ଶୃଙ୍ଖଳା ବରାବର , ରବିବାର ନିର୍ଣ୍ଣାୟକ ଲଢ଼େଇ

ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ବିଜୟୀ

ନାଗପୁର : ଅକ୍ଷର ପଟେଲଙ୍କ ସାଣିତ ବୋଲିଂ ପରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚରେ ବିଜୟୀ ହୋଇଛି। ଶୁକ୍ରବାର ନାଗପୁରର ବିଦର୍ଭ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଭାରତ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ୧-୧ ବରାବର କରିଛି। ୨୫ରେ ଅନ୍ତିମ ମ୍ୟାଚ ହାଇଦରାବାଦ୍‌ରେ ଖେଳାଯିବ।
ବର୍ଷା ପାଇଁ ମ୍ୟାଚ ଅଢେଇ ଘଣ୍ଟା ବିଳମ୍ବରେ ୮ ଓଭର ବିଶିଷ୍ଟ ଖେଳାଯାଇଥିଲା। ଅଷ୍ଟ୍ରେଲିଆ​‌ ମାଥ୍ୟୁ ୱାଡେ ୪୩ ଓ ଆରୋନ ଫିଞ୍ଚଙ୍କ ୩୧ରନ ବଳରେ ୯୦ରନ କରିଥିଲା। ଜବାବରେ ଭାରତ ରୋହିତ ଶର୍ମାଙ୍କ ଅପରାଜିତ ୪୬ରନ ବଳରେ ୪ଟି ବଲ ପୂର୍ବରୁ ୪ ୱିକେଟ ହରାଇ ୯୨ରନ କରି ବିଜୟୀ ହୋଇଥିଲା। ଶେଷ ଓଭରର ପ୍ରଥମ ଦୁଇଟି ବଲରୁ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଦିନେଶ କାର୍ତ୍ତିକ ଭାରତକୁ ବିଜୟୀ କରାଇଥିଲେ।
୯୧ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ପ୍ରଥମ ଓଭରରୁ ୨୦ରନ ସଂଗ୍ରହ କରିଥିଲେ। ପ୍ରଥମ ୱିକେଟରେ ଉଭୟେ ୧୭ଟି ବଲରୁ ୩୯ରନ ସଂଗ୍ରହ କରିଥିଲେ। ରାହୁଲ ୧୦ରନ କରି ଆଉଟ୍‌ ହୋଇଥିଲେ। ଭାରତ ୪ ଓଭରରୁ ୫୧ ରନ ସଂଗ୍ରହ କରିଥିଲା। ଦ୍ବିତୀୟ ୱିକେଟରେ ରୋହିତ ଓ ବିରାଟ କୋହଲି ୧୬ରନ ସଂଗ୍ରହ କରିଥିଲେ। ୫୫ରନ ସ୍କୋର ଥିବାବେଳେ ବିରାଟ ୧୧ରନ କରି ଆଉଟ୍‌ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ପାରିନଥିଲେ। ୪ର୍ଥ ୱିକେଟରେ ରୋହିତ ଓ ହାର୍ଦିକ ପାଣ୍ଡ୍ୟା ୨୨ରନ ସଂଗ୍ରହ କରିଥିଲେ। ୭୭ରନ ସ୍କୋର ଥିବାବେଳେ ପାଣ୍ଡ୍ୟା ୯ରନ କରି ଆଉଟ୍‌ ହୋଇଥିଲେ। ୫ମ ୱିକେଟରେ ରୋହିତ ଓ ଦିନେଶ କାର୍ତ୍ତିକ ଅବିଭାଜିତ ୧୫ରନ କରି ଦଳକୁ ବିଜୟୀ କରାଇଥି​‌େ​‌ଲ। ରୋହିତ ୨୦ଟି ବଲରୁ ୪ଟି ଚୌକା ଓ ୪ଟି ଛକା ସହ ୪୬ ଓ କାର୍ତ୍ତିକ ୨ଟି ବଲରୁ ୧୦ରନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୩ଟି ୱିକେଟ ନେଇଥିଲେ।
ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ଦ୍ରୁତ ଗତି​‌େ​‌ର ରନ କରିବାକୁ ଯାଇ ୩ ଓଭରରେ ୩ ୱିକେଟ ହରାଇ ୩୧ରନ କରିଥିଲା। କାମେରୁନ ଗ୍ରୀନ ୫, ଟିମ୍‌ ଡେଭିଡ ୨ ରନ କରିଥିବାବେଳେ ଗ୍ଲେନ ମ୍ୟାକ୍ସୱେଲ ଖାତା ଖୋଲିପାରିନଥିଲେ। ୪ର୍ଥ ୱିକେଟ ପାଇଁ ଅଧିନାୟକ ଆରୋନ ଫିଞ୍ଚ ଓ ମାଥ୍ୟୁ ୱାଡେ ୧୫ରନ ସଂଗ୍ରହ କରିଥିଲେ। ସ୍କୋର ୪୬ରନ ଥିବାବେଳେ ଫିଞ୍ଚ ୩୧ରନ କରି ଆଉଟ୍‌ ହୋଇଥିଲେ। ପଞ୍ଚମ ୱିକେଟରେ ୱାଡେ ଓ ଷ୍ଟିଭ୍‌ ସ୍ମିଥ୍‌ ୪୪ରନ ଭାଗିଦାରୀ ବଳରେ ଅଷ୍ଟ୍ରେଲିଆ ୮ ଓଭରରେ ୫ ୱିକେଟ ହରାଇ ୯୦ରନ କରିବାକୁ ସକ୍ଷମ ହୋଇଥିଲା। ସ୍ମିଥ୍‌ ୮ରନ କରି ଆଉଟ୍‌ ହୋଇଥିବାବେଳେ ୱାଡେ ୨୦ଟି ବଲରୁ ୪ଟି ଚୌକା ଓ ୩ଟି ଛକା ସହ ୪୩ରନ କରି ଅପରାଜିତ ରହିଥିଲେ।
ଭାରତ ପକ୍ଷରୁ ଅକ୍ଷର ପଟେଲ ୨ଟି ଓ ଯଶପ୍ରୀତ ବୁମ୍‌ରା ଗୋଟିଏ ୱିକେଟ ନେଇଥିଲେ। ଭାରତ ମ୍ୟାଚରେ ଦୁଇଟି ପରିବର୍ତ୍ତନ କରିଥିଲା। ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଯଶପ୍ରୀତ ବୁମ୍‌ରା ଓ ଉମେଶ ଯାଦବଙ୍କ ସ୍ଥାନରେ ଋଷଭ ପନ୍ତ୍‌ଙ୍କୁ ଖେଳାଇଥିଲା। ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚକୁ ଅଷ୍ଟ୍ରେଲିଆ ୪ ୱିକେଟରେ ଜିତିଥିଲା।

Comments are closed.