ଆଜି ୨ୟ ଟ୍ବେଣ୍ଟି-୨୦ : ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ତିରୁଅନନ୍ତପୁରମ୍ : ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ବଳରେ ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ବିଜୟୀ ହୋଇଛି ଘରୋଇ ଭାରତ। ତେବେ ଫିଲ୍‌ଡିଂ ଓ ବୋଲିଂକୁ ନେଇ ଭାରତ ଚିନ୍ତାରେ ରହିଛି। ଭାରତୀୟଙ୍କ ଦୁର୍ବଳ ବୋଲିଂ ଓ ଫିଲ୍‌ଡିଂର ଫାଇଦା ଉଠାଇ ୱେଷ୍ଟଇଣ୍ଡିଜ୍ ୨ ଶହରୁ ଅଧିକ ରନ୍ କରି ପାରିଥିଲା। କେ.ଏଲ୍‌. ରାହୁଲ ଓ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟିଂ ଯୋଗୁଁ ଭାରତ ଏହି ମ୍ୟାଚ୍ ଜିତି ପାରିଥିଲା। ରବିବାର ଏଠାରେ ୨ୟ ଟ୍ବେଣ୍ଟି୨୦ ମାଚ୍ ଖେଳାଯିବାକୁ ଥିବା ​‌େ​‌ବଳେ ବୋଲିଂ ଓ ଫିଲ୍‌ଡିଂରେ ଉନ୍ନତି କରିବା ଲକ୍ଷ୍ୟରେ ଭାରତୀୟ ଦଳ ରହିଛି। ଏହାସହ ୨ୟ ଦିନିକିଆ  ମ୍ୟାଚ୍‌କୁ ଜିତି ୨-୦ରେ ଆଗୁଆ ହୋଇ ସିରିଜ୍ ହାତେଇବା ଲାଗି ଭାରତ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଭାରତ ପରି ୱେଷ୍ଟଇଣ୍ଡିଜ୍ ମଧ୍ୟ ବୋଲିଂ ଓ ଫିଲ୍‌ଡିଂକୁ ନେଇ ଚିନ୍ତାରେ। ଏହାର ବ୍ୟାଟ୍‌ସମ୍ୟାନ୍ ଭଲ ପ୍ରଦର୍ଶନ କରି ୨୦୭ ରନ୍‌ର ସ୍କୋର୍ ଛିଡ଼ା କରିଥିଲେ ହେଁ ଦୁର୍ବଳ ବୋଲିଂ ଯୋଗୁଁ ଏହା ପରାସ୍ତ ହୋଇଥିଲା। ତେଣୁ ଭାରତ ପରି ବୋଲିଂ ଓ ଫିଲ୍‌ଡିଂ ବିଭାଗରେ ଉନ୍ନତି କରିବା ଲକ୍ଷ୍ୟରେ ଇଣ୍ଡିଜ୍ ରହିଛି। କୈରନ୍ ପୋଲାର୍ଡଙ୍କ ଦଳ ଉପରେ ଏହି ଚାପ ରହିବ ଯେ ସିରିଜ୍ ବଞ୍ଚାଇବା ପାଇଁ ଦଳକୁ ରବିବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍ ନିଶ୍ଚୟ ଜିତିବାକୁ ପଡ଼ିବ।
ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି୨୦ ବିଶ୍ବକପ୍ ଚମ୍ପିଆନ୍ ହୋଇଥିଲେ ହେଁ ଏହି ଟ୍ରଫି ଜିତିବା ପରଠାରୁ ଦଳର ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଛି। ଟି୨୦ ବିଶ୍ବକପ୍ ଜିିତିବା ପରଠାରୁ ୱେଷ୍ଟଇଣ୍ଡିଜ୍ ୧୨ଟି ମ୍ୟାଚ୍ ଜିତିଥିବା ବେଳେ ୨୬ଟିରେ ପରାସ୍ତ ହୋଇଛି। ପୁଣି ଗତ ୧୦ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ୱେଷ୍ଟଇଣ୍ଡିଜ୍ ୯ଟି ହାରିଥିବା ବେଳେ ଭାରତ ବିପକ୍ଷରେ ଗତ ୭ଟିଯାକ ଟ୍ବେଣ୍ଟି୨୦ ମ୍ୟାଚ୍ ହାରିଛି। ୱେଷ୍ଟଇଣ୍ଡିଜ୍ ଦଳରେ କ୍ରିସ୍ ଗେଲ୍‌ ଓ ଆ​‌େ​‌ନ୍ଦ୍ର ରସେଲ ନଥିଲେ ମଧ୍ୟ ଯୁବ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ପରେ ୱେଷ୍ଟଇଣ୍ଡିଜ୍‌ର ବୋଲର ଲାଇନ୍ ଲେଙ୍ଗ୍‌ଥ ଭୁଲି ଯାଇଥିଲେ ସତ; କାକର ସେମାନଙ୍କ କାମକୁ ଆହୁରି କଷ୍ଟକର କରି ଦେଇଥିଲା। ତିରୁୱନନ୍ତପୁରମ୍‌ରେ ମଧ୍ୟ କାକର ପଡ଼ିବ। ତେଣୁ ଉଭୟ ଦଳ ଟସ୍ ଜିତି ରନ୍‌ର ପିଛା କରିବାକୁ ଚାହିଁବେ। ୨୦୧୮ରୁ ଅଦ୍ୟାବଧି ଟି୨୦ରେ ରନ୍‌ର ପିଛା କରିବାରେ ଭାରତର ରେକର୍ଡ ୧୪-୩ ରହିଛି।ତା’ର ଟ୍ବେଣ୍ଟି୨୦ କ୍ରିକେଟ ଇତିହାସରେ ସର୍ବାଧିକ ୨୦୭ ରନ୍‌ର ପିଛାକରି ଭାରତ ଜିତିବା ପରେ ଏହାର ମନୋବଳ ଊର୍ଦ୍ଧ୍ବରେ ରହିଛି। ତେଣୁ ୨ୟ ଦିନିକିଆରେ ମଧ୍ୟ ଭାରତ ଫେଭରିଟ୍ ଭାବେ ପଡ଼ିଆକୁ ଓହ୍ଲାଇବ। ରାହୁଲଙ୍କ ବ୍ୟାଟିଂ ଭାରତୀୟ ଦଳକୁ ଆହୁରି ଉତ୍ସାହିତ କରିଛି। ରୋହିତ ଶର୍ମା ଜଲ୍‌ଦି ଆଉଟ ହୋଇ ଯାଇଥିଲେ ହେଁ ରାହୁଲ ରନ୍‌ଗତି ବଜାୟ ରଖି ପାରିଥିଲେ। ଋଷଭ ପନ୍ତ୍ ୨ଟି ଛକା ମାରିଥିଲେ ହେଁ ପୁଣି ବେପରୁଆ ସଟ୍‌ ଖେଳି ଆଉଟ୍‌ ହୋଇଥିଲେ। ସମସ୍ତ ଭାରତୀୟ ବୋଲର ଅଧିକ ରନ୍ ଦେଇଥିଲେ ହେଁ ୟୁଜବେନ୍ଦ୍ର ଚହଲ ଦଳକୁ ୱିକେଟ ଦେଇ ପାରିଥିଲେ। ୱାଶିଂଟନ ସୁନ୍ଦରଙ୍କ ବୋଲିଂକୁ ନେଇ ଭାରତ ଚିନ୍ତାରେ। ଗତ ୬ଟି ମ୍ୟାଚ୍‌ରୁ ମାତ୍ର ୨ଟି ୱିକେଟ ପାଇଥିବା ସୁନ୍ଦରଙ୍କୁ ଆଉ ଏକ ସୁଯୋଗ ମିଳିବ କିମ୍ବା ତାଙ୍କ ସ୍ଥାନରେ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ଖେଳିବେ; ତାହା ଦେଖିବାକୁ ବାକିରହିଲା। ୱେଷ୍ଟଇଣ୍ଡିଜ୍ ମଧ୍ୟ ତା’ର ବୋଲିଂକୁ ନେଇ ଚିନ୍ତାରେ। କେସ୍ରିକ୍ ୱିଲିୟମ୍‌ସ ୩.୪ ଓଭରରେ ୬୦ ରନ୍ ଦେବା ଏବଂ ଜେସନ୍ ହୋଲ୍‌ଡର ୪୬ ରନ୍‌ଦେଇ ୱିକେଟ ନପାଇବା ଇଣ୍ଡିଜ୍ ଦଳକୁ ଚିନ୍ତାରେ ପକାଇଛି। ବାସନ୍ଦ ଉଠିବା ପରେ ନିକୋଲାସ୍ ପୁରନ୍ ୨ୟ ମ୍ୟାଚ୍ ଖେଳିବା ନିଶ୍ଚିତ ଏବଂ ସେ ଦିନେଶ ରାମଦିନଙ୍କ ସ୍ଥାନନେବେ। ଫାବିଏନ୍ ଆଲେନ୍ ଫିଟ୍‌ ହୋଇ ଯାଇଥିଲେ ମଧ୍ୟ ତାଙ୍କୁ ଖେଳିବାକୁ ସୁଯୋଗ ମିଳିବା ସମ୍ଭାବନା କମ୍। ଅଭିଜ୍ଞ ଓପ୍‌ନର ଲେଣ୍ଡଲ୍‌ ସିମନ୍‌ସଙ୍କଠାରୁ ଦଳ ଭଲ ବ୍ୟାଟିଂର ଆଶାରଖିଛି। ପିଚ୍‌ରେ ସ୍ପିନରଙ୍କୁ କିଛି ଫାଇଦା ମିଳିପାରେ। ତେବେ କାକର ପ୍ରଭାବ ଯୋଗୁଁ ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇପାରନ୍ତି। ୱେଷ୍ଟଇଣ୍ଡିଜ୍ ଏହି ଗ୍ରାଉଣ୍ଡରେ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳି ୧୦୪ ରନ୍‌ରେ ଅଲ୍‌ଆଉଟ ହୋଇ ଭାରତଠାରୁ ୯ ୱିକେଟରେ ପରାସ୍ତ ହୋଇଛି। ପାଗ ଗରମ ଥିବା ବେଳେ ସାମାନ୍ୟ ବର୍ଷାର ଆଶଙ୍କା ମଧ୍ୟ ରହିଛି।

Comments are closed.