ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍ ଆଜିଠାରୁ

ସମାଜ ପୋର୍ଟାଲ ଡେସ୍କ: : ଘରୋଇ ନ୍ୟୁଜିଲାଣ୍ଡଠାରୁ ଦିନିକିଆ ସିରିଜ୍ ହାରିବା ଭାରତୀୟ କ୍ରିକେଟ ଦଳକୁ ନିଶ୍ଚୟ ବାଧିଥିବ। ଗୁରୁବାରଠାରୁ ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଆରମ୍ଭ ହେଉଥିବା ​‌େ​‌ବଳେ ପୁଣି ବିଜୟଧାରାକୁ ଫେରିବାର ସୁଯୋଗ ବିରାଟ ବାହିନୀ ନିକଟରେ ରହିଛି। ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଆରମ୍ଭହେବା ପରଠାରୁ ଭାରତ ପରି କୌଣସି ଦଳ ଟେଷ୍ଟ କ୍ରିକେଟ୍‌ରେ ପ୍ରାଧାନ୍ୟ ବିସ୍ତାର କରିନାହିଁ। ଅଦ୍ୟାବଧି ଭାରତ ୭ଟି ଟେଷ୍ଟ ଖେଳି ସମସ୍ତ ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତିଛି। ୩୬୦ ପଏଣ୍ଟ ସହ ଆଇସିସି ମାନ୍ୟତାରେ ୧ନଂ ଟେଷ୍ଟଦଳ ଭାରତ ଶୀର୍ଷରେ ରହିଛି। ନ୍ୟୁଜିଲାଣ୍ଡ ଅଦ୍ୟାବଧି ୫ଟି ଟେଷ୍ଟମ୍ୟାଚ୍ ଖେଳି ଗୋଟିଏ ଜିତିବା ସହ ୪ଟିରେ ପରାସ୍ତ ହୋଇଛି। ୬୦ ପଏଣ୍ଟ ସହ ଏହା ୬ଷ୍ଠ ସ୍ଥାନରେ ରହିଛି। ତେଣୁ ଟେବୁଲ୍‌ର ଉପରକୁ ଯିବା ପାଇଁ ନ୍ୟୁଜିଲାଣ୍ଡକୁ ଏହି ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌କୁ ମଧ୍ୟ ପୋଛିନେବାକୁ ଚାହିଁବ। ଗୁରୁବାରଠାରୁ ପ୍ରଥମ ଟେଷ୍ଟମ୍ୟାଚ୍‌ ସ୍ଥାନୀୟ ବେସିନ୍ ରିଜର୍ଭ ଗ୍ରାଉଣ୍ଡରେ ଆରମ୍ଭହେବ। ନ୍ୟୁଜିଲାଣ୍ଡ ଘରୋଇ ବାତାବରଣରେ ବେଶ୍ ଶକ୍ତିଶାଳୀ ନିଶ୍ଚୟ। ତେବେ ଭାରତକୁ ପରାସ୍ତ କରିବାକୁ ହେଲେ ଏହାକୁ ତା’ର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ।

