ପାଣିଚିରି ଚଢ଼େଇଙ୍କ କୋଳାହଳରେ ମହାନଦୀର କଖଡି ବାଲୁକା ଶଯ୍ୟା ମୁଖରିତ

ପୃଥିବୀରେ ସ୍କିମର ସଂଖ୍ୟା ୪ରୁ ୬ହଜାର,ଏସିଆରେ ୧୬୬୭

ଗୁରୁଡିଝାଟିଆ: ପାଣିଚିରି(ଇଣ୍ଡିଆନ ସ୍କିମର) ଚଢ଼େଇଙ୍କ କୋଳାହଳରେ କଖଡି ନିକଟସ୍ଥ ମହାନଦୀର ବାଲୁକାଶର୍ଯ୍ୟା ମୁଖରିତ। ୨୬୧ଟି ସ୍କିମର ଏବେ ବାଲୁକା ଶଯ୍ୟାରେ ଅଣ୍ଡା ଦେବା ପାଇଁ କରୁଛନ୍ତି ମେଟିଂ। ଆଇୟୁସିଏଲର ଗଣନା ଅନୁଯାୟୀ ସ୍କିମର ଅତ୍ୟନ୍ତ ବିପଦ ସଙ୍କୁଳ ସ୍ଥିତିରେ ରହିଛନ୍ତି। ଦିନକୁଦିନ ଏହାର ସଂଖ୍ୟା କମି କମି ଯାଉଛି।
ପକ୍ଷୀ ବିଶେଷଜ୍ଞଙ୍କ ଗଣନା ଅନୁଯାୟୀ ପୃଥିବୀରେ ୪ହଜାରରୁ ୬ହଜାର ପାଣିଚିରି ଚଢ଼େଇ ଦେଖାଯାଉଥିବା ବେଳେ ଏସିଆ ମହାଦେଶରେ ଏହାର ସଂଖ୍ୟା ୧୬୬୭। ଭାରତ, ବାଂଲାଦେଶ, ପାକିସ୍ତାନ ଓ ନେପାଳରେ ପାଣିଚିରି ଦେଖାଯାଆନ୍ତି। ଭାରତବର୍ଷରେ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ପାଣିଚିରି ଦେଖାଯାଉଥିବା ବେଳେ ଏହାର ସଂଖ୍ୟା ୧୨୦ ରୁ ୧୪୦ ମଧ୍ୟରେ ସୀମିତ। ମଧ୍ୟ ପ୍ରଦେଶର ଚମ୍ପଲରେ ପାଣିଚିରି ଚଢ଼େଇର ସଂରକ୍ଷଣ ପାଇଁ ଏକ ଅଭୟାରଣ୍ୟ ରହିଛି। ଓଡିଶାରେ ପାଣିଚିରି ଚଢ଼େଇ ଯଦିଓ ଭିତରକନିକା ଓ ସାତକୋଷିଆ, ମୁଣ୍ଡଳୀ ଓ କଖଡିରେ ଦେଖାଯାଆନ୍ତି, ହେଲେ ମୁଣ୍ଡଳୀ ,ସାତକୋଷିଆ ଓ ଭିତରକନିକାରେ ଏହାର ସଂଖ୍ୟା ବହୁତ୍ କମ୍ ରହିଥିବା ଜଣାପଡ଼ି।


ମହାନଦୀର କଖଡି ଠାରେ ଏହାର ସଂଖ୍ୟା ସବୁଠାରୁ ଅଧିକ ସଂଖ୍ୟକ ପାଣିଚିରି ଚଢ଼େଇଙ୍କ ସମାଗମ ହେଉଥିବା ବେଳେ କେବଳ ଓଡିଶାର କଖଡିଠାରେ ମହନାଦୀର ମଧ୍ୟସ୍ଥ ବାଲୁକାଶର୍ଯ୍ୟାରେ ଅଣ୍ଡା ଦେଇଥାନ୍ତି। ସାଧାରଣତଃ ଅନୁକୂଳ ପରିବେଶ ସୁରକ୍ଷିତ ସ୍ଥାନ ଓ ସହାବସ୍ଥାନ କରିବାର ପ୍ରକୃଷ୍ଠ ଜାଗା ଓଡିଶାର କେବଳ କଖଡି ହୋଇଥିବାରୁ ଏଠାରେ ପାଣିଚିରି ଗତ କିଛିବର୍ଷ ଧରି ଆସୁଛନ୍ତି। ପ୍ରାୟତଃ ଫେବୃଆରୀରୁ ମେ’ ମାସ ମଧ୍ୟରେ ପାଣିଚିରି ଏଠାରେ ରହି ଅଣ୍ଡାଦେବା ସହ ଛୁଆ ଫୁଟାଇ ପୁନର୍ବାର ଫେରିଯାଇଥାନ୍ତି। ହେଲେ ଚଳିତବର୍ଷ ୧୫ଦିନ ପୂର୍ବରୁ ପାଣିଚିରି ଆଣିଗଲେଣି। ଏକ ଶୁଭ ସୂଚନା ଅତ୍ୟନ୍ତ ବିପଦ ସଙ୍କୁଳ ସ୍ଥିତିରେ ଥିବା ଏହି ବିଲୁପ୍ତ ପ୍ରାୟ ପାଣିଚିରି ଚଢ଼େଇଙ୍କ ସଂଖ୍ୟା ଗତବର୍ଷ ୧୫୦ ଥିବା ବେଳେ ଏବେ ୨୬୧ଟି ପାଣିଚିରି ମହାନଦୀର ବାଲୁକାଶର୍ଯ୍ୟାରେ ଅବସ୍ଥାନ କରିଛନ୍ତି।


ଆଜି ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମୀତା ଲେଙ୍କା ପାଣିଚିରି ଚଢ଼େଇଙ୍କ ଆଗମନସ୍ଥିତି ଅନୁଧ୍ୟାନ କରିବା ବେଳେ ଅତ୍ୟନ୍ତ ଆନନ୍ଦିତ ହୋଇଯାଇଥିଲେ। ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ୧୫ଦିନ ଆଗରୁ ଏହାଙ୍କ ଆଗମନ ଆମ ଅଞ୍ଚଳ ପାରିଚିରି ଚଢ଼େଇଙ୍କ ପାଇଁ ବେଶ ଅନୁକୂଳ ବୋଲି କହିଥିଲେ। ଏହାର ସୁରକ୍ଷା ପାଇଁ ବନକର୍ମଚାରୀମାନଙ୍କୁ ସଜାଗ ରହି ସ୍ବତନ୍ତ୍ର ଦୃଷ୍ଟି ଦେବା ନିମନ୍ତେ କହିଥିବା ବେଳେ ସ୍ଥାନୀୟ କଖଡି ମତ୍ସ୍ୟଜୀବିମାନେ ପାରିଚିରିର ଗତିବିଧି ପ୍ରତି ମଧ୍ୟ ଦୃଷ୍ଟିଦେଇଛନ୍ତି ଯେଭଳି କୌଣସି ବାହାର ଲୋକ ସେମାନଙ୍କ ଜୀବନଚର୍ଯ୍ୟାରେ ବ୍ୟତିକ୍ରମ ନକରନ୍ତି। ପାଣିଚିରି ଚଢ଼େଇର ପକ୍ଷୀର ରଙ୍ଗ କଳା ହୋଇଥିବା ବେଳେ ଶରୀର ରଙ୍ଗ ଧଳା ଓ ଥଣ୍ଡ ନାଲିବର୍ଣ୍ଣର ଅଟେ। ଅତ୍ୟନ୍ତ ମେଳାପୀ। ମଣିଷମାନଙ୍କୁ ଦେଖି ହଠାତ୍ ପ୍ରତିକ୍ରିୟା ପ୍ରକାଶ କରିନଥାନ୍ତି। ପାଣିଚିରି ଚଢ଼େଇ ଦିନରେ ବିଶ୍ରାମ ନେଇଥାନ୍ତି ଓ ରାତିରେ ଚଳପ୍ରଚଳ କରିଥାନ୍ତି। ଏମାନେ ମୁଖ୍ୟତଃ ମହାନଦୀ ମଧ୍ୟସ୍ଥ ବାଲୁକା ଶଯ୍ୟାରେ ଅବସ୍ଥାନ କରିଥାନ୍ତି ଓ ନଦୀରୁ କେବଳ ଜହ୍ଲା ମାଛ ହିଁ ଖାଇଥାନ୍ତି। ମେଟିଂ ପରେ ୨୦ ରୁ ୨୫ ଦିନ ମଧ୍ୟରେ ଅଣ୍ଡାଦେବା ଆରମ୍ଭ କରିଥାନ୍ତି। ଗୋଟିଏ ପାଣିଚିରି ଚଢ଼େଇ ୩ ରୁ ୫ଟି ଅଣ୍ଡା ଦେଇଥାନ୍ତି। ଅଣ୍ଡାଦେବାର ୨୧ରୁ ୩୦ଦିନ ମଧ୍ୟରେ ଛୁଆ କରିଥାନ୍ତି। ସ୍କିମର ର ଜୀବନକାଳ ୧୫ ରୁ ୨୦ବର୍ଷ ବୋଲି ବନଖଣ୍ଡ ଅଧିକାରୀ ସୁଶ୍ରୀ ଲେଙ୍କା ପ୍ରକାଶ କରିଛନ୍ତି।


