ଡ୍ର‘ ସହ ଓଡ଼ିଶା ଏଫ୍‍ସିର ଅଭିଯାନ ଶେଷ

ଭୁବନେଶ୍ୱର : ଇଣ୍ଡିଆନ ସୁପର ଲିଗ୍‍ (ଆଇଏସ୍‍ଏଲ) ୬ଷ୍ଠ ସଂସ୍କରଣର ନବାଗତ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ଦଳ ଓଡ଼ିଶା ଏଫ୍‍ସି ଡ୍ର ସହ ଚଳିତବର୍ଷ ତା’ର ଅଭିଯାନ ଶେଷକରିଛି। ସ୍ପେନିଶ ଫରୱାର୍ଡ ମାନୁଏଲ ଓନୁଙ୍କ ହ୍ୟାଟ୍ରିକ୍‍ ଗୋଲ ବଳରେ ଓଡ଼ିଶା ଏଫ୍‍ସି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ ମଧ୍ୟ ଖେଳର ଅନ୍ତିମ ସମୟରେ ୨ଟି ପେନାଲ୍‌ଟି ଯୋଗୁଁ ମ୍ୟାଚକୁ ୪-୪ ଗୋଲ୍‌ରେ ଡ୍ର ରହିଥିଲା। ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି।
ପ୍ଲେ-ଅଫରୁ ବାଦ୍‍ ପଡ଼ିଥିବା ଦୁଇ ଦଳ ଓଡ଼ିଶା ଏଫ୍‍ସି ଓ କେରଳ ବ୍ଲାଷ୍ଟର୍ସ ଅନ୍ତିମ ମ୍ୟାଚକୁ ଜିତି ସମ୍ମାନର ସହ ସିଜିନ୍‍ ଶେଷ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଳାଇଥିଲେ। ଓଡ଼ିଶା ଏଫ୍‍ସି ଖେଳର ପ୍ରଥମ ମିନିଟ୍‍ରେ ସ୍ପେନିଶ ଫରୱାର୍ଡ ମାନୁଏଲ ଓନୁ ଗୋଲ ଦେଇ ଉତ୍ସାହ ଭରିଥିଲେ। ତେବେ ୬ ମିନିଟ୍‍ରେ ଓଡ଼ିଶା ଏଫ୍‍ସିର ନାରାୟଣ ଦାସଙ୍କ ଆତ୍ମଘାତୀ ଗୋଲ ବଳରେ କେରଳ ବ୍ଲାଷ୍ଟର୍ସ ଏଫ୍‍ସି ମ୍ୟାଚକୁ ୧-୧ ବରାବର ସ୍ଥିତିକୁ ଆଣିଥିଲା। ଏହାପରେ ମ୍ୟାଚ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୨୮ ମିନିଟ୍‍ରେ କେରଳ ବ୍ଲାଷ୍ଟର୍ସ ଏଫ୍‍ସି ପକ୍ଷରୁ ବି. ମେସି ୨ୟ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ଗୋଟିଏ ଗୋଲ ପଛରେ ରହିବା ପରେ ଓଡ଼ିଶା ଏଫ୍‍ସି ଗୋଲ ବରାବର କରିବାକୁ ଉଦ୍ୟମ କରିଥିଲା। ୩୬ ମିନିଟ୍‍ରେ ଓଡ଼ିଶା ଏଫ୍‍ସିକୁ ଏକ ଫ୍ରି କିକ୍‍ ମିଳିଥିଲା। ମାନୁଏଲ ଓନୁ ୨୫ ଗଜ ଦୂରରୁ ଉକ୍ତ ଫ୍ରିକିକ୍‍କୁ ସିଧା ଗୋଲରେ ପରିଣତ କରି ମ୍ୟାଚକୁ ୨-୨ ବରାବର ସ୍ଥିତିକୁ ଆଣିଥିଲେ। ୪୪ ମିନିଟ୍‍ରେ ଓଡ଼ିଶା ଏଫ୍‍ସିକୁ ଏକ ପେନାଲ୍‌ଟି ମିଳିଥିଲା। ଏହାକୁ ପ୍ରିଜ୍‍ ଗ୍ୱାଇଡ୍‍ ଗୋଲରେ ପରିଣତ କରି ଦଳକୁ ୩-୨ରେ ଆଗୁଆ କରିଥିଲେ। ଓଡ଼ିଶା ଏଫ୍‍ସି ପ୍ରଥମାର୍ଦ୍ଧରେ ୩-୨ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଓଡ଼ିଶା ଏଫ୍‍ସି ଅଧିକ ଆକ୍ରମଣାତ୍ମକ କରିଥିଲା। ୫୧ ମିନିଟ୍‍ରେ ଓଡ଼ିଶା ଏଫ୍‍ସିକୁ ମିଳିଥିଲା ଫ୍ରି କିକ୍‍। ଉକ୍ତ ସଟ୍‍କୁ ମଧ୍ୟ ମାନୁଏଲ ଓନୁ ଗୋଲରେ ପରିଣତ କରି ହ୍ୟାଟ୍ରିକ୍‍ ଅର୍ଜନକରି ଦଳକୁ ୪-୨ରେ ଆଗୁଆ କରିଥିଲେ। ୮୨ ମିନିଟ୍‍ରେ କେରଳ ବ୍ଳାଷ୍ଟର୍ସକୁ ଏକ ପେନାଲ୍‌ଟି ମିଳିିଥିଲା। ଏହାକୁ ଓଗେବିଚ୍‍ ଗୋଲରେ ପରିଣତ କରିଥିଲେ। ଅତିରିକ୍ତ ସମୟରେ କେରଳ ବ୍ଳାଷ୍ଟର୍ସକୁ ଆଉ ଏକ ପେନାଲ୍‌ଟି ମିଳିଥିଲା। ଏହାକୁ ଏଗେବିଚ୍‍ ଗୋଲରେ ପରିଣତକରି ମ୍ୟାଚକୁ ୪-୪ କରିଥିଲେ।

Comments are closed.