ଏହା ସତ ଯେ କିଛି ଭାରତୀୟ ବ୍ୟାଟ୍‌ସମ୍ୟାନ୍ ସ୍ବିଙ୍ଗ୍ ବୋଲିଂ ବିପକ୍ଷରେ ବେଶ୍‌ ଦୁର୍ବଳ। ପୁଣି ନ୍ୟୁଜିଲାଣ୍ଡ ବାତାବରଣ ସ୍ବିଙ୍ଗ୍ ବୋଲିଂ ପାଇଁ ଅନୁକୂଳ। ପୁଣି ଘରୋଇ ଦଳକୁ ଟ୍ରେଣ୍ଟ୍ ବୋଲ୍‌ଟ ଫେରିଛନ୍ତି। ବଲ୍‌କୁ ସ୍ବିଙ୍ଗ୍ କରିବାରେ ବୋଲ୍‌ଟ ସିଦ୍ଧହସ୍ତ। ଗତ କିଛିବର୍ଷ ହେଲା ନ୍ୟୁଜିଲାଣ୍ଡର ସଫଳତମ ପେସ୍ ବୋଲର ବାମହାତି ଫାଷ୍ଟବୋଲର ନିଲ୍‌ ୱାଗ୍‌ନର ଯେକୌଣସି ବ୍ୟାଟ୍‌ସମ୍ୟାନଙ୍କ ପାଇଁ ବିପଦ ସୃଷ୍ଟି କରିପାରନ୍ତି। ତେବେ ୱାଗ୍‌ନରଙ୍କ ପତ୍ନୀ ଆସନ୍ନ ପ୍ରସବା ଥିବାରୁ ପ୍ରଥମ ଟେଷ୍ଟରେ ତାଙ୍କ ଖେଳିବା ନେଇ ସନ୍ଦେହ ରହିଛି। ଯଦି ୱାଗ୍‌ନର ନ ଖେଳନ୍ତି; ମ୍ୟାଟ୍‌ ହେନ୍‌ରି ତାଙ୍କ ସ୍ଥାନରେ ଖେଳିପାରନ୍ତି। ଦିନିକିଆ ସିରିଜ୍‌ରେ ଭଲ ବୋଲିଂ କରିଥିବା କାଏଲ୍‌ ଜେମିସନ୍ ଦଳରେ ଅଛନ୍ତି। ଏକମାତ୍ର ସ୍ପିନର ଭାବେ ଆଜାଜ୍ ପଟେଲ ଖେଳିବାର ସମ୍ଭାବନା ରହିଛି। ଯଦି ବେସିନ୍ ରିଜର୍ଭରେ ସବୁଜ ପିଚ୍‌ ମିଳେ; ତେବେ ୪ ଜଣ ପେସ୍ ବୋଲରଙ୍କୁ ନେଇ ନ୍ୟୁଜିଲାଣ୍ଡ ଖେଳିପାରେ। ଟମ୍‌ ବ୍ଲଣ୍ଡେଲ୍‌ ଓ ଟମ୍ ଲାଥମ୍ ବ୍ୟାଟିଂ ଓପନ୍ କରିପାରନ୍ତି। ମଧ୍ୟକ୍ରମରେ ଅଧିନାୟକ କେନ୍ ୱିଲିୟମ୍‌ସନ, ରସ୍ ଟେଲର ଓ ହେନ୍‌ରି ନିକୋଲ୍‌ସ ସମ୍ଭାଳିବେ। ଅଲ୍‌ରାଉଣ୍ଡର ଭାବେ କଲିନ୍ ଡି ଗ୍ରାଣ୍ଡହୋମ୍ ଖେଳିପାରନ୍ତି। ୱିକେଟ ରକ୍ଷକ ବି.ଜେ. ୱାଟ୍‌ଲିଙ୍ଗ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଭଲ ବ୍ୟାଟିଂ କରିଥିଲେ।

ଭାରତୀୟ ଦଳର ଓପ୍‌ନର ଭାବେ ମୟଙ୍କ ଅଗ୍ରୱାଲଙ୍କ ସହ ପୃଥ୍ବୀ ସ’ ଖେଳିବା ନିଶ୍ଚିତ। ବ୍ୟାଟିଂକୁ ଦୃଢ଼ତା ଦେବା ପାଇଁ ଭାରତ ୬ନଂ ସ୍ଥାନରେ ହନୁମା ବିହାରୀଙ୍କୁ ଖେଳାଇପାରେ। ଏକମାତ୍ର ସ୍ପିନର ଭାବେ ରବୀନ୍ଦ୍ର ଜାଡ଼େଜା ଖେଳିବେ। ୮ନଂ ସ୍ଥାନରେ ଋଦ୍ଧିମାନ ଶାହା ଖେଳିବାର ଥିବାରୁ ଭାରତୀୟ ବ୍ୟାଟିଂ ନିଶ୍ଚୟ ଶକ୍ତିଶାଳୀ। ନ୍ୟୁଜିଲାଣ୍ଡ ଆକ୍ରମଣକୁ ପ୍ରତିହତ କରିବାକୁ ହେଲେ ଅଧିନାୟକ ବିରାଟ କୋହଲି, ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ଭଲ ବ୍ୟାଟିଂ କରିବାକୁ ପଡ଼ିବ। ବୋଲିଂ ବିଭାଗରେ ଭାରତ ବେଶ୍ ଶକ୍ତିଶାଳୀ ଅଛି। ଯଶପ୍ରୀତ୍ ବୁମ୍‌ରା ନିଶ୍ଚିତ ଭାବେ ନ୍ୟୁଜିଲାଣ୍ଡ ବ୍ୟାଟିଂ ପାଇଁ ଆହ୍ବାନ ସୃଷ୍ଟିକରିବେ। ସୀମିତ ଓଭର ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ମହମ୍ମଦ ସାମି। ୩ୟ ପେସ୍ ବୋଲର ଭାବେ ଈଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ମଧ୍ୟରୁ ଜଣେ ଖେଳିବେ।​‌ ବେସିନ୍ ରିଜର୍ଭ ପିଚ୍‌ରେ ଗତି ଓ ବାଉନ୍‌ସ ରହିବ। ବଲ୍‌ ମଧ୍ୟ ସିମ୍ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଟେଷ୍ଟର ଫଇସଲା ନିଶ୍ଚିତ।

Comments are closed.