‘କରୋନା’ ମୁକାବିଲା: ଚୀନକୁ ଚିକିତ୍ସା ସହାୟତା ଯୋଗାଇବ ଭାରତ

ବେଜିଂ: ଚୀନରେ ‘କରୋନା’ ପୂର୍ବାପେକ୍ଷା ଭୟଙ୍କର ହେବାରେ ଲାଗିଛି। ଏବେ ପ୍ରତିଦିନ ୧୦୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି ଏବଂ ୪ରୁ ୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଚୀନ ସରକାର ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇଦେବାରେ ବିଫଳ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ସରକାର ଚୀନକୁ ଚିକିତ୍ସା ସହାୟତା ଯୋଗାଇଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଚୀନରେ ମହାମାରୀ କରୋନାର ମୁକାବିଲା ପାଇଁ ସହଯୋଗ ଲାଗି ଭାରତ ଏହି ପଦକ୍ଷେପ ନେଇଛି। ଚଳିତ ସପ୍ତାହର ଶେଷ ଆଡକୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ମେଡିକାଲ କର୍ମଚାରୀ, ଡାକ୍ତରୀ ଟିମ୍‌କୁ ଉହାନ ପଠାଯିବ। ଏହା ସହିତ ଫେରିବା ସମୟରେ ଚୀନରୁ ଭାରତ ଆସିବାକୁ ଚାହୁଁଥିବା ଭାରତୀୟଙ୍କୁ ଧରି ବିମାନଟି ଫେରିବ।

ଅନ୍ୟପଟେ ଜାପାନ ସମୁଦ୍ରତଟରେ ଫଶିଥିବା ଡାଏମଣ୍ଡ ପ୍ରିନ୍‌ସେସ୍‌ ଜାହାଜରେ ଆକ୍ରାନ୍ତ ଭାରତୀୟମାନଙ୍କୁ ମେଡିକାଲ ସହାୟତା ଯୋଗାଇ ଦିଆଯାଇଛି। ଜାହାଜରେ ବିଭିନ୍ନ ଦେଶର ପ୍ରାୟ ୩୬୦୦ ନାଗରିକ ଅଛନ୍ତି। ସୋମବାର ଜାହାଜରେ ଥିବା ଲୋକଙ୍କ ମଧ୍ୟରୁ ୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ଚୀନରେ କରୋନା ଯୋଗୁ ବର୍ତ୍ତମାନ ସୁଦ୍ଧା ୧୭୭୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୧ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

Comments are closed.