ଓଡିଶାରେ କଖଡି ମହାନଦୀ ଶଯ୍ୟାରେ ଏତେ ସଂଖ୍ୟକ ପାଣିଚିରି ଚଢ଼େଇ ନିଜକୁ ନିରାପଦ ମନେକରି ଅଣ୍ଡା ଦେଇ ଛୁଆ କରୁଥିଲେ ମଧ୍ୟ ରାଜ୍ୟସରକାର ସେମାନଙ୍କ ସଂରକ୍ଷଣ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ଯାହାକି ଚିନ୍ତାର ବିଷୟ। ମଧ୍ୟପ୍ରଦେଶର ଚମ୍ପଲରେ ୧୨୦ ରୁ ୧୪୦ଟି ପାଣିଚିରି ଚଢ଼େଇ ଦେଖାଯାଉଥିଲେ, ହେଲେ ସେଠାରେ ଅଭୟାରଣ୍ୟ ଘୋଷିତ ହୋଇଥିବା ବେଳେ ଓଡିଶାରେ କ’ଣ ପାଇଁ ସରକାର ପଦକ୍ଷେପ ନେଉନାହାନ୍ତି। ବିଶେଷତଃ ବନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ରାଜ୍ୟ ସରକାରଙ୍କୁ ଉତ୍ସାହିତ ହୋଇ ପାଣିଚିର ଚଢ଼େଇଙ୍କର ସଂରକ୍ଷଣ ପାଇଁ ଦୃଷ୍ଟିଆକର୍ଷଣ କରିବା ପଛରେ କେଉଁଠାରେ ଅସୁବିଧା ରହିଛି ତାହା ବୁଝାପଡୁନାହିଁ। ଏକ ବିଲୁପ୍ତ ବିରଳ ପାଣିଚିରିର ସଂରକ୍ଷଣ ଏକାନ୍ତ ଆବଶ୍ୟକତା ଅଟେ। ଆଜିର ଏହି ପରଦର୍ଶନ କାଳରେ ପରିବେଶବିତ୍ ସଞ୍ଜୀବ ଦାସ, ପକ୍ଷୀ ଗବେଷକ ଜ୍ଞାନେନ୍ଦ୍ର ଦାସ, ଅମ୍ଲାନ ପଟ୍ଟନାୟକ,ଖୁଣ୍ଟୁଣୀ ବନାଞ୍ଚ ଳ ଅଧିକାରୀ ମାଗୁଣି ବେହେରା, ବନପାଳ ରାକେଶ ଦଳାଇ, ବନରକ୍ଷୀ ରମାକାନ୍ତ ବଳବନ୍ତରାୟ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Comments are closed.