ଆଜି ଦିଲ୍ଲୀରେ ଖେଳାଯିବ ଭାରତ-ବାଂଲାଦେଶ ପ୍ରଥମ ଟ୍ବେଣ୍ଟି-୨୦

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣ ପ୍ରସଙ୍ଗ ଏବେ ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କ୍ରିକେଟପ୍ରେମୀଙ୍କ ନଜର କିନ୍ତୁ ଦେଶର ଏହି ରାଜଧାନୀ ସହର ଉପରେ। ରବିବାର ଏଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବ। ବାୟୁ ପ୍ରଦୂଷଣ ଯୋଗୁଁ ସ୍କୁଲ୍‌କୁ ବନ୍ଦ କରି ଦିଆଯାଇଛି; ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲାଗୁହୋଇଛି ଓ କ୍ରୀଡ଼ା କାର୍ଯ୍ୟକ୍ରମ ନ କରିବାକୁ ପରାମର୍ଶ ଦିଆଯାଇଛି। ତଥାପି କ୍ରିକେଟପ୍ରେମୀ ମ୍ୟାଚ୍‌ର ସମସ୍ତ ଟିକଟ କିଣି ନେଇଛନ୍ତି। ପ୍ରଦୂଷଣ କଥା ଭୁଲି ଉଭୟ ଦଳଙ୍କର ଧ୍ୟାନ ଏବେ କ୍ରିକେଟ ଉପରେ।
ଅଦ୍ୟାବଧି ବାଂଲାଦେଶ ବିପକ୍ଷରେ ଭାରତର ଟ୍ବେଣ୍ଟି-୨୦ରେ ଶତ ପ୍ରତିଶତ ରେକର୍ଡ ରହିଛି। ଏଯାବତ୍ ଦୁଇ ଦେଶ ୮ଟି ମ୍ୟାଚ୍ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଭାରତମାଟିରେ ଉଭୟ ଦଳଙ୍କ ମଧ୍ୟରେ ଗୋଟିଏ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ଭାରତ ଏହାକୁ ୧ ରନ୍ ବ୍ୟବଧାନରେ ଜିତିଛି। ତେଣୁ ବାଂଲାଦେଶ ବିପକ୍ଷରେ ତା’ର ବିଜୟଧାରା ଜାରି ରଖିବାକୁ ଭାରତ ନିଶ୍ଚୟ ଚାହିଁବ। ପୁଣି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ବେଣ୍ଟି-୨୦ ସିରିଜ୍‌କୁ ୧-୧ରେ ଡ୍ର ରଖିବା ପରେ ଏହି ସିରିଜ୍ ଜିତିବାର ପ୍ରୟାସ ଭାରତ ନିଶ୍ଚୟ କରିବ। ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ଭାରତ ୫ମ ସ୍ଥାନରେ ଥିବା ବେଳେ ୯ମ ସ୍ଥାନରେ ରହିଛି ବାଂଲାଦେଶ। ତେଣୁ ନିଶ୍ଚିତ ଭାବେ ଭାରତ ଏହି ସିରିଜର ବଡ଼ ଫେଭରିଟ୍‌। ବାଂଲାଦେଶର ଦୁଇ ସବୁଠାରୁ ଅଭିଜ୍ଞ କ୍ରିକେଟର ସାକିବ୍ ଅଲ୍ ହାସନ୍ ଓ ଓପ୍‌ନର ତମିମ୍ ଇକ୍‌ବାଲ ଏହି ସିରିଜ୍ ଖେଳିବେନାହିଁ। ଫଳରେ ଦଳ ନିଶ୍ଚୟ ଦୁର୍ବଳ ହୋଇଯାଇଛି। ଭାରତୀୟ ଦଳରେ ଅଧିନାୟକ ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମ୍‌ରା, ଭୁବନେଶ୍ବର କୁମାର