ସବିତା ଅଧିନାୟିକା, ଦୀପ୍‌ଗ୍ରେସ ଉପଅଧିନାୟିକା, ଓଡ଼ିଶାରୁ ଲିଲିମା, ନମିତା, ଦୀପ୍‌ଗ୍ରେସ ଓ ମାରିଆନା

ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ  : ଥାଇଲାଣ୍ଡର ଡୋଙ୍ଗେହେରେ ଆସନ୍ତା ଡିସେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ପ୍ରତିଯୋଗିତା ଆୟୋଜିତ ​ହେବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୧୮ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଆହତ ରାଣୀ ରାମପାଲ ବାଦ୍‌ ପଡ଼ିଥିବାବେଳେ ଏଫ୍‌ଆଇଏଚ୍‌ ବର୍ଷର ଶ୍ରେଷ୍ଠ ଗୋଲକିପର ପୁରସ୍କାର ହାସଲ କରିଥିବା ସବିତା ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ସେହିପରି ଉପ ଅଧିନାୟିକା ଭାବେ ଦୀପ୍‌ଗ୍ରେସ ଏକ୍କା ସ୍ଥାନ ବଜାୟ ରଖିଛନ୍ତି। ଟୋକିଓ ଅଲିମ୍ପିକ୍‌ସରେ ଦୀପ୍‌ଗ୍ରେସ ଉପ ଅଧିନାୟିକା ରହିଥିଲେ। ଅନ୍ୟପକ୍ଷରେ ଦଳରେ ଦୀପ୍‌ଗ୍ରେସଙ୍କ ସମେତ ୪ ଓଡ଼ିଆ ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ମାରିଆନା କୁଜୁର ସ୍ଥାନ ପାଇଛନ୍ତି। ନମିତା ଟୋକିଓ ଅଲିମ୍ପିକ୍‌ସ ଦଳରେ ରହିଥିବାବେଳେ ଲିଲିମା ଓ ମାରିଆନା ଦଳକୁ ଫେରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗୋଲକିପର ରଜନୀ ଇଥିମ୍‌ପୁଆ, ଉଦିତା, ନିକ୍କି ପ୍ରଧାନ, ଗୁରୁଜିତ୍‌ କୌର ଦଳରେ ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜାନେକ୍‌ ସ୍କୋପମ୍ୟାନ କହିଛନ୍ତି ଯେ, ବରିଷ୍ଠ ଦଳର ଏକାଧିକ ଖେଳାଳି ଆହତ ହେବା ପରେ କନିଷ୍ଠ ଖେଳାଳିମାନଙ୍କୁ ସୁଯୋଗ ମିଳିଛି। ଏସିଆନ ଚମ୍ପିଆନ୍ସ ଟ୍ରଫି ପାଇଁ ଦଳ ଭଲ ଭାବେ ପ୍ରସ୍ତୁତ କରିଛି। ବରିଷ୍ଠ ଓ କନିଷ୍ଠ ଖେଳାଳିଙ୍କୁ ନେଇ ସନ୍ତୁଳିତ ଦଳ ଗଠନ କରାଯାଇଛି। ଭଲ ପ୍ରଦର୍ଶନ ନେଇ ଆମେ ଆଶା ରଖିଛୁ ବୋଲି ସ୍କୋପମ୍ୟାନ କହିଛନ୍ତି। ପ୍ରତିଯୋଗିତାରେ ଭାରତ ସମେତ ଚୀନ୍‌, ଜାପାନ, କୋରିଆ, ଥାଇଲାଣ୍ଡ ଓ ମାଲେସିଆ ରହିଛନ୍ତି। ଭାରତ ୫ରେ ଥାଇଲାଣ୍ଡ, ୬ରେ ମାଲେସିଆ, ୮ରେ କୋରିଆ, ୯ରେ ଚୀନ ଓ ୧୧ରେ ଜାପାନ ସହିତ ମ୍ୟାଚ ଖେଳିବ।
ଭାରତୀୟ ମହିଳା ହକି ଦଳ : ସବିତା(ଅଧିନାୟିକା), ରଜନୀ ଇଥିମାରୁପ୍‌(ଗୋଲରକ୍ଷକ), ଦୀପ୍‌ଗ୍ରେସ ଏକ୍କା( ଉପ ଅଧିନାୟିକା), ଉଦିତା, ନିକ୍କି ପ୍ରଧାନ,ଗୁରୁଜିତ୍ କୌର( ସମସ୍ତେ ରକ୍ଷଣାଭାଗ), ନିଶା, ସୁଶିଳା ଚାନୁ ପୁଖରାବାମ୍‌, ନମିତା ଟପ୍ପୋ, ମୋନିକା, ନେହା, ଜ୍ୟୋତି, ଲିଲିମା ମିଞ୍ଜ(ସମସ୍ତେ ମଧ୍ୟଭାଗ ଖେଳାଳି), ନବନିତ୍‌ କୌର, ବନ୍ଦନା କଟାରିଆ, ରାଜୱିନ୍ଦର କୌର, ମାରିଆନା କୁଜୁର,ସୋନିକା(ସମସ୍ତେ ଅଗ୍ରଭାଗ ଖେଳାଳି)।

Comments are closed.