କରୋନା ଭୂତାଣୁ – ଭାରତୀୟଙ୍କୁ ସ୍ବଦେଶ ଆଣିବାକୁ ଉଦ୍ୟମ

ନୂଆଦିଲ୍ଲୀ: ଚୀନରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୧୭୦ରେ ପହଞ୍ଚିଛି। ଚୀନ୍‍ ପ୍ରଧାନମନ୍ତ୍ରୀ ଲି. କଚିଆଙ୍ଗ କହିଛନ୍ତି, ଭୂତାଣୁର ସଂକ୍ରମଣକୁ ନିୟନ୍ତ୍ରଣାଧୀନ କରିବା ଦିଗରେ ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ନେଇ ଆଲୋଚନା ପାଇଁ ଜେନେଭାରେ ଏକ ଜରୁରୀକାଳୀନ ବୈଠକ ଡକାଇଛି।

ଚୀନରେ କରୋନା ଭୂତାଣୁ ବ୍ୟାପିବା ପରିପ୍ରେକ୍ଷୀରେ ହୁବେଇ ପ୍ରଦେଶରୁ ଭାରତୀୟ ନାଗରିକମାନଙ୍କୁ ସ୍ୱଦେଶକୁ ଆଣିବା ପାଇଁ ସେଠାକୁ ଦୁଇଟି ବିମାନର ଚଳାଚଳ ଲାଗି ଅନୁରୋଧ ପ୍ରଦାନ କରିବାକୁ ଭାରତ ଚୀନକୁ ଅନୁରୋଧ କରିଛି। ବୈଦେଶିକ ବିଭାଗ ମୁଖପାତ୍ର ରବିଶ୍‍ କୁମାର କହିଛନ୍ତି, ବେଜିଂସ୍ଥିତ ଭାରତୀୟ ଦୂତାବାସ ଏ ବିଷୟରେ ଚୀନ୍‍ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିଆସୁଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ସଞ୍ଜୀବ୍‍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତିନିଧିମାନେ ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ଚୀନ୍‍କୁ ଗସ୍ତ ନ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକମାନଙ୍କୁ ନିବେଦନ କରାଯାଇଛି। ଚୀନ୍‍ରୁ ଆସୁଥିବା ସମସ୍ତ ଯାତ୍ରୀ ସେମାନଙ୍କର ସ୍ୱାସ୍ଥ୍ୟର ଭଲଭାବେ ପରୀକ୍ଷା କରିନେବାକୁ ମଧ୍ୟ ସେମାନଙ୍କୁ ପରାମର୍ଶ ଦିଆଯାଉଛି।

ଦେଶରେ ୨୧ଟି ବିମାନ ବନ୍ଦରରେ ଯାତ୍ରୀମାନଙ୍କୁ ଯାଞ୍ଚ୍‍ କରାଯାଉଛି। ଇତିମଧ୍ୟରେ ବୈଦେଶିକ ମନ୍ତ୍ରଣାଳୟ ଚୀନ୍‍ର ହୁବେଇ ପ୍ରଦେଶର ୱୁହାନ୍‍ରୁ ସମସ୍ତ ଭାରତୀୟ ନାଗରିକମାନଙ୍କୁ ଖାଲି କରିବାରେ ସହଯୋଗ କରିବା ପାଇଁ ଚୀନ୍‍ ସରକାରଙ୍କୁ ଅନୁରୋଧ କରିଛି। ଭୂତାଣୁ ସଂକ୍ରାନ୍ତରେ ସୂଚନା ପାଇବା ପାଇଁ ଏକ ୨୪ ଘଣ୍ଟିଆ ହେଲ୍‍ପ୍‍ ଲାଇନ୍‍ ସ୍ଥାପନ କରାଯାଇଛି। ଏଥିପାଇଁ ନମ୍ବରଟି ହେଉଛି ୦୧୧- ୨୩୯୭ ୮୦୪୬.

କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଜାହାଜରେ ଯାତ୍ରା କରୁଥିବା ସମସ୍ତ ଭାରତୀୟ ଓ ଜାହାଜ ଚଳାଚଳ କମ୍ପାନୀଗୁଡ଼ିକୁ ସତର୍କତା ଜାରି କରିଛି। ଏକ ପରାମର୍ଶ ସୂଚୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ପରାମର୍ଶଗୁଡ଼ିକୁ କଡାକଡ଼ି ଭାବେ ପାଳନ କରିବା ଲାଗି କୁହାଯାଇଛି।

Comments are closed.