ସୌରଶକ୍ତି​‌ରୁ ଶକ୍ତି ଆବଶ୍ୟକତା ପୂରଣ କରିବ ରେଳବାଇ; ୨୦୩୦ ସୁଦ୍ଧା ୩୩ ବିଲିୟନ ୟୁନିଟ ଉର୍ଜ୍ଜା ଆବଶ୍ୟକ ପୂରଣ ଲକ୍ଷ୍ୟ

ନିଜସ୍ୱ ଖାଲି ସ୍ଥାନରେ ସ୍ଥାପନ ହେବ ସୌରଶକ୍ତି କେନ୍ଦ୍ର

ଭୁବନେଶ୍ବର : ନିଜର ଯାବତୀୟ ଶକ୍ତି ଆବଶ୍ୟକତା ପୂରଣ କରି ଏ କ୍ଷେତ୍ରରେ ଶତପ୍ରତିଶତ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତୀୟ ରେଳବାଇ ଲକ୍ଷ୍ୟ ରଖିଛି । ଏଥିପାଇଁ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଡେଭଲପରମାନଙ୍କ ସହ ଏକ ବୈଠକ କରିଛନ୍ତି। ଏଥିରେ ବିଭିନ୍ନ ସଂପୃକ୍ତ ପକ୍ଷ ଅଂଶଗ୍ରହଣ କରିବା ସହ ଆଲୋଚନାରେ ଭାଗ ନେଇଛନ୍ତି ।
ଭାରତୀୟ ରେଳପଥ ଟ୍ରେନ ଚଳାଚଳ ସଂକ୍ରାନ୍ତ ନିଜର ସମସ୍ତ ଶକ୍ତି ଆବଶ୍ୟକତା ସୌରଶକ୍ତିରୁ ପୂରଣ କରିବା ପାଇଁ ଅଙ୍ଗୀକାରବଦ୍ଧ। ଏହାସହିତ ମଧ୍ୟ ରେଳବାଇ ନିଜକୁ ଏକ ଗ୍ରୀନମୋଡ ପରିବହନ ବ୍ୟବସ୍ଥାରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରୁଛି। ଆଜିର ବୈଠକରେ ରେଳଟ୍ରାକ୍‌ ପାର୍ଶ୍ବରେ ଅଭିନବ ସୌରଶକ୍ତି ପ୍ରକଳ୍ପମାନ ସ୍ଥାପନ କରିବା,୨୦୩୦ ସୁଦ୍ଧା ରେଳବାଇକୁ ଶତପ୍ରତିଶତ ଅଙ୍ଗାରମୁକ୍ତ ପରିବହନ ବ୍ୟବସ୍ଥାରେ ପରିଣତ କରିବାକୁ ୨୦ ଗିଗାୱାଟ ସୌରଶକ୍ତି ଉତ୍ପାଦନ ଲକ୍ଷ୍ୟ ପୂରଣ କରିବା ଏବଂ ବ୍ୟାପକ ଭାବେ ସୌରଶକ୍ତି ପ୍ରକଳ୍ପମାନ କାର୍ଯ୍ୟକାରୀ କରିବାରେ ଥିବା ସମସ୍ୟାକୁ ଦୂର କରିବା ଭଳି ମୁଖ୍ୟତଃ ୩ଟି ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ଡେଭଲପରମାନେ ରେଳବାଇର ଅକ୍ଷୟଶକ୍ତି ବିକାଶ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ା ଏ କ୍ଷେତ୍ରରେ ରେଳବାଇ ଯେଉଁ ଲକ୍ଷ୍ୟ ରଖିଛି ୨୦୩୦ ସୁଦ୍ଧା ତାହା ପୂରଣ କରିବାକୁ ସବୁମନ୍ତେ ଉଦ୍ୟମ କରିବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ା ନିକଟରେ ପ୍ରଧାନମନ୍ତ୍ରୀ ଦେଶର ରେଳ ଷ୍ଟେସନଗୁଡିକୁ ସୌରଶକ୍ତି ସଂପନ୍ନ କରିବା ଏବଂ ରେଳବାଇର ଖାଲି ଜମିରେ ଅକ୍ଷୟ ଶକ୍ତି ୟୁନିଟମାନ ସ୍ଥାପନ କରିବା ପାଇଁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ ପୂରଣ କରିବା ନିମନ୍ତେ ରେଳବାଇ ଏସବୁ କାର୍ଯ୍ୟ କରୁଛି । ଏହି ଲକ୍ଷ୍ୟ ପୂରଣ ଦିଗରେ ଭାରତୀୟ ରେଳବାଇ ନିଜର ଖାଲି ଜାଗାଗୁଡିକୁ ସୌରପ୍ଲାଣ୍ଟ ନିର୍ମାଣ ପାଇଁ ଯୋଗାଇଦେବ । ଇତିମଧ୍ୟରେ ଏ ସଂକ୍ରାନ୍ତ ଏକ ପାଇଲଟ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ସଫଳତାର ସହ କାର୍ଯ୍ୟ କରୁଛି । ମଧ୍ୟପ୍ରଦେଶର ବୀନାଠାରେ ୧.