ପ୍ରଭୃତି ନଥିଲେ ହେଁ ଏହାର ପ୍ରଭାବ ସିରିଜ୍ ଫଳାଫଳ ଉପରେ ପଡ଼ିବନାହିଁ। ଭାରତୀୟ ଦଳ ବହୁତ ମଜ୍‌ବୁତ ରହିଛି। ଟେଷ୍ଟ ଓପ୍‌ନର ଭାବେ ପ୍ରଥମ ସିରିଜ୍‌ରେ ଚମତ୍କାର ସଫଳତା ପରେ ରୋହିତ ଶର୍ମା ତାଙ୍କ ବ୍ୟାଟିଂ ଫର୍ମ ଜାରି ରଖିବାକୁ ଚାହିଁବେ। ତାଙ୍କ ସହ ଶିଖର ଧାୱନ, ଋଷଭ ପନ୍ତ୍, ମନୀଷ ପାଣ୍ଡେ, ଶ୍ରେୟାସ ଆୟର ଓ କେ.ଏଲ୍‌. ରାହୁଲ ବହୁତ ଭଲ ବ୍ୟାଟ୍‌ସମ୍ୟାନ୍। ଦଳକୁ ଫେରିଥିବା ସଞ୍ଜୁ ସାମ୍‌ସନ ନିଶ୍ଚୟ ସୁଯୋଗର ସଦ୍‌ବ୍ୟବହାର କରିବାକୁ ଚାହିଁବେ। ପ୍ରଥମଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ମୁମ୍ବଇର ଅଲ୍‌ରାଉଣ୍ଡର ଶିବମ୍ ଦୁବେ ମଧ୍ୟ ଦଳରେ ସ୍ଥାନ ପକ୍କା କରିବାକୁ ଚାହିଁବେ। ଶିବମ୍ ପ୍ରଥମ ମ୍ୟାଚ୍ ଖେଳିବେ ବୋଲି ଅଧିନାୟକ ରୋହିତ ଶର୍ମା ସୂଚନା ଦେଇଛନ୍ତି।
ବାଂଲାଦେଶ ଦଳରେ ସେପରି ତାରକା ଖେଳାଳି କିମ୍ବା ଟ୍ବେଣ୍ଟି-୨୦ ବିଶେଷଜ୍ଞ ନାହାନ୍ତି। ୱିକେଟ ରକ୍ଷକ ମୁସ୍‌ଫିକୁର ରହିମ୍ ସବୁଠାରୁ ଅଭିଜ୍ଞ। ଭାରତକୁ ଚକ୍‌ମାଦେବା ପାଇଁ ଅଧିନାୟକ ମହମ୍ମଦୁଲ୍ଲା ଓ ମୁସ୍ତାଫିଜୁର ରେହ୍‌ମାନ ନିଶ୍ଚୟ ପ୍ରୟାସ କରିବେ। ଆଇପିଏଲ୍‌ ଖେଳୁଥିବା ମୁସ୍ତାଫିଜୁରଙ୍କର ଭାରତୀୟ ବାତାବରଣ ଉପରେ ଅଭିଜ୍ଞତା ରହିଛି। ବାଂଲାଦେଶର ଏକାଦଶ ଉପରେ ପୂର୍ବାନୁମାନ କରିବା ବେଶ୍ କଷ୍ଟକର। ତଥାପି ସୌମ୍ୟ ସରକାର ଓ ଲିଟନ୍ ଦାସ ଇନିଂସ ଓପନ୍ କରିବା ନିଶ୍ଚିତ। ମହମ୍ମଦ ନଇମ୍‌ଙ୍କୁ ସୁଯୋଗ ମିଳିପାରେ। ବୋଲର ଭାବେ ଅଲ୍‌ ଅମିନ୍ ହୋସେନ୍ ଓ ଆରାଫତ୍ ସନ୍ନି ଖେଳିପାରନ୍ତି। ମୁସ୍‌ଫିକୁର ଓ ମହମ୍ମଦୁଲ୍ଲାଙ୍କୁ ମଧ୍ୟକ୍ରମ ସମ୍ଭାଳିବାକୁ ପଡ଼ିବ। ଭାରତୀୟ ଏକାଦଶରେ କେ.ଏଲ୍‌. ରାହୁଲ ଓ ସଞ୍ଜୁ ସାମ୍‌ସନଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ଶିବମ୍ ଦୁ​‌ବେ ଖେଳିବା ନିଶ୍ଚିତ ଥିବା ବେଳେ ଦୁଇ ଲେଗ୍‌ସ୍ପିନର ରାହୁଲ ଚହର ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣେ ଖେଳିବେ। ପିଚ୍‌ରେ ସାମାନ୍ୟ ଘାସ ରହିଛି। ଫଳରେ ଏଠାରେ ବ୍ୟାଟିଂ ସହାୟକ ହେବ। ଟସ୍ ଜିତି ଉଭୟ ଦଳ ରନ୍‌ର ପିଛା କରିବାକୁ ଚାହିଁବେ।

Comments are closed.