MEllora 950×100

ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ; ଆଗତ ହୋଇପାରେ ୧୬ଟି ବିଲ୍‌

ନୂଆଦିଲ୍ଲୀ: ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ୧୭ଟି କାର୍ଯ୍ୟଦିବସ ରହିଥିବା ବେଳେ ଡିସେମ୍ବର ୨୯ ପର୍ଯ୍ୟନ୍ତ ଶୀତ ଅଧିବେଶନ ଚାଲିବ । ଶୀତ ଅଧିବେଶନ ପୂର୍ବରୁ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ କେନ୍ଦ୍ର ସରକାର । ଉଭୟ ଗୃହ ଶାନ୍ତି ଶୃଙ୍ଖଳାରେ ଚାଲିବା ନେଇ ଆଲୋଚନା ହୋଇଥିଲା । ତାହା ସହ ବିରୋଧୀ ଦଳଗୁଡିକ କିଛି ପ୍ରସଙ୍ଗରେ ଆଲୋଚନା କରିବା ଲାଗି ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ବୈଠକରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଯୋଗଦେଇଥିଲେ । ଅଧୀର ସଂସଦରେ ଦରଦାମ ବୃଦ୍ଧି, ବେରୋଜଗାରୀ ଓ ବିଭିନ୍ନ ତଦନ୍ତକାରୀ ଏଜେନ୍ସିର ଦୂରୁପଯୋଗ ଉପରେ ଆଲୋଚନା କରାଯିବା ଜରୁରୀ ବୋଲି କହିଥିଲେ । ତାହା ସହିତ ଭାରତ-ଚୀନ ସୀମା ବିବାଦ ଓ କାଶ୍ମୀରରେ ପଣ୍ଡିତଙ୍କ ହତ୍ୟା ଉପରେ ମଧ୍ୟ ଗୃହରେ ଆଲୋଚନା କରାଯିବା ଦରକାର ବୋଲି କହିଥିଲେ ବିରୋଧୀ । ଆପ୍‌, ଏନସିପି ଓ ଅନ୍ୟ କେତେକ ଦଳ ପୁରୁଣା ପେନସନ ବ୍ୟବସ୍ଥା ଓ କୃଷିଜାତ ସାମଗ୍ରୀର ଏମଏସପି ଧାର୍ଯ୍ୟ ପାଇଁ ଆଇନ ପ୍ରଣୟନ ଲାଗି ଆଲୋଚନା କରିବାକୁ ଦାବି କରିଛନ୍ତି ।

ଅନ୍ୟପଟେ ଏହି ଅଧିବେଶନରେ ସରକାର ୧୬ଟି ବିଧେୟକ ଆଗତ କରିବାକୁ ଯୋଜନା କରିଛନ୍ତି । ଏହା ମଧ୍ୟରେ ରହିଛି ନ୍ୟାସନାଲ ଡେଣ୍ଟାଲ କମିସନ ବିଲ୍‌ । ଡେଣ୍ଟିଷ୍ଟ ଆକ୍ଟ ୧୯୪୮ର ଉଚ୍ଛେଦ ଲାଗି ସରକାର ଏହି ନୂଆ ବିଧେୟକ ଆଗତ କରିବେ ।

ସେହିପରି ଇଣ୍ଡିଆନ ନର୍ସିଂ କାଉନସିଲ ଆଇନ ୧୯୪୭ର ଉଚ୍ଛେଦ ନିମନ୍ତେ ସରକାର ନ୍ୟାସନାଲ ନର୍ସିଂ ଆଣ୍ଡ ମିଡୱାଇପେରି କମିସନ (ଏନଏନଏମସି) ଗଠନ ନିମନ୍ତେ ନୂଆ ବିଧେୟକ ଆଗତ କରିବେ। ତାହାଛଡ଼ା କେନ୍ଦ୍ର ସରକାର ବିରୋଧୀ ମାନଙ୍କ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ନେଇ ପ୍ରସ୍ତୁତ ଥିବା କହିଛନ୍ତି ।

 

Comments are closed.