ଭାରତର ପ୍ରଥମ ବିଶ୍ବକପ୍‌ ବିଜୟକୁ ୩୬ ବର୍ଷ ପୂରିଲା

ନୂଆଦିଲ୍ଲୀ : ୧୯୮୩ ଜୁନ୍ ୨୫- ଭାରତୀୟ କ୍ରୀଡ଼ା ପାଇଁ ଏକ ସ୍ବର୍ଣ୍ଣିମ ଦିବସ। ଏହିଦିନ ହକି ପରେ ଆଉ ଏକ ଲୋକପ୍ରିୟ କ୍ରୀଡ଼ାରେ ଭାରତ ବିଶ୍ବବିଜେତା ହୋଇ ପାରିଥିଲା। କପିଳ ଦେବଙ୍କ ନେତୃତ୍ବରେ ଭାରତୀୟ ଦଳ କ୍ରିକେଟ ଦୁନିଆକୁ ଓଲଟ ପାଲଟ କରି ଦେଇଥିଲା। ଏହାର ୩୬ ବର୍ଷ ପୂରଣ ହୋଇଛି ମଙ୍ଗଳବାର। ୩୬ ବର୍ଷ ତଳେ ଏକ ମେଘଭରା ଶନିବାର ରାତିରେ ‘କପିଲ୍‌ସ ଡେଭିଲ୍‌ସ’ ସାରାଦେଶକୁ ସ୍ତବ୍‌ଧ କରି ଦେଇଥିଲେ। ଉକ୍ତ ବିଜୟକୁ କୌଣସି ଭାରତୀୟ ଆଦୌ ଭୁଲିପାରିବେ ନାହିଁ। ଏହି ବିଶ୍ବକପ୍ ପୂର୍ବରୁ ଭାରତୀୟ ଦଳ ସେମିଫାଇନାଲ ଖେଳିବ ବୋଲି କେହି ବି ଭାବିନଥିଲେ। ତେବେ ଭାରତୀୟ ଦଳ ସମସ୍ତଙ୍କୁ ଭୁଲ୍‌ ପ୍ରମାଣିତ କରି ଦେଇଥିଲା। ପୂର୍ବ ୨ଟି ବିଶ୍ବକପ୍‌ରେ ଚମ୍ପିଆନ୍ ହୋଇଥିବା ଦୁର୍ଦ୍ଧର୍ଷ ୱେଷ୍ଟଇଣ୍ଡିଜ୍ ଦଳକୁ ଭାରତ ଫାଇନାଲରେ ପରାସ୍ତ କରିଥିଲା। ଏହାର ୨୮ ବର୍ଷ ପରେ ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଭାରତକୁ ୨ୟ ଥର ବିଶ୍ବବିଜେତା କରାଇଥିଲେ। ତେବେ କପିଳ ଦେବଙ୍କ ଦଳ ଜିତାଇଥିବା ସର୍ବପ୍ରଥମ ବିଶ୍ବକପ୍ ଆମ ପାଇଁ ସର୍ବଦା ଅବିସ୍ମରଣୀୟ ହୋଇ ରହିବ।
କପିଳଙ୍କ ଦଳର ଖେଳାଳିମାନେ ଉକ୍ତ ବିଶ୍ବକପ୍‌ ବିଜୟର ସ୍ମୃତିକୁ ସାଉଁଟି ଆଜି ମଧ୍ୟ ଗର୍ବିତ ଅନୁଭବ କରୁଛନ୍ତି। ଫାଇନାଲ ମ୍ୟାଚ୍‌ରେ ଭିଭିଆନ୍ ରିଚାର୍ଡସଙ୍କୁ ଆଉଟ କରିଥିବା ମଦନଲାଲ କହନ୍ତି, ଉକ୍ତ ବିଶ୍ବକପ୍‌ର ବହୁତ ସ୍ମୃତି ରହିଛି। ଟର୍ଣ୍ଣବ୍ରିଜ୍ ୱେଲ୍‌ସରେ କପିଳଙ୍କ ସେହି ମହାନ୍ ଇନିଂସ (ଜିମ୍ବାୱେ ବିପକ୍ଷରେ ଅପରାଜିତ ୧୭୫), ଲିଗ୍ ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିବା, ତଳୁଆ ବଲ୍‌ରେ ଇଆନ୍ ବୋଥାମ୍‌ଙ୍କୁ କୀର୍ତ୍ତି ଆଜାଦ୍ ବୋଲ୍‌ଡ କରିବା, ଅ​‌େ​‌ଷ୍ଟ୍ରଲିଆ ବିପକ୍ଷରେ ଆମ ବିଜୟ ପ୍ରଭୃତି କଦାପି ଭୁଲି ହେବନାହିଁ। ଫାଇନାଲରେ ସର୍ବାଧିକ ରନ୍ କରିଥିବା ଓପ୍‌ନର କୃଷ୍ଣମାଚାରୀ ଶ୍ରୀକାନ୍ତ କହନ୍ତି, ମୋତେ ୨୩ ବର୍ଷ ଓ ମୋ ପତ୍ନୀଙ୍କୁ ୧୮ ବର୍ଷ ହୋଇଥିଲା। ମାତ୍ର ୨ ମାସ ତଳେ ଆମର ବିବାହ ହୋଇଥିଲା। ଆମେରିକାରେ ହନିମୁନ୍ ପାଇଁ ଯୋଜନା କରିଥିଲୁ। ମୁଁ ଜାଣିଥିଲି ଯେ ଭାରତ ସେମିଫାଇନାଲ ଖେଳିବନାହିଁ। ତେଣୁ ୧୦ ହଜାର ଟଙ୍କାରେ ଆମେ ଆମେରିକା ପାଇଁ ଏୟାର ଇଣ୍ଡିଆର ଟିକଟ କିଣିଥିଲୁ। ସୂଚନାଯୋଗ୍ୟ; ୨୦୧୧ ବିଶ୍ବକପ୍ ବିଜେତା ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୨ କୋଟି ଟଙ୍କା ଲେଖାଏଁ ଦେଇଥିଲା ବିସିସିଆଇ। ତେବେ ୧୯୮୩ ବିଶ୍ବ ଚମ୍ପିଆନ୍‌ଙ୍କୁ ପୁରସ୍କାର ଦେବା ପାଇଁ ବିସିସିଆଇ ପାଖରେ ଅର୍ଥ ନଥିଲା। ଦିଲ୍ଲୀର ନ୍ୟାସନାଲ ଷ୍ଟାଡିୟମ୍‌ରେ ଲତା ମଙ୍ଗେସ୍‌କର ଏକ କାର୍ଯ୍ୟକ୍ରମ କରିଥିଲେ। ଏଥିରୁ ମିଳିଥିବା ଅର୍ଥରୁ ସବୁ ଖେଳାଳିଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆ ଯାଇଥିଲା। ଶ୍ରୀକାନ୍ତ ଆହୁରି କହିଛନ୍ତି, ସେତେବେଳେ ମୋର ଘର ନଥିଲା। କାର୍ ବି ନଥିଲା। ଭାରତ ପାଇଁ ୯ ବର୍ଷ ଖେଳିବା ପରେ ମଧ୍ୟ ମୋଟର ସାଇକଲରେ ଯିବାଆସିବା କରୁଥିଲି। ତେବେ ୧୯୮୩ ଦଳ ପରବର୍ତ୍ତୀ କ୍ରିକେଟରଙ୍କ ଆୟ ଲାଗି ରାସ୍ତା ଦେଖାଇ ଦେଇଥିଲା। ଏହି ବିଶ୍ବକପ୍‌ରେ କୌଣସି ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲା ସୁନୀଲ ଭାଲ୍‌ସନ କହନ୍ତି​‌; ମୁଁ କ୍ବିଜ୍ ମାଷ୍ଟରଙ୍କ ପ୍ରିୟ ବ୍ୟକ୍ତିତ୍ବ ହୋଇଗଲି। ସମ​‌େ​‌ସ୍ତ ପଚାରିଥାଆନ୍ତି- ୧୯୮୩ ବିଶ୍ବକପ୍‌ ଦଳରେ ଥିବା କେଉଁ ଖେଳାଳି ଆଦୌ ମ୍ୟାଚ୍ ଖେଳିନଥିଲେ? ସୂଚନାଯୋଗ୍ୟ; ଭାରତର ୧୯୮୩ ବିଶ୍ବକପ୍ ବିଜୟ ଉପରେ ଖୁବ୍ ଶୀଘ୍ର ଏକ ଚଳଚ୍ଚିତ୍ର ରିଲିଜ୍ ହେବାକୁ ଯାଉଛି।

Comments are closed.