୭ମେଗାୱାଟ କ୍ଷମତା ବିଶିଷ୍ଟ ଏକ ସୌରଶକ୍ତି ପ୍ରକଳ୍ପରୁ ଉତ୍ପାଦିତ ଶକ୍ତିକୁ ସିଧାସଳଖ ୨୫ କେଭି ଟ୍ରାକ୍ସନ ସିଷ୍ଟମ ସହ ଯୋଡାଯାଇଛି । ଏହାଦ୍ୱାରା ଅଣପାରମ୍ପରିକ ଊର୍ଜ୍ଜାରେ ଟ୍ରେନ ଚଳାଚଳ ସମ୍ଭବ ହୋଇଛି ।
ଅଧିକରୁ ଅଧିକ ସୌରଶକ୍ତି ୟୁନିଟମାନ କାର୍ଯ୍ୟକ୍ଷମ ହେଲେ ସମଗ୍ର ରେଳବାଇକୁ ଅଙ୍ଗାରମୁକ୍ତ ଊର୍ଜ୍ଜା ବ୍ୟବସ୍ଥାରେ ଚଳାଇବା ପାଇଁ ଯେଉଁ ଲକ୍ଷ୍ୟ ରହିଛି ତାହା ପୂରଣ ହେବ। ସୂଚନାଯୋଗ୍ୟ ଯେ ୨୦୩୦ ସୁଦ୍ଧା ସମଗ୍ର ରେଳବାଇକୁ ନେଟ୍‌ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ରେଳବାଇରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଲକ୍ଷ୍ୟ ପୂରଣ ପାଇଁ ୨୦୩୦ ସୁଦ୍ଧା ରେଳବାଇ ୨୦ ଗିଗାୱାଟ ସୌରଶକ୍ତି ଉତ୍ପାଦନକ୍ଷମ ପ୍ରକଳ୍ପମାନ କାର୍ଯ୍ୟକ୍ଷମ କରିବ । ସେଥିପାଇଁ ନିଜର ଖାଲି ଜାଗାରେ ଏଭଳି ପ୍ରକଳ୍ପମାନ ନିର୍ମାଣ କରିବାକୁ ରେଳବାଇ ଡେଭଲପରଙ୍କୁ ଜମି ଯୋଗାଇ ଦେବାକୁ ଆଗ୍ରହ ପ୍ରକାଶ କରିଛି । ଆହୁରି ମଧ୍ୟ ୨୦୨୩ ସୁଦ୍ଧା ଦେଶର ସବୁ ରେଳଲାଇନକୁ ଶତପ୍ରତିଶତ ବିଦ୍ୟୁତିକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସମୟ ସୁଦ୍ଧା ଭାରତୀୟ ରେଳବାଇ ମୋଟ ଊର୍ଜ୍ଜା ବ୍ୟବହାର ପରିମାଣ ୩୩ ବିଲିୟନ ୟୁନିଟରେ ପହଞ୍ଚିବ ବୋଲି ଆକଳନ କରିଛି ା ବୈଠକ ଅବସରରେ ରେଳମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ ଯେ, ଜବରଦଖଲ ମୁକ୍ତ ରେଳଜମିରେ ଏସବୁ ପ୍ରକଳ୍ପ ତିଆରି ହେବ। ଡେଭଲପରମାନଙ୍କ ଦ୍ୱାରା ରେଳପଥର ଦୁଇପାର୍ଶ୍ବରେ ପାଚେରି ନିର୍ମାଣ କରାଯିବ । ଏହାଫଳରେ ରେଳପଥରେ ଅନୁପ୍ରବେଶକୁ ରୋକିହେବ। ଭାରତୀୟ ରେଳବାଇକୁ ଊର୍ଜ୍ଜା କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ ଅତ୍ୟାଧୁନିକ ଦେଶୀ ଟେକ୍ନୋଲଜି ବ୍ୟବହାର କରୁଥିବା ଶ୍ରୀ ଗୋଏଲ କହିଛନ୍ତି ।

Comments are closed.