ଲଦାଖରେ ଭାରତୀୟ ବାୟୁସେନା ନିର୍ମାଣ କଲା ବିଶ୍ୱର ଅନ୍ୟତମ ସର୍ବୋଚ୍ଚ ଏଟିସି ଟାୱର

ଲେହ: ଭାରତୀୟ ବାୟୁସେନା ଏଠାରେ ବିଶ୍ୱର ଅନ୍ୟତମ ସର୍ବୋଚ୍ଚ ମୋବାଇଲ ଏୟାର ଟ୍ରାଫିକ କଂଟ୍ରୋଲ (ଏଟିସି) ଟାୱର ନିର୍ମାଣ କରିଛି । ଏଠାରେ ଥିବା ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡରେ ଏହି ଟାୱର ନିର୍ମାଣ କରାଯାଇଛି । ଏଟିସି ପୂର୍ବ ଲଦାଖ ଅଞ୍ଚଳରେ ଫିକ୍ସଡ ୱିଙ୍ଗ ବିମାନ ଏବଂ ହେଲିକପ୍ଟରଗୁଡିକର ଅବତରଣ ଓ ଉଡାଣକୁ ନିୟନ୍ତ୍ରଣ କରୁଛି । ଇତିମଧ୍ୟରେ ଭାରତ ସରକାର ଦୌଲତ ବେଗ ଓଲ୍ଡି (ଡିବିଓ), ଫୁକସେ ଏବଂ ନିଓମା ସମେତ ପୂର୍ବ ଲଦାଖରେ ବିମାନ ବନ୍ଦର ନିର୍ମାଣ ସମ୍ପର୍କରେ ବିବିଧ ବିକଳ୍ପ ବିଚାର କରୁଛନ୍ତି । ଏହି ବିମାନବନ୍ଦରଗୁଡିକ ଚୀନ ସହିତ ରହିଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ଠାରୁ ଅଳ୍ପ କିଛି ମିନିଟ ଉଡାଣ ଦୂରତାରେ ସ୍ଥାପନ କରାଯିବ । ଏଥିସହିତ ଭାରତୀୟ ବାୟୁସେନା ଶତ୍ରୁପକ୍ଷର ବିମାନ ଦ୍ୱାରା କୌଣସି ପ୍ରକାର ଆକାଶି ଅନୁପ୍ରବେଶକୁ ପ୍ରତିହତ କରିବା ସକାଶେ ଇଗଲା ମାନବବାହୀ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ମୁତୟନ କରିଛି । ଭାରତୀୟ ବାୟୁସେନା ମଧ୍ୟ ପୂର୍ବ ଲଦାଖରେ ନିୟମିତ ଭାବରେ ରାଫାଲେ ଏବଂ ମିଗ୍‍-୨୯ ଭଳି ଲଢୁଆ ବିମାନଗୁଡିକ ମୁତୟନ କରୁଛି । ଏହି ବିମାନଗୁଡିକ ପାଙ୍ଗଙ୍ଗ ସୋ ଏବଂ ଗୋଗ୍ରା ଅଞ୍ଚଳରେ ଉଡାଣ କରି ଶତ୍ରୁ ପକ୍ଷ ଉପରେ କଡା ନଜର ରଖିଛନ୍ତି । ଅନ୍ୟପକ୍ଷରେ ଏଲଏସି ଆରପଟେ ଚୀନ ପକ୍ଷରୁ ବିପୁଳ ସଂଖ୍ୟାରେ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ କରାଯିବା କାର୍ଯ୍ୟ ଜାରି ରହିଛି । ଭାରତୀୟ ପ୍ରତିରକ୍ଷା ବାହିନୀ ମଧ୍ୟ ସେଥିସହିତ ତାଳଦେଇ ନିଜର ସୈନ୍ୟ ସଂଖ୍ୟା ଓ ଯୁଦ୍ଧାସ୍ତ୍ର ମୁତୟନ ବୃଦ୍ଧି କରିଚାଲିଛି । ଲଦାଖ ଅଞ୍ଚଳରେ ଭାରତୀୟ ବାୟୁସେନାର ଲଢୁଆ କ୍ଷମତା ଇତିମଧ୍ୟରେ ବହୁଗୁଣ ବୃଦ୍ଧିପାଇଛି ।

Comments are closed.