାର ଅଧିକାର ନାହିଁ। କାରଣ ଏଠାରେ ଚୀନର ‘ଭିଟୋ କ୍ଷମତା’ ନାହିଁ। ଭାରତର ସମରାଭ୍ୟାସ ସମ୍ପର୍କରେ ଚୀନ କିମ୍ବା ଅନ୍ୟ କୌଣସି ରାଷ୍ଟ୍ରର କିଛି କହିବାର ଅଧିକାର ନାହିଁ। ଗୁରୁବାର ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ‘ଯୁଦ୍ଧ ଅଭ୍ୟାସ’ ନାମରେ ଚାଲିଥିବା ସମରାଭ୍ୟାସ ୧୯୯୩ ରାଜିନାମାକୁ ଉଲ୍ଲଙ୍ଘନ କରୁ ନାହଁ। ବରଂ ଚୀନ ଏହି ରାଜିନାମାକୁ ଉଲ୍ଲଙ୍ଘନ କରିଚାଲିଛି। ତେଣୁ ଚୀନ ପ୍ରଥମେ ଆତ୍ମସମୀକ୍ଷା କରିବା ଦରକାର। ଯୁଦ୍ଧ ଅଭ୍ୟାସ ନାମରେ ଭାରତ-ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ସମରାଭ୍ୟାସ ପ୍ରତିବର୍ଷ ହୋଇଥାଏ। ତେବେ ବୁଧବାର ଚୀନ ଏହି ସମରାଭ୍ୟାସକୁ ନେଇ ପ୍ରତିବାଦ କରିଥିଲା। ଚୀନ କହିଥିଲା ଯେ ଏହି ସମରାଭ୍ୟାସ ୧୯୯୩ ଓ ୧୯୯୬ରେ ଭାରତ-ଚୀନ ମଧ୍ୟରେ ହୋଇଥିବା ରାଜିନାମାକୁ ଉଲ୍ଲଙ୍ଘନ କରୁଛି। ଏହାଦ୍ବାରା ଦୁଇ ଦେଶ ପରସ୍ପରର ବିଶ୍ବାସଭାଜନ ହୋଇପାରିବେ ନାହିଁ। ଏହା ପୂର୍ବରୁ ଭାରତ କହିଥିଲା ଯେ ଚୀନ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଏଲଏସିର ବିବାଦୀୟ ଅଞ୍ଚଳରେ ବିପୁଳ ସୈନ୍ୟ ମୁତୟନ ଯୋଜନା କରୁଛି। ୨୦୨୦ ଜୁନ୍‌ରେ ହୋଇଥିବା ଗଲୱାନ ସଂଘର୍ଷ ପରଠାରୁ ଭାରତ ଓ ଚୀନ ସମ୍ପର୍କରେ ଉତ୍ତେଜନା ଲାଗି ରହିଛି।

Comments are closed.