ଆଜି ଭାରତ- ନ୍ୟୁଜିଲାଣ୍ଡ ୫ମ ଟ୍ବେଣ୍ଟି-୨୦

ମାଉଣ୍ଟ ମୌଙ୍ଗନୁଇ : ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଚଳିତ ଟ୍ବେଣ୍ଟି-୨୦ ସିରିଜ୍‌ରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ଅଦ୍ୟାବଧି ୪ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ଭାରତ ୪ଟିଯାକ ମ୍ୟାଚ୍‌ ଜିତିପାରିଛି। ଫଳରେ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଥର ଭାରତ ଟ୍ବେଣ୍ଟି-୨୦ ସିରିଜ୍ ଜିତିପାରିଛି। ତେବେ ଏହା ସତ ନୁହେଁ ଯେ ମ୍ୟାଚ୍‌ଗୁଡ଼ିକ ଏକତରଫା ହୋଇଛି। ପ୍ରଥମ ୨ଟି ମ୍ୟାଚ​ରେ ବେଶ୍‌ କିଛି ସମୟ ନ୍ୟୁଜିଲାଣ୍ଡ ସଂଘର୍ଷ କରିଥିଲେ ହେଁ ଭାରତ ଉନ୍ନତ ପ୍ରଦର୍ଶନ କରି ବିଜୟୀ ହୋଇଥିଲା। ତେବେ ୩ୟ ଓ ୪ର୍ଥ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ପକେଟ୍‌ରେ ଥିଲା; ଯାହାକୁ ଏହା ହାତଛଡ଼ା କରିଛି। ୩ୟ ଟ୍ବେଣ୍ଟି୨୦ରେ ଶେଷ ଓଭରରେ ୪ଟି ବଲ୍‌ରୁ ନ୍ୟୁଜିଲାଣ୍ଡକୁ ୯ ରନ୍ କରିବାର ଥିଲେ ହେଁ ମ୍ୟାଚ୍ ଟାଇ ରହିଥିଲା। ପରେ ସୁପର ଓଭରରେ ରୋହିତ ଶର୍ମାଙ୍କ କ୍ରମାଗତ ୨ଟି ଛକା ଭାରତକୁ ବିଜୟୀ କରିଥିଲା। ୪ର୍ଥ ମ୍ୟାଚ୍‌ରେ ଶେଷ ଓଭରରେ ୪ଟି ବଲ୍‌ରୁ ନ୍ୟୁଜିଲାଣ୍ଡ ୭ ରନ୍ ଆବଶ୍ୟକ କରୁଥିଲା। ହେଲେ ଏତିକି ମଧ୍ୟ ନ୍ୟୁଜିଲାଣ୍ଡ କରିନପାରି ସୁପର ଓଭରର ସମ୍ମୁଖୀନ ହୋଇଥିଲା। ଏଥିରେ ମଧ୍ୟ ଭାରତ ବିଜୟୀ ହୋଇଥିଲା। ରବିବାର ଏଠାରେ ଉଭୟ ଦଳଙ୍କ ମଧ୍ୟରେ ୫ମ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ନ୍ୟୁଜିଲାଣ୍ଡ ଯଦି ଗତ ୨ଟି ମ୍ୟାଚ୍ ଜିତି ନେଇଥାଆନ୍ତା; ତେବେ ୫ମ ମ୍ୟାଚ୍‌ ନିର୍ଣ୍ଣାୟକ ବା ଫାଇନାଲ ପରି ହୋଇଥାଆନ୍ତା। ତେବେ ଭାରତ ୪-୦ରେ ଆଗୁଆ ଥିବାରୁ ଉକ୍ତ ମ୍ୟାଚ୍ ମୂଲ୍ୟହୀନ ହୋଇପଡ଼ିଛି। ତେବେ ଏହି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ବର୍ଷରେ କୌଣସି ଦଳ କୌଣସି ଟ୍ବେଣ୍ଟି୨୦ ମ୍ୟାଚ୍‌କୁ ହାଲୁକା ଭାବେ ନେବେନାହିଁ।
ପୁଣି ବିଦେଶମାଟିରେ ଏକ ଟ୍ବେଣ୍ଟି୨୦ ସିରିଜ୍‌କୁ ୫-୦ରେ ପୋଛିନେବାର ସୁଯୋଗ ଭାରତୀୟ ଦଳ ପାଖରେ ରହିଛି। ଏପରି ବିଜୟ ଭାରତୀୟ ଦଳକୁ ଆଗକୁ ହେବାକୁ ଥିବା ଦିନିକିଆ ସିରିଜ୍ ପାଇଁ ମନୋବଳ ଦୃଢ଼ କରିବ। ଅନ୍ୟଥା ଦିନିକିଆ ସିରିଜ୍ ପୂର୍ବରୁ ଶେଷ ଟ୍ବେଣ୍ଟି୨୦ ଜିତିବାକୁ ଘରୋଇ ନ୍ୟୁଜିଲାଣ୍ଡ ପ୍ରୟାସ କରିବ। ବାମ କାନ୍ଧକୁ ବିଶ୍ରାମ ଦେବା ଲାଗି କେନ୍ ୱିଲିୟମ୍‌ସନ୍ ଏହି ମ୍ୟାଚ୍ ମଧ୍ୟ ଖେଳିବେ ନାହିଁ। ତେଣୁ ବୋଲିଂ ବିଭାଗରେ ଦୁର୍ବଳ ହୋଇ ଯାଇଥିବା ନ୍ୟୁଜିଲାଣ୍ଡ ବ୍ୟାଟିଂ ବିଭାଗରେ ମଧ୍ୟ ଦୁର୍ବଳ ହୋଇପଡ଼ିଛି। ଏହାସତ୍ତ୍ବେ ୪ର୍ଥ ଟ୍ବେଣ୍ଟି୨୦ରେ ବିଜୟୀହେବା ଦ୍ବାରରେ ପହଞ୍ଚି ପାରିଥିଲା ନ୍ୟୁଜିଲାଣ୍ଡ। ପୁଣି କଲିନ୍ ମନ୍‌ରୋ ଫର୍ମକୁ ଫେରିବା ଘରୋଇ ଦଳ ପାଇଁ ଏକ ଖୁସିର ଖବର। ପୁଣି ଏହି ଗ୍ରାଉଣ୍ଡରେ ମନ୍‌ରୋ ଟ୍ବେଣ୍ଟି୨୦ରେ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି। ନ୍ୟୁଜିଲାଣ୍ଡ ପାଖରେ ସେପରି ବିକଳ୍ପ ନଥିବାରୁ ଏହା ଅପରିବର୍ତ୍ତିତ ଏକାଦଶ ସହ ଓହ୍ଲାଇପାରେ। ନ୍ୟୁଜିଲାଣ୍ଡର ଓପ୍‌ନିଂ ଯୋଡ଼ି ପ୍ରତି ଭାରତକୁ ସତର୍କ ରହିବାକୁ ପଡ଼ିବ।
ଗତବର୍ଷ ପର୍ଯ୍ୟନ୍ତ ଟ୍ବେଣ୍ଟି-୨୦ରେ ଭଲ ରେକର୍ଡ ନଥିବା ଭାରତ ଏବେ ଏକ ପେସାଦାର ଟ୍ବେଣ୍ଟି୨୦ ଦଳ ପରି ଖେଳୁଛି। ଦଳର ପ୍ରତି ସ୍ଥାନ ପାଇଁ ଏକାଧିକ ବିକଳ୍ପ ରହିଛନ୍ତି। କେ.ଏଲ୍‌. ରାହୁଲ ତାଙ୍କ ଚମତ୍କାର ବ୍ୟାଟିଂ ଫର୍ମ ଜାରି ରଖିଛନ୍ତି। ପୁଣି ରାହୁଲ ୱିକେଟ ରକ୍ଷଣ କରିବା ଯୋଗୁଁ ଭାରତ ମନୀଷ ପାଣ୍ଡେଙ୍କ ପରି ବ୍ୟାଟ୍‌ସମ୍ୟାନଙ୍କୁ ଏକାଦଶରେ ସ୍ଥାନ ଦେଇପାରିଛି। ଏହାର ଫାଇଦା ଉଠାଇ ୪ର୍ଥ ଟ୍ବେଣ୍ଟି୨୦ରେ ପାଣ୍ଡେ ଅର୍ଦ୍ଧଶତକ ହାସଲ କରିଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଶିବମ୍ ଦୁବେ ବ୍ୟାଟିଂ ସୁଯୋଗର ଫାଇଦା ଉଠାଇ ପାରିନାହାନ୍ତି। ତଥା ତାଙ୍କ ବୋଲିଂରେ ଉନ୍ନତି ହେବାରେ ଲାଗିଛି। ଆଗକୁ ଦିିନିକିଆ ସିରିଜ୍ ଥିବାରୁ ବିରାଟ କୋହଲି ଏହି ମ୍ୟାଚ୍‌ରୁ ବିଶ୍ରାମ ନେଇପାରନ୍ତି। ପୁଣି ରାହୁଲଙ୍କୁ ମଧ୍ୟ ବିଶ୍ରାମ ମିଳିପାରେ। ଫଳରେ ଦଳର ନେତୃତ୍ବ ନେବା ପାଇଁ ରୋହିତ ଶର୍ମା ଫେରିପାରନ୍ତି ଏବଂ ମଧ୍ୟକ୍ରମରେ ଋଷଭ ପନ୍ତ୍ ଖେଳିପାରନ୍ତି। ସଞ୍ଜୁ ସାମ୍‌ସନ ଇନିଂସ ଓପନ୍ କରିବେ। ପୁଣି ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବ ସୁଯୋଗ ପାଇପାରନ୍ତି। ଏହି ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଏକ ଘରୋଇ ​‌େ‌ଟ୍ବଣ୍ଟି୨୦ ସିରିଜ୍‌ରେ କ୍ରମାଗତ ୨ଟି ମ୍ୟାଚ୍ ହାରିଥିଲା। ହେଲେ ଭାରତ ଏବେ ୪-୦ରେ ଆଗୁଆ ରହିଛି। ଏହି ଷ୍ଟାଡିୟମ୍‌ରେ ଅଦ୍ୟାବଧି ୫ଟି ଟି୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛି। ତେବେ ଉଭୟ ଦଳ ଟସ୍ ଜିତି ରନ୍‌ର ପିଛା କରିବାର ନିଷ୍ପତ୍ତି ନେଇପାରନ୍ତି।

Comments are closed.