ଘରୋଇ କମ୍ପାନୀଙ୍କୁ ରେଳ ଚଳାଚଳ ଲାଗି ଆମନ୍ତ୍ରଣ କରିବେ ସରକାର

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କୁ ଉନ୍ନତ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି ସରକାର ଘରୋଇ କମ୍ପାନୀଙ୍କୁ ରେଳ ଚଳାଚଳ ଲାଗି ଆମନ୍ତ୍ରଣ କରିବେ। ରେଳ ମନ୍ତ୍ରଣାଳୟ ଏ ସମ୍ପର୍କରେ ଯୋଜନା କରୁଥିବା ଜାଣିବାକୁ ମିଳିଛି। ରେଳବାଇର ଘରୋଇକରଣକୁ ବିରୋଧ କରାଯିବା ପରେ ମନ୍ତ୍ରଣାଳୟ ଏପରି ନୂଆ ଯୋଜନା କରିବାକୁ ଯାଉଛି। ମନ୍ତ୍ରଣାଳୟ ଆଇଆରସିଟିସି ମାଧ୍ୟମରେ ଘରୋଇ କମ୍ପାନୀଙ୍କୁ ରେଳ ଚଳାଚଳ ଲାଗି ଆମନ୍ତ୍ରଣ କରିବ। ଯୋଜନା ଅନୁଯାୟୀ ରେଳବାଇ ଆଇଆରସିଟିସିକୁ କେତେକ ଟ୍ରେନ ଯୋଗାଇ ଦେବ। ଏହି ଟ୍ରେନଗୁଡିକୁ ଆଇଆରସିଟିସି ନିଜସ୍ୱ ତତ୍ତ୍ୱାବଧାନରେ ଚଳାଇବ। ଏଥିରୁ ଯେଉଁ ଲାଭାଂଶ ମିଳିବ ତାର କିଛି ଭାଗ ରେଳବାଇ ପାଇବ।

ବିଶେଷକରି ପର୍ୟ୍ୟଟନ ଯୋଗାଯୋଗ କରୁଥିବା ସ୍ଥାନରେ ଏହି ଘରୋଇ ଟ୍ରେନ ଚଳାଚଳ କରିବ। ରେଳଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ସୁବିଧାସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ଏପରି ଯୋଜନା କରୁଛନ୍ତି। ଯାତ୍ରୀବାହୀ ଟ୍ରେନ ସହିତ ମାଲବାହୀ ଟ୍ରେନ ଚଳାଚଳ ପାଇଁ ଘରୋଇ କମ୍ପାନୀଙ୍କୁ ଆମନ୍ତ୍ରଣ କରାଯିବ ବୋଲି ଜଣାଯାଇଛି। ତେବେ ଏ ସମ୍ପର୍କରେ ସବିଶେଷ ଯୋଜନା ପ୍ରସ୍ତୁତ ହୋଇନାହିଁ। ଚୂଡାନ୍ତ ଯୋଜନା ପାଇଁ ୧୦୦ଦିନ ସମୟ ସୀମା ଧାର୍ୟ୍ୟ କରାଯାଇଛି। ରେଳବାଇ ପକ୍ଷରୁ କୁହାଯାଇଛି ଯେ ରାଜଧାନୀ ଓ ଶତାବ୍ଦୀ ଭଳି ଟ୍ରେନ ଲାଭରେ ଚାଲୁଥିବାରୁ ଘରୋଇ କମ୍ପାନୀମାନେ ରେଳ ଚଳାଚଳ ଲାଗି ଆଗ୍ରହ ପ୍ରକାଶ କରିବା ଆଶା କରାଯାଇଛି। ଚଳିତବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ରେଳ ଷ୍ଟେସନକୁ ୱାଇଫାଇ କରିବା ଲାଗି ଲକ୍ଷ୍ୟଧାର୍ୟ୍ୟ କରାଯାଇଛି। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଏନଡିଏ ସରକାର କ୍ଷମତାକୁ ଆସିବା ପରଠାରୁ ରେଳବାଇରେ ଘରୋଇ ପୁଞ୍ଜିନିବେଶ ନେଇ ଅନେକ ଆଲୋଚନା କରାଯାଉଛି। ତେବେ ଏହି ଯୋଜନାକୁ ରେଳବାଇର ଅନେକ କର୍ମଚାରୀ ସଂଘ ଦୃଢ ବିରୋଧ କରିଆସୁଛନ୍ତି।

Comments are closed.