୪୩.୭% ଭାରତୀୟଙ୍କ ମତ: ଗଣତନ୍ତ୍ର ବିପଦାପନ୍ନ

ନୂଆଦିଲ୍ଲୀ: ଦେଶର ଗଣତନ୍ତ୍ର ପ୍ରତି ବିପଦ ରହିଥିବା ନେଇ ୪୩.୭% ନାଗରିକ ମତ ପୋଷଣ କରିଛନ୍ତି। ‘ମୁଡ୍‌ ଅଫ ଦି ନେସନ’ ସର୍ଭେ​ରେ ସାମିଲ ହୋଇଥିବା ଭାରତୀୟ ନାଗରିକମାନେ କହିଛନ୍ତି, ଦେଶର ଗଣତନ୍ତ୍ର ସଂପ୍ରତି ବିପଦାପନ୍ନ ଅବସ୍ଥାରେ। ଯଦିଓ ୨୦୨୧ ଅଗଷ୍ଟରେ ହୋଇଥିବା ‘ମୁଡ୍‌ ଅଫ ଦି ନେସନ’ ସର୍ଭେ ତୁଳନାରେ ଏହି ଲୋକଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି, ତଥାପି ତାହା  ସ୍ଥିର ରହିବା ଚିନ୍ତାଜନକ ବିଷୟ ହୋଇଛି।

ଏଥିସହିତ କୋଭିଡ ଟିକାକରଣ ଅନେକ ପ୍ରତିବନ୍ଧକକୁ ଜୟ କରି ଏକ ସଫଳ ଅଭିଯାନରେ ପରିଣତ ହୋଇପାରିଥିବା ଏହି ସର୍ଭେରେ କୁହାଯାଇଛି। ସୂଚନାଯୋଗ୍ୟ, ଦେଶରେ ବର୍ଷକ ତଳେ ବିଶ୍ବର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଚଳିତ ବର୍ଷ ଜାନୁଆରୀ ୭ ତାରିଖ ସୁଦ୍ଧା ଦେଶରେ ମୋଟ ୧୫୦ କୋଟି ପାନ ଟିକାକରଣ କରାଯିବା ସହିତ ଏହା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହା ତୁଳନାରେ ଆମେରିକାରେ ଏପର୍ଯ୍ୟନ୍ତ ମାତ୍ର ୫୨ କୋଟି ପାନ ଟିକା ଦିଆଯାଇଥିବା ଜଣାଯାଇଛି। ସେହି ସମୟରେ ବ୍ରିଟେନରେ ୧୩ କୋଟି ୭୦ ଲକ୍ଷ ପାନ ଟିକା ଦିଆଯାଇଛି। ସଂପ୍ରତି ଭାରତର ୯୨% ଯୋଗ୍ୟ ହିତାଧିକାରୀ

ପ୍ରଥମ ପାନ ଟିକା ନେଇଥିବାବେଳେ ୭୦% ଉଭୟ ପାନ ଟିକା ନେଇସାରିଛନ୍ତି। ଭାରତର ଟିକାକରଣ ଅଭିଯାନ ବିଶ୍ବ ସମୁଦାୟ ନିମନ୍ତେ ଏକ ଆଦର୍ଶ ପାଲଟିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା କହିଛନ୍ତି। ଏହି ସର୍ଭେରେ ଭାରତର ଅର୍ଥନୀତିର ପରିଚାଳନାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଆଶା ବୃଦ୍ଧିପାଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦ୍ବିତୀୟ ପାଳି ବିଭିନ୍ନ ଆହ୍ବାନର ମୁକାବିଲା କରିଥିବାବେଳେ ସେଥିମଧ୍ୟରେ କୋଭିଡ-୧୯ ପରିଚାଳନା ମୁଖ୍ୟ ସ୍ଥାନ ନେଇଛି। ଏହା ଭାରତୀୟ ଅର୍ଥନୀତିକୁ ନିଗ୍ନଗାମୀ କରାଇବା ସହିତ ନିଯୁକ୍ତି ହ୍ରାସ ପାଇଛି। ଏହାଦ୍ବାରା ଭାରତୀୟଙ୍କର ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି। ଏହାସତ୍ତ୍ବେ ମୋଦିଙ୍କ ପ୍ରତି ଜନସମର୍ଥନ ଅତୁଟ ରହିଛି। ପୂର୍ବରୁ ୨୦୨୧ ଅଗଷ୍ଟରେ କରାଯାଇଥିବା ‘ମୁଡ ଅଫ ଦି ନେସନ’ ସର୍ଭେରେ ଅର୍ଥନୀତିର ପରିଚାଳନାକୁ ନେଇ ଜନମତ ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଥିବାବେଳେ ସଂପ୍ରତି ସେଥିରେ ବୃଦ୍ଧି ଘଟିଛି। ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ କଲ୍ୟାଣକାରୀ ଏବଂ ନୀତିଗତ ପଦକ୍ଷେପ ସହାୟକ ହୋଇଛି।

Comments are closed.