ହରମନପ୍ରୀତଙ୍କ ୧୪୩* ; ଭାରତ ଶୃଙ୍ଖଳା ବିଜୟୀ

କାଣ୍ଟରବରି (ଇଂଲଣ୍ଡ) : ଦୀର୍ଘ ୨୩ ବର୍ଷ ପ​ରେ‌ ଏବଂ ମୋଟ ଉପରେ ୨ୟ ଥର ଇଂଲଣ୍ଡରେ ଘରୋଇ ଦଳ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଜିତିଛି ଭାରତୀୟ ମହିଳା କ୍ରିକେଟ୍‌ ଦଳ। ବୁଧବାର ୨ୟ ଦିନିକିଆକୁ ୮୮ ରନ୍‌ରେ ଜିତି ୨-୦ରେ ଆଗୁଆରହି ଭାରତ ୩ ମ୍ୟାଚ୍‌ର ଶୃଙ୍ଖଳା ଜିତିନେଇଛି। ଭାରତୀୟ ଅଧିନାୟିକା ହରମନପ୍ରୀତ କୌରଙ୍କ ଅପରାଜିତ ୧୪୩ ରନ୍‌ର ଇନିଂସ ବଳରେ ଭାରତ ୫ ୱିକେଟରେ ୩୩୩ ରନ୍‌ କରିଥିଲା। ଇଂଲଣ୍ଡ ୨୪୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ପରାସ୍ତ ହୋଇଥିଲା।
ପ୍ରଥମେ ବ୍ୟାଟିଂର ଆହ୍ବାନ ପାଇ ଭାରତ ଶେଫାଳି ବର୍ମା (୮)ଙ୍କ ୱିକେଟ ହରାଇଥିଲା। ସ୍ମୃତି ମାନ୍ଧାନା ୪୦ ଓ ୟାସ୍ତିକା ଭାଟିଆ ୨୬ ରନ୍‌ କରିଥିଲେ। ପରେ ହରମନପ୍ରୀତ ଓ ହର୍ଲିନ ଦେଓଲ ୧୧୩ ରନ୍‌ ଯୋଡ଼ିଥିଲେ। ଦେଓଲ ୫୮ ରନ୍‌ କରିଥିଲେ। ୫ମ ଦିନିକିଆ ଶତକ ହାସଲ କରିଥିବା ହରମନପ୍ରୀତ କୌର ୧୧୧ ବଲ୍‌ରୁ ୪ଟି ଛକା ଓ ୧୮ଟି ଚୌକା ସହ ୧୪୩ ରନ୍‌କରି ଅପରାଜିତ ଥିଲେ। ହରମନପ୍ରୀତ ଶେଷ ୧୧ ବଲ୍‌ରୁ ୪୩ ରନ୍‌ କରିଥିଲେ। ଭାରତ ଶେଷ ୩ ଓଭରରୁ ୬୨ ରନ୍‌ ନେଇଥିଲା। ୩୩୪ ରନ୍‌ ଲକ୍ଷ୍ୟରେ ଇଂଲଣ୍ଡ ୪୭ ରନ୍‌ରେ ୩ଟି ୱିକେଟ ହରାଇଥିଲା। ଟାମି ବ୍ୟୁମଣ୍ଟ ମାତ୍ର ୬ ରନ୍‌ କରି ପାରିଥିଲେ। ଆଲିସ୍ କାପ୍‌ସି ୩୬ ବଲ୍‌ରୁ ୩୯ ଓ ଅଧିନାୟିକା ଆମି ଜୋନ୍‌ସ ୫୧ ବଲ୍‌ରୁ ୩୯ ରନ୍‌ କରିଥିଲେ। ଡାନି ୱାଟ୍‌ ୬ଟି ଚୌକା ସହ ୬୫ ରନ୍‌ କରିଥିଲେ। ପରେ ୪୪ ରନ୍‌ରେ ଇଂଲଣ୍ଡ ୫ଟି ୱିକେଟ ହରାଇବାରୁ ଏହାର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ରେଣୁକା ସିଂହ ୪ଟି ୱିକେଟ ନେଇଥିଲେ।

Comments are closed.