ଭାରତ ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଚମ୍ପିଆନ

ଦୁବାଇ  : ଭାରତ ଅଷ୍ଟମ ଥର ପାଇଁ ୧୯ ବର୍ଷରୁ କମ୍‌ ଏସିଆ କପ୍ କ୍ରିକେଟ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଦୁବାଇରେ ଶୁକ୍ରବାର ଖେଳାଯାଇଥିବା ନବମ ସଂସ୍କରଣ ଫାଇନାଲରେ ଭିକି ଓସ୍ତୁୱାଲ ଓ ଅଂକ୍ରିଶ ରଘୁବଂଶୀଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୯ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି କ୍ରମାଗତ ଭାବେ ତୃତୀୟ ଥର ପାଇଁ ଚମ୍ପିଆନ ହୋଇଛି। ବର୍ଷା ପାଇଁ ଭାରତ ସମ୍ମୁଖରେ ୩୨ ଓଭରରେ ୧୦୨ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜବାବରେ ଭାରତ ୨୧.୩ ଓଭର ଖେଳି ୧ ୱିକେଟ ବିନିମୟରେ ୧୦୪ରନ କରି ବିଜୟୀ ହୋଇଥିଲା। ହାର୍ନୋର ସିଂହ ୫ରନ କରି ଆଉଟ୍‌ ହୋଇଥିବାବେଳେ ଅଂକ୍ରିଶ ରଘୁବଂଶୀ ୫୬ ଓ ସେକ ରସିଦ୍‌ ୩୧ରନ କରି ଅପରାଜିତ ରହିଥିଲେ। ଶ୍ରୀଲଙ୍କା ପକ୍ଷରୁ ୟାସିରୁ ରୋଡିଗ୍ରୋ ଗୋଟିଏ ୱିକେଟ ନେଇଥିଲେ। ପ୍ରଥମରୁ ବର୍ଷା ପାଇଁ ଖେଳ ୩୮ଓଭର ବିଶିଷ୍ଟ ହୋଇଥିଲା। ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ବୋଲରଙ୍କୁ ଉପଯୁକ୍ତ ସାମ୍ନା କରିନପାରି ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୦୬ରନ କରିଥିଲା। ରିଭନ ଡିସିଲ୍‌ଭା ୧୫, ସାଦିସା ରାଜପାକ୍ଷେ ୧୪,ମାଥିସା ପ୍ରାଥିନା ୧୪ରନ କରି ଆଉଟ୍‌ ହୋଇଥିବାବେଳେ ଇସୁରୁ ରୋଡିଗ୍ରୋ ୧୯ରନ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଭିକି ଓସ୍ତୁୱାଲ ୧୧ରନରେ ୩ଟି,କୁଶଲ ତାମ୍ବେ ୨ଟି, ରାଜବର୍ଦ୍ଧନ ହଙ୍ଗାରକର, ରବି କୁମାର ଓ ରାଜ୍‌ ବାୱା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଭାରତୀୟ ଇନିଂସରେ ବର୍ଷା ହେବାରୁ କିଛି ସମୟ ଖେଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ମ୍ୟାଚକୁ ୩୨ ଓଭରକୁ ହ୍ରାସ କରିଦିଆଯାଇଥିଲା। ପୂର୍ବରୁ ଭାରତ ୧୯୮୯, ୨୦୦୩, ୨୦୧୩/୧୪, ୨୦୧୬, ୨୦୧୮, ୨୦୧୯ରେ ଚମ୍ପିଆନ ଓ ୨୦୧୨ରେ ଭାରତ ଓ ପାକିସ୍ତାନ ଉଭୟେ ଯୁଗ୍ମ ବିଜେତା ହୋଇଥିଲେ।

Comments are closed.