ଜବାବ ଦେବ ଭାରତ, ସୀମାରେ ମୁତୟନ ହେବେ ଅଧିକ ୩୫ ହଜାର ସୈନ୍ୟ

ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ ସହିତ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ନିଜର ସାମରିକ ପ୍ରସ୍ତୁତିକୁ ଜୋରଦାର କରୁଛି। ଏହି ପ୍ରସ୍ତୁତି କ୍ରମରେ ଚୀନ ସୀମାରେ ଅଧିକ ୩୫ହଜାର ସୈନ୍ୟ ମୁତୟନ କରିବାକୁ ଭାରତ ନିଷ୍ପତ୍ତି ନେଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚୀନ ସଲଗ୍ନ ୩୪୮୮ କିମି ସୀମାରେ ଏହି ସୈନ୍ୟ ମୁତୟନ କରାଯିବ।

ଚୀନ ସୀମାରେ ଭାରତ ଏହାର ସୈନ୍ୟ ପ୍ରସ୍ତୁତିକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ ବର୍ତ୍ତମାନ ଲାଗି ରହିଥିବା ସୀମା ଉତ୍ତେଜନା ଏହାକୁ ଆହୁରି ତ୍ୱରାନ୍ୱିତ କରିବାକୁ ବାଧ୍ୟ କରିଛି। ଚୀନ ସୀମାରେ ଅଧିକ ସୈନ୍ୟ ମୁତୟନ ସମ୍ପର୍କରେ ଜଣେ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ସେନା ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଦିଲ୍ଲୀସ୍ଥିତ ଥିଙ୍କଟ୍ୟାଙ୍କ ଦ ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ ଅଫ ଇଣ୍ଡିଆର ନିର୍ଦେଶକ ତଥା ଅବସରପ୍ରାପ୍ତ ମେଜର ଜେନେରାଲ ବିକେ ଶର୍ମା କହିଛନ୍ତି ଯେ ପୂର୍ବ ଲଦାଖରେ ଏଲଏସିର ସ୍ଥିତି ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି। ଏହାର ପୂର୍ବାବସ୍ଥା ଫେରିବାର ସମ୍ଭାବନା ବହୁତ କମ୍‍। ତେଣୁ ଏହି ସ୍ଥିତିକୁ ମୁକାବିଲା କରିବା ଲାଗି ଭାରତ ଅଧିକ ସୈନ୍ୟ ମୁତୟନ କରିବା ଯଥାର୍ଥ।

ସୀମା ପରିସ୍ଥିତିକୁ ନେଇ ଦୁଇଦେଶର କୂଟନୈତିକ ଓ ସାମରିକ ପ୍ରତିନିଧିଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଛି। କଥାବାର୍ତ୍ତା ପରେ ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରାଯାଇଛି। ନିକଟରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ ୱେନବିନ୍‍ କହିଥିଲେ ସୀମାର ଅଧିକାଂଶ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ଶେଷ ହୋଇଛି। ସାମରିକ ଓ କୂଟନୈତିକ ଆଲୋଚନା ଆଧାରରେ ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ଦୁଇଦେଶ କାର୍ଯ୍ୟକାରୀ କରୁଛନ୍ତି। ଆଗାମୀ ଦିନରେ ୫ ପର୍ଯ୍ୟାୟ ସାମରିକ କଥାବାର୍ତ୍ତା କରାଯାଇ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ୱେନବିନ୍‍ ସୂଚନା ଦେଇଥିଲେ।

ସୀମାରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଥିବା ନେଇ ଚୀନ ବୈଦେଶିକ ମନ୍ତ୍ରଣାଳୟର ଦାବିକୁ ଭାରତ ଖଣ୍ଡନ କରିଛି। ଗୁରୁବାର ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ସୀମାରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇ ନାହିଁ। ଶ୍ରୀବାସ୍ତବ କହିଛନ୍ତି ଯେ ପୂର୍ବ ଲଦାଖର ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ର୍ରିୟାରେ କିଛିଟା ଅଗ୍ରଗତି ହୋଇଛି। ତେବେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ। ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଥିବା ନେଇ ଚୀନ ପ୍ରତିପକ୍ଷଙ୍କ ଦାବି ସମ୍ପୂର୍ଣ୍ଣ ଅବାସ୍ତବ ବୋଲି ସେ କହିଛନ୍ତି।

ସୈନ୍ୟ ପ୍ରତ୍ୟାହାର ବୁଝାମଣା କାର୍ଯ୍ୟକାରିତା ସମ୍ପର୍କରେ ଆଗାମୀ ଦିନରେ ଦୁଇ ଦେଶର କମାଣ୍ଡରସ୍ତରୀୟ କଥାବାର୍ତ୍ତା ହେବ ବୋଲି ଶ୍ରୀବାସ୍ତବ କହିଛନ୍ତି। ଚୀନ ସହିତ ସୀମା ବିବାଦକୁ ଦୃଷ୍ଟିରେ ରଖି ଭାରତ ନିଜର ସାମରିକ ଶକ୍ତି ବୃଦ୍ଧି କରିଚାଲିଛି। ଫ୍ରାନ୍ସରୁ ଅତ୍ୟାଧୁନିକ ରାଫେଲ ଯୁଦ୍ଧବିମାନ ଭାରତରେ ପହଞ୍ଚିବା ପରେ ବାୟୁସେନାର ଶକ୍ତି ବୃଦ୍ଧି ହୋଇଛି।

Comments are closed.