କରୋନା ମାଡ:ପ୍ରଭାବିତ ହେବ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସମ୍ପତ୍ତିର ମାନ

୨ ବର୍ଷରେ ପିଏସ୍‌ବି ପାଇଁ ୨.୧ ଲକ୍ଷ ​‌କୋଟିର ପୁଞ୍ଜି ଜରୁରୀ

ନୂଆଦିଲ୍ଲୀ : କୋଭିଡ-୧୯ ବା କରୋନା ମାଡରେ ପ୍ରଭାବିତ ହେବାକୁ ଯାଉଛି ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ (ପିଏସ୍‌ବି) । କରୋନା ଯୋଗୁ ପ୍ରଭାବିତ ହେବାକୁ ଯାଉଛି ଏହି ପିଏସ୍‌ବିଗୁଡିକର ସମ୍ପତ୍ତିର ମାନ​ । ଏଭଳିସ୍ଥଳେ ପିଏସ୍‌ବିଗୁଡିକ ପାଇଁ ବେଶ ଜରୁରୀ ହୋଇପଡିଛି ସରକାରୀ ସହାୟତା । ତେଣୁ ଆସନ୍ତା ଦୁଇ ବର୍ଷରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ନିମନ୍ତେ ୨.୧ ଲକ୍ଷ ​କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ସହାୟତା ଆବଶ୍ୟକ ହେଉଥିବା ମୁଡିସ୍‌ ଇନ୍‌ଭେଷ୍ଟରସ ସର୍ଭିସ୍‌ ପକ୍ଷରୁ ଏକ ରି​‌ପୋର୍ଟରେ ଆକଳନ କରାଯାଇଛି ।

ବର୍ତ୍ତମାନ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ସହୁଥିବା କ୍ଷତିକୁ ଭରଣା କରିବା ପାଇଁ ବାହ୍ୟ ଆର୍ଥିକ ସହାୟତା ଲୋଡା । ବ୍ୟାଙ୍କଗୁଡିକୁ ୧.୯ରୁ ୨.୧ ଲକ୍ଷ ​‌କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ଯୋଗାଇ ଦିଆଯିବା ଜରୁରୀ । ଯଦି କୌଣସି ବି ସ୍ଥିତିରେ ଦେଶର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଫେଲ ମାରିଯାଏ ​ତେବେ ଏହି ପୁଞ୍ଜି ସହାୟତା ଆର୍ଥିକ ସ୍ଥିରତା ଆଣିଦେବ ବୋଲି ମୁଡିସ୍‌ର ଉପସଭାପତି ତଥା ସିନିଅର କ୍ରେଡିସ୍‌ ଅଫିସର ଅଳକା ଆନବାରାସୁ କହିଛନ୍ତି । ​‌ତାଙ୍କ ମତରେ ବିଶେଷ କରି ରିଟେଲ ଏବଂ କ୍ଷୁଦ୍ର ବ୍ୟବସାୟିକ ଋଣ ପାଇଁ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ସମ୍ପତ୍ତିର ମାନ ଖରାପ ହେବାରେ ଲାଗିଛି । ୨୦୧୯-୨୦ ଆର୍ଥିକବର୍ଷରେ ଭାରତୀୟ ଅର୍ଥନୀତିରେ ବୃହତ୍‌ ହ୍ରାସ ଘଟିଛି । ଋଣ ଯୋଗୁ କ୍ଷତିଗ୍ରସ୍ଥ ହୋଇଥିବା ପିଏସ୍‌ବିଗୁଡିକ ଲାଗି ୧ ଲକ୍ଷ ​‌କୋଟି ଟଙ୍କା ଆବଶ୍ୟକ ରହିଛି । ତେଣୁ ଆର୍ଥିକ ସ୍ଥିରତା ବଜାୟ ରଖିବାକୁ ହେଲେ ଭାରତ ସରକାରଙ୍କୁ ପିଏସ୍‌ବିଗୁଡିକୁ ପୁଞ୍ଜି ଯୋଗାଣ ସହାୟତା ଜାରି ରଖିବାକୁ ହେବ ବୋଲି ମୁଡିସ୍‌ ପକ୍ଷରୁ କୁହାଯାଇଛି ।

Comments are closed.