ଭାରତ ସହ ସୀମା ଉତ୍ତେଜନା ବଢ଼ାଉଛି ଚୀନ : ଆମେରିକା

ୱାଶିଂଟନ: ପୂର୍ବ ଲଦାଖର ପାନଗଙ୍ଗ ହ୍ରଦ ଦକ୍ଷିଣ ଉପକୂଳକୁ ଦଖଲ କରିବା ଚୀନ ସେନା ଯେଉଁ ଉଦ୍ୟମ କରିଛି ତାହା ଉଦ୍ଦେଶ୍ୟମୂଳକ। ଏହି ଅନୁପ୍ରବେଶର ଉଦ୍ଦେଶ୍ୟ ହେଉଛି ଭାରତକୁ ଉତ୍ତେଜିତ କରିବା। ଆମେରିକା ଗୁଇନ୍ଦା ବିଭାଗର କହିବା ଅନୁଯାୟୀ ଭାରତକୁ ଉତ୍ତେଜିତ କରି ସୀମାରେ ଅସ୍ଥିରତା ସୃଷ୍ଟି କରିବା ହେଉଛି ଚୀନର ମୂଳ ଉଦ୍ଦେଶ୍ୟ। ତେବେ ଚୀନର ଏହି ଅନୁପ୍ରବେଶ ଉଦ୍ୟମକୁ ଭାରତ ପ୍ରତିରୋଧ କରିବା ପୂର୍ବକ ପଣ୍ଡ କରିଛି। ଆମେରିକା ନ୍ୟୁଜ ରିପୋର୍ଟ ଓ ୱର୍ଲ୍ଡ ରିପୋର୍ଟ ଅନୁଯାୟୀ ପାନଗଙ୍ଗ ହ୍ରାସ ହେଉଛି ଭାରତ ଅଧିକୃତ ଅଞ୍ଚଳ। ଜୁନ ୧୫ ଗଲୱାନ ସଂଘର୍ଷ ପରେ ଚୀନକୁ ମୁକାବିଲା କରିବା ଲାଗି ଭାରତ ନିଜକୁ ପୂର୍ଣ୍ଣ ପ୍ରସ୍ତୁତ କରି ରଖିଛି। ତେଣୁ ଅଗଷ୍ଟ ୨୯ ଓ ୩୧ ତାରିଖ ରାତିରେ ଚୀନ ସେନା ଯେଉଁ ଅନୁପ୍ରବେଶ ଉଦ୍ୟମ କରିଥିଲା ତାକୁ ପଣ୍ଡ କରିବାରେ ଭାରତ ସଫଳ ହୋଇଥିଲା।
ଚୀନ ଗୋଟିଏ ପଟେ ସୀମା ବିବାଦର ସମାଧାନ ପାଇଁ ଭାରତ ସହିତ କଥାବାର୍ତ୍ତା କରୁଥିବାବେଳେ ଅନ୍ୟପଟେ ଏପରି ଅନୁପ୍ରବେଶ କାହିଁକି କରୁଛି ତାହା ଉପରେ ଆମେରିକା ଗୁଇନ୍ଦା ପ୍ରଶ୍ନ ଉଠାଇଛି। ଚଳିତମାସରେ ଭାରତର ଗୁଇନ୍ଦା ଅଧିକାରୀମାନେ ତାଙ୍କର ଆମେରିକା, ଅଷ୍ଟ୍ରେଲିଆ, ଜାପାନ ପ୍ରତିପକ୍ଷଙ୍କୁ ଏକ ଭର୍ଚୁଆଲ ସମିତିରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଭର୍ଚୁଆଲ ସମିତି ଅବସରରେ ଆମେରିକା ସବିଶେଷ ତଥ୍ୟ ଭାରତକୁ ପ୍ରଦାନ କରିବାର ସମ୍ଭାବନା ରହିଛି। ଆମେରିକା ପ୍ରତିରକ୍ଷା ବିଭାଗ କହିଛି ଯେ ଚୀନ ଏହାର ପ୍ରତିରକ୍ଷା ଖର୍ଚ୍ଚ ଉପରେ ଗୁରୁତ୍ବ ଦେଇଆସୁଛି। ଏଥିପାଇଁ ଏହା ବିବାଦୀୟ ସୀମା ଅଞ୍ଚଳ ବିଶେଷ କରି ଭାରତ ଓ ଭୁଟାନ ସହିତ ଉତ୍ତେଜନା ସୃଷ୍ଟି କରୁଛି। ଏହା ସହିତ ଦକ୍ଷିଣ ଚୀନ ସାଗରରେ ମଧ୍ୟ ଚୀନ ଅନେକ ସମୟରେ ଉତ୍ତେଜନା ସୃଷ୍ଟି କରୁଛି। ଦକ୍ଷିଣ ଚୀନ ସାଗରରେ ସାମରିକ ଶକ୍ତି ବୃଦ୍ଧି ଓ ଅନ୍ୟାନ୍ୟ କାର୍ଯ୍ୟ ଦ୍ବାରା ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରଗୁଡିକ ସହିତ ଚୀନର ଉତ୍ତେଜନା ବୃଦ୍ଧି ପାଉଛି।

Comments are closed.