ପ୍ରାଣୀଙ୍କ ପାଇଁ ପ୍ରତିଷ୍ଠା ହେବ ପ୍ରଥମ ଯୁଦ୍ଧସ୍ମାରକୀ

ମିରଟ : ଉତ୍ତରପ୍ରଦେଶର ମିରଟଠାରେ ପ୍ରତିଷ୍ଠା ହେବ ପ୍ରାଣୀଙ୍କ ପାଇଁ ଦେଶର ପ୍ରଥମ ଯୁଦ୍ଧ ସ୍ମୃତିସ୍ଥଳ। ଏହି ସ୍ମାରକୀରେ ଯୁଦ୍ଧରେ ନିହତ ଜୀବଜନ୍ତୁ; ବିଶେଷକରି କୁକୁର, ଘୋଡ଼ା ଓ ଅନ୍ୟ ପ୍ରାଣୀଙ୍କ ନାମ ତଥା ସେମାନଙ୍କ ପରିଚାଳକଙ୍କ ନାମ ତାଲିକା ସ୍ଥାନ ପାଇବ। ସୂଚନାନୁଯାୟୀ, ୩୦୦ କୁକୁରଙ୍କ ସହ ଅଳ୍ପ ସଂଖ୍ୟକ ଘୋଡ଼ା ଓ ୩୫୦ ପରିଚାଳକଙ୍କ ସ୍ମୃତି ଏଠାରେ ଗ୍ରାନାଇଟ ପଥରରେ ଲିପିବଦ୍ଧ ହେବ। କାର୍ଗିଲ ଭଳି ବିଭିନ୍ନ ଯୁଦ୍ଧ, କାଶ୍ମୀର ଓ ଉତ୍ତର-ପୂର୍ବାଞ୍ଚଳରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ତଥା ସେଭଳି ପରିସ୍ଥିତିରେ ଯବାନଙ୍କୁ ସହାୟତା ପାଇଁ ସାହସିକତା ପ୍ରଦର୍ଶନ କରି ପ୍ରାଣ ହରାଇଥିବା ଏହି ଜୀବଙ୍କ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ସ୍ମାରକୀ ନିର୍ମାଣ ହେବ। ଦିଲ୍ଲୀର ଯୁଦ୍ଧ ସ୍ମାରକୀ ଢ଼ାଞ୍ଚାରେ ଏହା ନିର୍ମାଣ ହେବ। ମିରଟଠାରେ ସୌନାର ସ୍ବତନ୍ତ୍ର ପ୍ରାଣୀ ପ୍ରଜନନ, ଚିକିତ୍ସା ଓ ତାଲିମ କେନ୍ଦ୍ର ରହିଛି। ଏଠାରେ ସ୍ବତନ୍ତ୍ର ପ୍ରାଣୀବାହିନୀ ମଧ୍ୟ କାର୍ଯ୍ୟକରୁଛି। ସେଥିପାଇଁ ଏହାରି ପରିସରରେ ସ୍ମାରକୀ ସ୍ଥଳ ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଉଲ୍ଲେଖଯୋଗ୍ୟ ଯେ ‘ମାନସୀ’ ନାମ୍ନୀ ଏକ ଲାବ୍ରାଡର ପ୍ରଜାତିର କୁକୁର କାଶ୍ମୀର ଉପତ୍ୟକାରେ ୨୦୧୬ରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ପ୍ରାଣୀଙ୍କ ପାଇଁ ଉଦ୍ଦିଷ୍ଟ ସର୍ବୋଚ୍ଚ ସାମରିକ ସମ୍ମାନ ବିଜୟୀ ହୋଇଛି। ଏଠାରେ ମାନସୀ ଓ ତାର ପରିଚାଳକ ବସିର ଅହମ୍ମଦ ୱରଙ୍କ ନାମଫଳକ ଶୀର୍ଷ ସ୍ଥାନ ପାଇବ। ସେନାରେ ସମ୍ପ୍ରତି ୧୦୦ରୁ ଅଧିକ କୁକୁର ଓ ୧୫୦୦ରୁ ଅଧିକ ଘୋଡ଼ା ଅଛନ୍ତି।

Comments are closed.