ପିଓକେକୁ ଆଜାଦ୍‍ କାଶ୍ମୀର କହିଲେ ଆମେରିକୀୟ ରାଷ୍ଟ୍ରଦୂତ

ଭାରତ-ଆମେରିକା ସମ୍ପର୍କରେ ଫାଟ

ନୂଆଦିଲ୍ଲୀ : ବିଶ୍ୱ ଘଟଣାକ୍ରମକୁ ନେଇ ଭାରତ ଓ ଆମେରିକା ମଧ୍ୟରେ କ୍ରମଶଃ ଫାଟ ସୃଷ୍ଟି ହେଉଥିବା ଲକ୍ଷ୍ୟ କରାଯାଉଛି। ବିଶେଷକରି ୟୁକ୍ରେନ ପ୍ରସଙ୍ଗରେ ମୂଳରୁ ନିରପେକ୍ଷ ନୀତି ଅବଲମ୍ବନ କରିଆସୁଥିବା ଭାରତ ରୁଷ ସହିତ ପୂର୍ବର ଘନିଷ୍ଠ ସମ୍ପର୍କ ବଜାୟ ରଖିବା ଏବଂ ଆମେରିକାର ପକ୍ଷରୁ କଟକଣା ଜାରି ସତ୍ତ୍ବେ ରୁଷ୍‍ ନିକଟରୁ ନୂଆଦିଲ୍ଲୀ ଶସ୍ତାରେ ପେଟ୍ରୋଲିୟମ ଖରିଦ କରିବା ଘଟଣା ଆମେରିକାକୁ ଉତ୍‍କ୍ଷିପ୍ତ କରିଛି। କେତେକ ମଞ୍ଚରେ ଆମେରିକା ପୂର୍ବରୁ ଏହାକୁ ନେଇ ଆପତ୍ତି ଦର୍ଶାଇଥିଲେ ମଧ୍ୟ ଭାରତ ତାହାର ନିଜସ୍ୱ ଆବଶ୍ୟକତା ପୂରଣ ଏବଂ ଦେଶବାସୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଏଭଳି କରିଥିବା ସ୍ପଷ୍ଟ କରିସାରିଛି। ତେବେ ଏହା ଆମେରିକାକୁ ସନ୍ତୁଷ୍ଟ କରିପାରିନାହିଁ। ନିକଟରେ ଆମେରିକା ପ୍ରଶାସନ ପାକିସ୍ତାନକୁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହାର ୪୫୦ ନିୟୁତ ଡଲାର ମୂଲ୍ୟର ସାମରିକ ସହାୟତା ଘୋଷଣା କରିବା ନୂଆଦିଲ୍ଲୀକୁ ବିଶେଷ ଭାବରେ ଚିନ୍ତିତ କରିଛି। ଏଥିସହିତ ଆମେରିକାର ରାଷ୍ଟ୍ରଦୂତ ଡୋନାଲ୍‍ଡ ବ୍ଳୋମ୍‍ ନିକଟରେ ଭାରତର ଅଜାଣତାରେ ପାକିସ୍ତାନ ଅଧିକୃତ କାଶ୍ମୀର ଗସ୍ତ କରିବା ପରେ ତାହାକୁ ଆଜାଦ୍‍ କାଶ୍ମୀର ବୋଲି କହିବା ବିଷୟ ଭାରତକୁ କ୍ଷୁବ୍ଧ କରିଛି। ଏହା ଉପରେ ଭାରତ ଦୃଢ ଆପତ୍ତି ଦର୍ଶାଇଛି।
ସୂଚନାଯୋଗ୍ୟ ଯେ ଏପର୍ଯ୍ୟନ୍ତ ଆମେରିକା ପ୍ରଶାସନ କାଶ୍ମୀର ପ୍ରସଙ୍ଗ ଉପରେ ମପାଚୁପା ମନ୍ତବ୍ୟ ଦେବା ସହିତ ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଦୁଇ ରାଷ୍ଟ୍ର ଆଲୋଚନା ଜରିଆରେ ଏହାର ସମାଧାନ କରିବାକୁ କହିଆସୁଥିଲେ। କିନ୍ତୁ ପିଓକେକୁ ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞ ଆଜାଦ୍‍ କାଶ୍ମୀର ବାଲି ସରକାରୀ ବିବୃତିରେ ଉଲ୍ଲେଖ କରିବା ବିଷୟକୁ ଭାରତ ସହଜରେ ଗ୍ରହଣ କରିପାରୁନାହିଁ। ପୂର୍ବରୁ ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ଆମେରିକା କଂଗ୍ରେସର ସାଂସଦ ଇଲ୍‍ହାନ୍‍ ଓମାର୍‍ ପିଓକେ ଗସ୍ତ କରିଥିଲେ ଏବଂ ଭାରତର ବୈଦେଶିକ ମନ୍ତ୍ରଣାଳୟ ତାହାକୁ ସହଜରେ ଗ୍ରହଣ କରିନଥିଲା। ଏହା ସଂକୀର୍ଣ୍ଣମନା ରାଜନୀତି ବୋଲି ଭାରତ ପକ୍ଷରୁ କୁହାଯାଇଥିଲା। ତାଙ୍କପରେ ବ୍ଲୋମ ଆମେରିକାର ଦ୍ୱିତୀୟ ଅଧିକାରୀ ଭାବରେ ପିଓକେ ଗସ୍ତ କରିଛନ୍ତି। ଏଥିରୁ ଆମେରିକା କ୍ରମଶଃ ପାକିସ୍ତାନ ଆଡକୁ ଢଳୁଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଅନ୍ୟପକ୍ଷରେ ଆମେରିକା ପ୍ରଶାସନ ଭାରତ ଓ ପାକିସ୍ତାନ ମଧ୍ୟରୁ କୌଣସି ଗୋଟିଏ ରାଷ୍ଟ୍ରକୁ ବାଛିବା ସକାଶେ ଦେଶର ସାମରିକ ଓ କୂଟନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।

Comments are closed.