ଚୀନକୁ ଭାରତର ଚେତାବନୀ: ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ମନ୍ତବ୍ୟ ଦେବାରୁ ବିରତ ରୁହ

ନୂଆଦିଲ୍ଲୀ:  ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ନ ଖେଳାଇବାକୁ ଓ କୌଣସି ଟିପ୍ପଣୀ ନ ଦେବାକୁ ଚୀନକୁ ଭାରତ ଦେଇଛି ଚେତାବନୀ । ଚୀନୀ ବିଦେଶ ମନ୍ତ୍ରଣାଳୟର ଜଣେ ମୁଖପାତ୍ରଙ୍କ ଟିପ୍ପଣୀ ଆଧାରରେ ଭାରତ ଚୀନକୁ ଏପରି କଠୋର ବାଣୀ ଶୁଣାଇଛି । ଭାରତ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ପକ୍ଷରୁ କେନ୍ଦ୍ରଶାସିତ ପ୍ରଦେଶ ଜାମ୍ମୁକାଶ୍ମୀର ସମ୍ପର୍କରେ ଦିଆଯାଇଥିବା ଟିପ୍ପଣୀକୁ ଆମେ ଅତ୍ୟନ୍ତ ଗୁରତ୍ଵର ସହ ଗ୍ରହଣ କରିଛୁ । ଚୀନର ଏହି ମାମଲାରେ କୌଣସି ସମ୍ପର୍କ ନାହିଁ । ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ କୌଣସି ମନ୍ତବ୍ୟ ଦିଅନ୍ତୁ ନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମିଳିତ ଜାତିସଂଘରେ ଚୀନର ସ୍ଥାୟୀ ପ୍ରତିନିଧି ମଙ୍ଗଳବାର ଜାମ୍ମୁକାଶ୍ମୀର ସମ୍ପର୍କରେ ଏକ ଟିପ୍ପଣୀ ଦେଇଥିଲେ । ଚୀନ ସ୍ଥାୟୀ ପ୍ରତିନିଧି ଜାମ୍ମୁକାଶ୍ମୀରର ବିଭାଜନ ଓ ଦୁଇ କେନ୍ଦ୍ରଶାସିତ ପ୍ରଦେଶ ଗଠନକୁ ସମାଲୋଚନା କରିଥିଲେ। କେବଳ ସେତିକି ନୁହେଁ ଭାରତ ଓ ପାକିସ୍ଥାନ ନିଜ ନିଜ ମଧ୍ୟରେ ଆଲୋଚନା କରି କାଶ୍ମୀର ବିବାଦର ସମାଧାନ କରିବାକୁ ଆହ୍ବାନ ଦେଇଥିଲେ । ଚୀନ ପ୍ରବକ୍ତା କହିଥିଲେ କାଶ୍ମୀର ପ୍ରସଙ୍ଗରେ ଚୀନ ବେଶ ସତର୍କ ରହିଛି । କାଶ୍ମୀର ପ୍ରସଙ୍ଗରେ ଚୀନର ସ୍ଥିତି ସ୍ପଷ୍ଟ ଓ ସୁସଙ୍ଗତ । ଏହି ପ୍ରସଙ୍ଗ ଭାରତ ଓ ପାକିସ୍ଥାନ ସହ ଜଡ଼ିତ ।

ଚୀନ ଅଧିକାରୀଙ୍କ ଏହି ମନ୍ତବ୍ୟକୁ ଭାରତ ବେଶ୍ ଗୁରୁତ୍ଵ ଦେଇଛି । ଭାରତ ଏ ସମ୍ପର୍କରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଅନ୍ୟ ଦେଶ କଥାରେ ମୁଣ୍ଡ ନ ଖେଳାଇବାକୁ ଚୀନ ପ୍ରତିପକ୍ଷକୁ ପରାମର୍ଶ ଦେଇଛି ।

 

Comments are closed.